‘ଆରୋଗ୍ୟ ସେତୁ’ କେନ୍ଦ୍ର ସରକାରଙ୍କ ନୂଆ କୋରୋନା ଟ୍ରାକର୍ ଆପ୍
ନୂଆଦିଲ୍ଲୀ: କୋରୋନା ଭୂତାଣୁର ବ୍ୟାପକତା ସମ୍ପର୍କରେ ଜାଣିବା ସକାଶେ ପ୍ରତି ମୁହୂର୍ତ୍ତରେ ଦେଶର ଜନସାଧାରଣଙ୍କ ମଧ୍ୟରେ ଉତ୍କଣ୍ଠା ରହିଥିବା ବେଳେ ସେମାନଙ୍କୁ ତ୍ବରିତ ସୂଚନା ଦେବା ସକାଶେ କେନ୍ଦ୍ର ସରକାର ଗୁରୁବାର ଏକ ନୂଆ ଆପ୍ ଲଞ୍ଚ୍ କରିଛନ୍ତି। ଏହି କୋରୋନା ଟ୍ରାକର୍ ଆପ୍ର ନାମ ରହିଛି ‘ଆରୋଗ୍ୟ ସେତୁ’। ଏହି ଆପ୍ କୌଣସି ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଲୋକେସନ୍ ଡାଟା ଓ ବ୍ଲୁଟୁଥ୍ର ଉପଯୋଗ ପୂର୍ବକ ତାଙ୍କ ଆଖପାଖରେ କେହି କୋରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତି ଅଛନ୍ତି କି ନାହିଁ, ସେଥିନେଇ ସୂଚନା ଦେଇପାରିବ। ଫୋନ୍ର ଲୋକେସନ୍ ଡାଟା ଆଖପାଖରେ ଥିବା କୋରୋନା ସଂକ୍ରମିତଙ୍କ ସଠିକ୍ ଲୋକେସନ୍ ଠାବ କରିପାରିବ। ସେହିପରି ବ୍ଲୁଟୁଥ୍ କନେକ୍ସନ୍ ଉକ୍ତ ସଂକ୍ରମିତଙ୍କଠାରୁ ୬ ଫୁଟ୍ ଦୂରତାରେ ଉକ୍ତ ଆପ୍ ବ୍ୟବହାରକାରୀ ଅଛନ୍ତି କି ନାହିଁ, ତାହା ଜଣାଇଦେବ। ଏହାକୁ ଭିତ୍ତି କରି ଏହି ନୂଆ ଆପ୍ ଆପଣ ହାଇ ରିସ୍କ ଜୋନ୍ରେ ଅଛନ୍ତି କି ନାହିଁ, ସେଥିନେଇ ତ୍ବରିତ ସୂଚନା ଦେଇପାରିବ। ଯଦି ଆପଣ ହାଇ ରିସ୍କ ଅଞ୍ଚଳରେ ଅଛନ୍ତି, ତା’ହେଲେ ଆପ୍ ଆପଣଙ୍କୁ ତୁରନ୍ତ ନିଜର ପରୀକ୍ଷା କରାଇନେବାକୁ ପରାମର୍ଶ ଦେବ। ଅଧିକନ୍ତୁ ଉକ୍ତ ଆପ୍ ତୁରନ୍ତ ୧୦୭୫ ଟୋଲ୍ ଫ୍ରି ନମ୍ବରକୁ ଯୋଗାଯୋଗ ପୂର୍ବକ ନିକଟସ୍ଥ ଟେଷ୍ଟିଂ ସେଣ୍ଟର୍ରେ ଏକ ଆପଏଣ୍ଟ୍ମେଣ୍ଟ୍ ମଧ୍ୟ ସ୍ଥିର କରିଦେବ।
ସେହିପରି ‘ଆରୋଗ୍ୟ ସେତୁ’ ଆପ୍ କୋରୋନା ଭୂତାଣୁ କବଳରୁ କିପରି ନିଜକୁ ରକ୍ଷା କରାଯାଇପାରିବ, ସେଥିନେଇ ମଧ୍ୟ ସବିଶେଷ ପରାମର୍ଶ ଦେଇପାରିବ। ଯଦି ଆପଣଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ତାହା କୋରୋନା ପଜିଟିଭ୍ ବାହାରିବ, ତା’ହେଲେ ଆପ୍ ମାଧ୍ୟମରେ ଆପଣଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସରକାରଙ୍କ ସହ ଶେୟାର୍ ହୋଇଯିବ। ଏପରିକି ଆପଣ କୌଣସି କୋରୋନା ଭୂତାଣୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବେ, ତା’ହେଲେ ଆପ୍ ମାଧ୍ୟମରେ ସରକାରଙ୍କ ନିକଟରେ ସୂଚନା ପହଞ୍ଚିଯିବ। କିନ୍ତୁ ଏହି ଆପ୍ର ପ୍ରାଇଭେସି ପଲିସି କାରଣରୁ କୋରୋନା ସମ୍ପର୍କିତ କୌଣସି ତଥ୍ୟ କୁ ଥାର୍ଡ ପାର୍ଟି ୟୁଜର୍ ସହ ଶେୟାର୍ କରାଯାଇପାରିବ ନାହିଁ। ଏହାଛଡ଼ା କୋରୋନା ଭୂତାଣୁ ସମ୍ପର୍କରେ ଆପଣ କିଛି ବି ଜାଣିବାକୁ ଚାହୁଁଥିଲେ, ଚାଟ୍ ମାଧ୍ୟମରେ ଏହି ଆପ୍ରୁ ନିଜ ପ୍ରଶ୍ନର ଉତ୍ତର ପାଇପାରିବେ। ତା’ଛଡ଼ା ଏଥିରେ ପ୍ରତିଟି ରାଜ୍ୟର କୋରୋନା ହେଲ୍ପଲାଇନ୍ ନମ୍ବର ମଧ୍ୟ ଉପଲବ୍ଧ ରହିଛି। ଏହି ଆପ୍କୁ ଗୁଗଲ୍ ପ୍ଲେ ଷ୍ଟୋର୍ରୁ ଡାଉନ୍ଲୋଡ୍ କରାଯାଇପାରିବ। ସୂଚନାଯୋଗ୍ୟ ଯେ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ମାଇଗଭ୍’ ଆପ୍ ମାଧ୍ୟମରେ କେହି ବି କୋରୋନା ସମ୍ପର୍କରେ କିଛି ବି ସୂଚନା ପାଇପାରୁଥିଲେ।