ଆମେ ଓ ଆମ ପରିବେଶର ପଶୁପକ୍ଷୀ
ବିପିନ ବିହାରୀ ମହାନ୍ତି
ବିଶ୍ୱର ଜନସଂଖ୍ୟା ବୃଦ୍ଧି ସନ୍ତୁଳିତ ପୃଥିବୀକୁ ଅସନ୍ତୁଳିତ କରିବା ଓ ବିଶ୍ୱ ପ୍ରଦୂଷଣ ବଢ଼ାଇବାର ମୁଖ୍ୟ କାରଣ । ଜନସଂଖ୍ୟା ଚାପ କାରଣରୁ ବିଶ୍ୱର ଖାଦ୍ୟ, ବାସସ୍ଥାନ, ଶିକ୍ଷା, ସ୍ୱାସ୍ଥ୍ୟ, କର୍ମ ସଂସ୍ଥାନ, ପରିବହନ, ଯୋଗାଯୋଗ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସମସ୍ୟା ସୃଷ୍ଟି ହେବା ସହିତ ବିଭିନ୍ନ ପ୍ରତିଯୋଗୀତାମୂଳକ କାରଣରୁ ସନ୍ଦେହ ଓ ଅହଂକାର ହେତୁ ବିଶ୍ୱ ଏବେ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ଆଗେଇ ଚାଲିଛି । ଏହି ପରିପ୍ରେକ୍ଷୀରେ ମଣିଷ ଯେ ଖାଲି ଏକା ଶିକାର ହେଉଛି ବା ହେବ, ତାହା ନୁହେଁ ଏ ପ୍ରକୃତି ବା ପରିବେଶ ମଧ୍ୟରେ ବସବାସ କରୁଥିବା ସମସ୍ତ ଜୀବକୁଳ ଯଥା ଉଦ୍ଭିଦ ଓ ପଶୁପକ୍ଷୀ ତାର ଶୀକାର ହେଉଛନ୍ତି ଏବଂ ହେବେ । କହିବା ବାହୁଲ୍ୟ ଯେ ସୃଷ୍ଟିର ଆରମ୍ଭରୁ ଏ ଧରିତ୍ରୀରେ କେବଳ ମଣିଷର ସଂଖ୍ୟା ସବୁଠୁ କମ୍ ଥିଲା । ଏ ପରିବେଶ ଉଦ୍ଭିଦ ଓ ପଶୁପକ୍ଷୀ ଦ୍ୱାରା ଭରପୁର ଥିଲା । ଏହିପରି ପରିବେଶ ମଧ୍ୟରେ ଅନ୍ୟାନ୍ୟ ପ୍ରାଣୀମାନଙ୍କ ମଧ୍ୟରେ ମଣିଷ ଥିଲା ଗୋଟିଏ ପଶୁ ।
ସମୟକ୍ରମେ ଭୌଗୋଳିକ ବା ଜଳବାୟୁ ପରିବର୍ତନ କାରଣରୁ ଅନେକ ଜୀବ ଏ ପୃଥିବୀରୁ ନିଶ୍ଚିହ୍ନ ହୋଇଗଲେଣି । ଜନସଂଖ୍ୟାର ଆବଶ୍ୟକତାକୁ ମେଂଟାଇବାକୁ ଯାଇ ପରିବେଶର ଅନେକ ଜଙ୍ଗଲ ଧ୍ୱଂସ ହୋଇଗଲାଣି, ପଶୁପକ୍ଷୀମାନେ ବାସସ୍ଥାନ ଅଭାବରୁ ଏବଂ ମଣିଷର ଶୀକାର ହେତୁ ଲୋପ ହୋଇଗଲେଣି ଏବଂ ଅନେକ କିଛି ବିଲୁପ୍ତ ପ୍ରାୟ । ଏ ସବୁଥି ପାଇଁ ମଣିଷ ଦାୟୀ । ତାର କିରିତ କର୍ମ ପାଇଁ ଏ ପୃଥିବୀ ଓ ତା’ର ଅନ୍ତେଃବାସୀ ଏବେ ଧ୍ୱଂସ ବା ବିଲୁପ୍ତ ମୁଖୀ । ପ୍ରତିଟି ସଜୀବ ଓ ନିର୍ଜୀବ ବିଶେଷ ଏ ପ୍ରକୃତି ଓ ପରିବେଶରେ ଗୋଟିଏ ଗୋଟିଏ ଅମୂଲ୍ୟ ଅଂଶ । ନିର୍ଜୀବଟିର ଯେମିତି ତିଷ୍ଠିବାର ଅଧିକାର ଅଛି ସେମିତି ପ୍ରତିଟି ଜୀବବିଶେଷଙ୍କର ବଂଚିବାର ଅଧିକାର ଅଛି । ଏ ସୁନ୍ଦର ବିଶ୍ୱର ପ୍ରତ୍ୟେକ ଗୋଟିଏ ଗୋଟିଏ ବିଚିତ୍ର ଏବଂ ସୌନ୍ଦର୍ଯ୍ୟ ସୃଷ୍ଟି । ପୃଥିବୀ ତା’ର ପ୍ରାକୃତିକ ନିୟମଚୟରେ ଏସବୁର ସନ୍ତୁଳନ ରଖିଥିଲା ଅଥଚ ଆମେ କରୁଛୁ କ’ଣ ? ମଣିଷ ସ୍ୱାର୍ଥ ପାଇଁ କରୁଛି କ’ଣ ? ସ୍ୱାର୍ଥ ହିଁ ସବୁ ଅନର୍ଥର କାରଣ । ଏକଥା ସେ ବୁଝିବା ଉଚିତ୍ । ବିବେକ ଲଗାଇ ବିଚାର କରିବା ଉଚିତ୍ ଯେ ତା ପାଇଁ କ’ଣ କରଣୀୟ ବା କଣ ବର୍ଜନୀୟ ।
ସଂକ୍ଷେପରେ ଏନେଇ ଏତିିକି କୁହାଯାଇପାରେ ଯେ ମଣିଷ ନିଜକୁ ବଂଚାଇଲା ପରି ସେ ତା’ ପରିବେଶରେ ଥିବା ସମସ୍ତ ଜୀବ, ବିଶେଷ କରି ଜଙ୍ଗଲ ଓ ପଶୁପକ୍ଷୀଙ୍କ ପ୍ରତି ଧ୍ୟାନ ଦେବା ଉଚିତ୍ । ଧାର୍ମିକ ମତରେ ବୃକ୍ଷଛେଦନ ଓ ଜୀବହତ୍ୟା ମହାପାପ । ସେମିତି ବୃକ୍ଷରୋପଣ ଓ ପଶୁପକ୍ଷୀଙ୍କୁ ଆଶ୍ରୟ ପ୍ରଦାନ ମହାପୁଣ୍ୟ । ବୈଜ୍ଞାନିକ ମତରେ ପରିବେଶ ସନ୍ତୁଳନ ଓ ଜୀବର ସୁରକ୍ଷା ନିମନ୍ତେ ଏସବୁର ସଂରକ୍ଷଣର ଆବଶ୍ୟକତା ଅଛି । ପୃଥିବୀର ଏମିତି ସୃଷ୍ଟି ନାହିଁ ଯାହାର ମଣିଷ ବା ଆଉ କାହା ପ୍ରତି ଆବଶ୍ୟକତା ନାହିଁ । ଏଠି ବିଷଧର ସାପ ବା ମଶାଟିର ବି ଗୁରୁତ୍ୱ ଅଛି । କୌଣସି ସୃଷ୍ଟି ଅପକାର ବା ଉପକାର ରହିତ ନୁହଁନ୍ତି । ସମସ୍ତେ ବ୍ୟବହାରକୁ ନେଇ ଫଳାଫଳ ଦିଅନ୍ତି ।
ଜୀବେ ଦୟା ଧର୍ମ । ପ୍ରତ୍ୟେକ ଧର୍ମଶାସ୍ତ୍ର ଏହା କୁହେ । ସେମାନଙ୍କ ପ୍ରତି କରୁଣା ଓ ସହାନୁଭୂତି ପ୍ରଦର୍ଶନ ଆମର କର୍ତବ୍ୟ । ଆମଠୁ ସେମାନେ ବଂଚିବାର ଅଧିକାର ଦାବି କରନ୍ତି । ଖାଦ୍ୟ ଶୃଙ୍ଖଳରେ କିଏ କାହାର ଖାଦ୍ୟ ହେଲେ ହେଁ, ସମସ୍ତେ ଆମ ଦ୍ୱାରା ଲାଳିତ ଓ ପାଳିତ ହେବାର ଅଛି; ତାଙ୍କ ବଂଶ ବଢ଼ାଇବାର ସହଯୋଗ କରିବାର ଅଛି । ଆମ ପରି ଏ ପରିବେଶରେ ପଶୁପକ୍ଷୀମାନେ ବଂଚନ୍ତୁ । ଏହି କଥା ସୂଚାଇ ଦେବା ଏବଂ ଏହାର ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ୪ ଅକ୍ଟୋବରକୁ ବିଶ୍ୱ ପଶୁପକ୍ଷୀ ଦିବସ ରୂପେ ପାଳନ କରାଯାଏ । ଏହି ଦିବସଟି ପ୍ରଥମେ ୧୯୩୧ ମସିହାରେ ପରିବେଶ ବିଜ୍ଞାନୀମାନେ ଏକ ବୈଠକରେ ଆରମ୍ଭ କରିଥିଲେ । ଏହି ଦିବସରେ ବିଶ୍ୱବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆରମ୍ଭ କରାଯାଏ । ଆର୍ଜେଂଟିନାରେ ଏହି ଦିବସଟି ଏପ୍ରିଲ ମାସ ୨୯ ତାରିଖରେ ପାଳିତ ହୁଏ ।
ପ୍ରକୃତି, ପରିବେଶ ତଥା ଏଥିରେ ବସବାସ କରୁଥିବା ଜୀବଜନ୍ତୁଙ୍କ ଜଣେ ଅନନ୍ୟ ପୂଜାରୀ ଫ୍ରାନ୍ସିସ୍ ଅଫ୍ ଆସିସିଙ୍କ ସ୍ମୃତି ଉପଲକ୍ଷେ ଅନୁଷ୍ଠିତ ଉତ୍ସବକୁ ବିଶ୍ୱ ପଶୁଦିବସ ରୂପେ ପାଳନ କରାଯାଉଅଛି । ଏହିଦିନର ନିକଟତମ ରବିବାରରେ ବିଶ୍ୱରେ ଥିବା ସମସ୍ତ ଗୀର୍ଜାରେ ପଶୁପକ୍ଷୀଙ୍କ ଉଦ୍ଦେଶ୍ୟରେ ସମୂହ ପ୍ରାର୍ଥନା ସଭା ଆୟୋଜିତ ହୋଇଥାଏ । ଫ୍ରାନ୍ସିସ୍ ଖ୍ରୀଷ୍ଟିଆନ୍ ଥିବାରୁ ଏହା ଚାଲିଥିଲା । ଏବେ ଏହା ଆଉ ଖ୍ରୀଷ୍ଟିଆନ୍ ଉତ୍ସବ ନହୋଇ ଜାତିଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହାକୁ ପାଳନ କରନ୍ତି । ଏଥିପାଇଁ ୱାଇଲ୍ଡ ଲାଇଫ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ତରଫରୁ ବିଭିନ୍ନ ସ୍କୁଲ କଲେଜ ଓ ଅନ୍ୟାନ୍ୟ ସ୍ଥାନରେ ସଚେତନଧର୍ମୀ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଥାଏ । ଏତଦ୍ବ୍ୟତୀତ ବିଭିନ୍ନ ବଦାନ୍ୟ ବ୍ୟକ୍ତିବିଶେଷ କିମ୍ବା କର୍ମୀମାନେ ଆନିମଲ ଚାରିଟି ବା ବଦାନ୍ୟ ପଶୁ ଅନୁଷ୍ଠାନ ଯେମିତି ଗୋଶାଳା ଇତ୍ୟାଦିଙ୍କୁ ସ୍ୱଇଚ୍ଛାରେ ଅର୍ଥ ଦାନ କରିଥାନ୍ତି । ଅନେକ କୌଣସି ଏକ ଗୃହପାଳିତ ପଶୁର ପୃଷ୍ଠପୋଷକତା ପାଇଁ ଶପଥ ନେଇଥାନ୍ତି ଓ କାର୍ଯ୍ୟରେ ପରିଣତ କରିଥାନ୍ତି । ଅନ୍ୟ କେହି ଆମିଷ ଭୋଜନ ପରିତ୍ୟାଗ କରିଥାନ୍ତି । ଆସନ୍ତୁ ବିଶ୍ୱ ପଶୁପକ୍ଷୀଙ୍କ ମଙ୍ଗଳାର୍ଥେ ଆମେ ବି କିଛି କରିବା ।
ଅଧ୍ୟକ୍ଷ,
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ