ଆମ୍ବୁଲାନସ୍ ଧକ୍କାରେ ,୨ ବାଇକ ଆରୋହୀ ଗୁରୁତର
ନାଉଗାଁ,(ଯୁଗାବ୍ଦ ନ୍ୟୁଜ ) :ନାଉଗାଁ ଥାନା ଅନ୍ତର୍ଗତ କୋକିଡିହ – ତେଲସରା ରାସ୍ତାର ନରଣପୁର ଛକ ନିକଟରେ ଏକ ବାଇକକୁ ଆମ୍ବୁଲାନସ ଧକ୍କା ଦେବାରୁ ୨ ବାଇକ ଆରୋହୀ ଗୁରୁତର ଅବସ୍ଥାରେ ଡାକ୍ତରଖାନା ଯାଇଥିବା ଜଣାଯାଇଛି । ଖବର ନେବାରୁ ଜଣାଯାଇଛି ଯେ ଇଣ୍ଡିଆନ ଅଏଲ ପାରାଦ୍ୱିପ ରିଫାଇନର ତରଫରୁ ଏକ ଭ୍ରାମ୍ୟମାଣ ଚିକିତ୍ସା ସେବା ଆମ୍ବୁଲାନସ ନଂ ଓଡି ୦୨ ଏଆର ୩୧୦୯ ଏହି ରାସ୍ତା ଦେଇ ଆସୁଥିବା ସମୟରେ ଓଡପଏଙ୍ଗା ଗ୍ରାମରୁ ବିଭୁତେନ୍ଦୁ ଦାସ ଓ ଇନ୍ଦ୍ରଜିତ ଦାସ ତାଙ୍କ ବନ୍ଧୁ ଘର ଗୋଠଦା ଇଛାପୁରକୁ ଯାଉଥିଲେ । ନରଣପୁର ଛକ ନିକଟରେ ଆମ୍ବୁଲାନସଟି ଭାରାସାମ୍ୟ ହରାଇ ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକରେ ଥିବା ୨ଜଣ ଛିଟିକି ପଡିଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୂବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି । ଖବର ପାଇ ନାଉଗାଁ ପୋଲିସ ଆମ୍ବୁଲାନସଟି ନାଉଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜବତ କରିଥିବା ବେଳେ ଆମ୍ବୁଲାନସରେ ଥିବା ଫାର୍ମାସିଷ୍ଟକୁ ଥାନାରେ ଅଟକ ରଖାଯାଇଥିବା ଥାନାଧିକାରି ପ୍ରଜ୍ଞା ରିତାମ୍ବର କର ପ୍ରକାଶ କରିଛନ୍ତି ।


