ଆମେରିକାର GSPରେ ପ୍ରଭାବିତ ହେବ ଭାରତ
ନୂଆଦିଲ୍ଲୀ, (ଏଜେନ୍ସି): ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରାଲାଇଜ୍ଡ଼ ସିଷ୍ଟମ ଅଫ୍ ପ୍ରିଫରେନ୍ସେସ୍ ଅଧିନରେ ଭାରତ ଓ ତୁର୍କିକୁ ଦିଆଯାଇଥିବା ମାନ୍ୟତା ପ୍ରତ୍ୟାହାର ସମ୍ବନ୍ଧରେ ଦର୍ଶାଇଛନ୍ତି । ଏଥିପାଇଁ ଟ୍ରମ୍ପ ପ୍ରଶାସନ ଭାରତ ସହିତ ବ୍ୟବସାୟିକ କ୍ଷତି ସମ୍ବନ୍ଧରେ ଦର୍ଶାଇଛି । ଜିଏସ୍ପି ଅଧିନରେ ଆମେରିକାକୁ ରପ୍ତାନୀ ହେଉଥିବା ଭାରତର ସମସ୍ତ ଉତ୍ପାଦରେ ଶୁଳ୍କ ଲାଗିନଥାଏ । ଜିଏସ୍ପି ତଥା ଜେନେରାଲାଇଜଡ଼୍ ସିଷ୍ଟମ ଅଫ୍ ପ୍ରିଫରେନ୍ସେସ୍ ୧୯୭୬ରେ ଆମେରିକା ଦ୍ୱାରା ଆରମ୍ଭ କରାଯାଇଥିଲା । ବିକାସଶୀଳ ଦେଶରେ ଆର୍ଥିକ ବୃଦ୍ଧି ବଢ଼ାଇବା ଉଦେଶ୍ୟରେ ଏହା ଆରମ୍ଭ ହୋଇଥିଲା । ଏହା ଅଧିନରେ ଚୟନିତ ଦ୍ରବ୍ୟର ଶୁଳ୍କ ମୁକ୍ତ ତଥା ମାମୁଲି ଟାରିଫ୍ରେ ଇମ୍ପୋର୍ଟର ଅନୁମତି ଦିଆଯାଇଥାଏ । ଏଯାବତ୍ ଆନୁମାନିକ ୧୨୯ଦେଶକୁ ପାଖାପାଖି ୪୮୦୦ ଦ୍ରବ୍ୟ ପାଇଁ ଜିଏସ୍ପି ଅଧିନରେ ଲାଭ ମିଳିଛି । ଏହା ଅଧିନରେ ମୁଖ୍ୟତଃ ପଶୁପାଳନ, ମାଂସ, ମାଛ ଓ ହସ୍ତଶିଳ୍ପ ପରି କୃଷି ଉତ୍ପାଦକୁ ସାମିଲ କରାଯାଇଛି । ଏହି ଉତ୍ପାଦକୁ ସାଧାରଣତଃ ବିକାସଶୀଳ ଦେଶର ଉତ୍ପାଦ ଭାବେ ଦେଖାଯାଇଥାଏ । ଆମେରିକା ଓ ବ୍ରିଟେନ୍ ସହିତ ୟୁରୋପିଆନ୍ ୟୁନିଅନ୍ ମଧ୍ୟ ବିକାସଶୀଳ ଦେଶରୁ ଜିଏସ୍ପି ଅଧିନରେ କିଛି ସାମଗ୍ରୀର ଆମଦାନୀ କରିଥାନ୍ତି । ୟୁଏସ୍ ଟ୍ରେଡ଼୍ ରିପ୍ରେଜେଣ୍ଟେଟିଭ୍ ଅପିସ୍ ଅନୁସାରେ ଜିଏସ୍ପିର ଉଦେଶ୍ୟ ବିକାସଶୀଳ ଦେଶକୁ ନିଜର ରପ୍ତାନୀ ବୃଦ୍ଧି କରିବାରେ ସାହାଯ୍ୟ କରିବା । ଯଦ୍ୱାରା ସେମାନଙ୍କ ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧି ହୋଇପାରିବ । ଏଥିସହ ଦାରିଦ୍ର୍ୟ ଦୂରିକରଣରେ ସାହାଯ୍ୟ ମିଳିବ । ଜିଏସ୍ପି ଅଧିନରେ କେମିକାଲ୍ସ ଓ ଇଞ୍ଜିନିୟରିଂ ପରି ସେକ୍ଟରର ପାଖାପାଖି ୧୯୦୦ଭାରତୀୟ ଉତ୍ପାଦକୁ ଆମେରିକା ବଜାରରେ ଶୁଳ୍କ ମୁକ୍ତ କରାଯାଇଛି । ଆମେରିକା ଦ୍ୱାରା ଜିଏସ୍ପି ଅଧିନରେ ଲାଭ ବନ୍ଦ କରାଯିବା ଭାରତ ପାଇଁ ନିଶ୍ଚିତ ଭାବେ ଏକ ଝଟ୍କା ସଦୃଶ୍ୟ । ତେବେ ଏହା ଦ୍ୱାରା ଭାରତକୁ ବିଶେଷ କ୍ଷତି ହେବ ନାହିଁ ବୋଲି ବାଣିଜ୍ୟ ସଚିବ ଅନୁପ ୱାଧବନ ଉଲ୍ଲେଖ କରିଛନ୍ତି । ସେ ମଙ୍ଗଳବାର କହିଛନ୍ତି ଯେ ଜିଏସ୍ପି ମାନ୍ୟତା ପ୍ରତ୍ୟାହୃତର କୌଣସି ପ୍ରଭାବ ଭାରତ ଉପରେ ପଡ଼ିବନି, କାହିଁକି ନା ଏହାର ଲାଭ ସେତେ ଅଧିକ ନଥିଲା । ଭାରତ ଜିଏସ୍ପି ଅଧିନରେ ୫.୬ଅରବ ଡଲାର (ପାଖାପାଖି ୩୯,୬୪୫କୋଟି ଟଙ୍କା) ମୂଲ୍ୟର ସାମଗ୍ରୀ ଆମେରିକାକୁ ରପ୍ତାନୀ କରିଥାଏ । ଏହା ଦ୍ୱାରା ଭାରତକୁ ବାର୍ଷିକ ୧୯କୋଟି ଡଲାର (ପାଖାପାଖି ୧,୩୪୫ କୋଟି ଟଙ୍କା)ର ଶୁଳ୍କ ଲାଭ ମିଳିଥାଏ । ଭାରତ ମୁଖ୍ୟତଃ କଞ୍ଚା ମାଲ୍ ଓ ଅର୍ଗାନିକ୍ କେମିକାଲ୍ସ ପରି ସାମଗ୍ରୀ ଆମେରିକାକୁ ରପ୍ତାନୀ କରିଥାଏ । ଭାରତ ୨୦୧୭-୧୮ରେ ଆମେରିକାକୁ ୪୮ଅରବ ଡଲାର (୩,୩୯,୮୧୧କୋଟି ଟଙ୍କା) ମୂଲ୍ୟର ଉତ୍ପାଦ ରପ୍ତାନୀ କରିଥିଲେ । ଏଥିରୁ କେବଳ ୫.୬ଅରବ ଡଲାର ତଥା ପାଖାପାଖି ୩୯,୬୪୫କୋଟି ଟଙ୍କାର ରପ୍ତାନୀ ଜିଏସ୍ପି ରୁଟ୍ ଜରିଆରେ ହୋଇଛି । ଏହି ଆକଳନ ଅନୁସାରେ ଭର୍ତକୁ ବିଶେଷ କ୍ଷତି ହେବ ନାହିଁ । ପ୍ରକାଶ ଯେ ଡୋନାଲ୍ଡ ଟ୍ରମ୍ପ ବ୍ୟବସାୟିକ କ୍ଷତି କମାଇବା ପାଇଁ ଅତ୍ୟନ୍ତ ଆକ୍ରମକ ଅଛନ୍ତି । ପ୍ରକାଶ ଯେ ଭାରତ ଆମେରିକା ସହିତ ଟ୍ରେଡ଼୍ ସରପ୍ଲସ୍କାରୀ ୧୧ତମ ସର୍ବବୃହତ୍ତ ଦେଶ । ଅର୍ଥାତ୍ ଭାରତ ଆମେରିକାକୁ ରପ୍ତାନୀ ସେଠାରୁ ହେଉଥିବା ଆମଦାନୀ ଅପେକ୍ଷା ଯଥେଷ୍ଟ ଅଧିକ । ୨୦୧୭-୧୮ରେ ଭାରତର ଆମେରିକା ପ୍ରତି ବାର୍ଷିକ ଟ୍ରେଡ଼୍ ସରପ୍ଲସ ୨୧ଅରବ ଡଲାର (ପାଖାପାଖି ୧,୪୮,୬୬୭କୋଟି ଟଙ୍କା) ଥିଲା ।


