ଆର୍ଯ୍ୟସମାଜ ଏକ ସଂସ୍କାରବାଦୀ ଆନ୍ଦୋଳନ : ସ୍ୱାମୀ ଆର୍ଯ୍ୟବେଶ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭାରତବର୍ଷରେ ଆର୍ଯ୍ୟସମାଜ ଏକ ସଂସ୍କାରବାଦୀ ଆନ୍ଦୋଳନ ବୋଲି ଆଜି ବୁଦ୍ଧମନ୍ଦିରଠାରେ ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ଆୟୋଜିତ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ବିଶିଷ୍ଟ ଆର୍ଯ୍ୟସନ୍ନ୍ୟାସୀ ତଥା ବିଶ୍ୱ ଆର୍ଯ୍ୟସମାଜର ସଭାପତି ସ୍ୱାମୀ ଆର୍ଯ୍ୟବେଶ କହିଛନ୍ତି । ଆର୍ଯ୍ୟସମାଜ, ଓଡ଼ିଶାର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସ୍ୱାମିଜୀ ଆହୁରି କହିଲେ ଯେ, ଆଜକୁ ୧୪୭ବର୍ଷ ତଳେ ମହର୍ଷି ଦୟାନନ୍ଦ ଧର୍ମ ନାମରେ ଯେଉଁ ଅଧର୍ମ ଚାଲିଥିଲା, ତା ବିରୁଦ୍ଧରେ ଯେଭଳି ଧାର୍ମିକ ଜାଗରଣ ସୃଷ୍ଟି କଲେ ତାହା ଭାରତର ଅଗଣିତ ଜନସାଧାରଣଙ୍କ ମନକୁ ଛୁଇଁ ପାରିଥିଲା । ଆମ ଧର୍ମ ଯେ କେତେ ମହାନ୍‌, ସେ ବିଷୟରେ ସେ ସାଧାରଣ ଜନତାଙ୍କୁ ବୁଝାଇବା ପାଇଁ ଚାରିବେଦକୁ ସରଳ ଭାବେ ବାଖ୍ୟା କଲେ ଓ ସମାଜରେ ଥିବା ଜାତିପ୍ରଥା ବିରୁଦ୍ଧରେ ଏକ ସାମାଜିକ ଆନ୍ଦୋଳନର ସୂତ୍ରପାତ କରିଥିଲେ । ଆଜକୁ ୧୪୦ ବର୍ଷ ତଳେ ମା, ତଥା ସ୍ତ୍ରୀମାନଙ୍କ ଅଧିକାର ପାଇଁ ଲଢେଇ କରିବାକୁ ସ୍ୱାମିଜୀ ଆହ୍ୱାନ ଦେଇଥିଲେ ବୋଲି ସ୍ୱାମୀ ଆର୍ଯ୍ୟବେଶ କହିଥିଲେ । ଏହି ଅବସରରେ ରୋଟାରୀ ୩୨୬୨ ଜିଲ୍ଲାର ଗଭର୍ଣ୍ଣର, ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ଶାନ୍ତନୁ କୁମାର ପାଣି ଓ ସମାଜସେବୀ ଦିଲ୍ଲିପ ପାତ୍ରଙ୍କୁ ସ୍ୱାମିଜୀ ଉତ୍ତରୀୟ ଓ ଇଂରାଜୀ ସତ୍ୟାର୍ଥ ପ୍ରକାଶ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ପାଣି କହିଲେ ଯେ, ମହର୍ଷି ୧୪୮ ବର୍ଷ ତଳେ ଯେଉଁ ଆନ୍ଦୋଳନ ଆରମ୍ଭ କରିଥିଲେ ଆଜି ମଧ୍ୟ ତାର ଆବଶ୍ୟକତା ଅଛି । ବିଶିଷ୍ଟ ଅତିଥି ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ଓ ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲର ନିର୍ବାଚିତ ସଭାପତି ଡଃ ସୌରେନ୍ଦ୍ର କୁମାର ମହାପାତ୍ର ଭଗବାନ ବୁଦ୍ଧଙ୍କ ବାର୍ତ୍ତା ଥିଲା ପ୍ରେମ ଓ କରୁଣା ତାହା ମଧ୍ୟ ବେଦର ମର୍ମବାଣୀ ବୋଲି କହିବା ସହ ଅହିଂସା ମନ୍ତ୍ର ହିଁ ବିଶ୍ୱକୁ ରକ୍ଷା କରିପାରିବ ବୋଲି କହିଥିଲେ । ବିଶିଷ୍ଟ ବୈଦିକ ବିଦ୍ୱାନ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଆଲୋଚନାର ପ୍ରମୁଖ ବକ୍ତା ଭାବରେ କହିଲେ ଯେ, ବେଦର ପ୍ରତ୍ୟେକଟି ମନ୍ତ୍ର ବିଶ୍ୱର କଲ୍ୟାଣ ପାଇଁ ଅଭିପ୍ରେତ । ମଣିଷ ଜନ୍ମ ଦୁର୍ଲଭ ଜନ୍ମ, ଏହାକୁ ଠିକଣା ବାଟରେ ଲଗାଇବା ପାଇଁ ପ୍ରଭୁଙ୍କ ନିର୍ଦ୍ଦେଶକୁ ଆମେ ମାନିଲେ, କେବଳ ନିଜର ଉନ୍ନତି ହେବ ନାହିଁ, ସମାଜ ତଥା ବିଶ୍ୱର ମଙ୍ଗଳ ହେବ । ଶେଷରେ ଶ୍ରୀମତୀ ବିୟୋତପ୍ରଜ୍ଞା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ରୋଟାରିଆନ ନିରଜ କୁମାର ପଣ୍ଡାଙ୍କୁ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ସମ୍ବର୍ଦ୍ଧିତ କରିଥିଲେ । ପରିବ୍ରାଜକ ସ୍ୱାମୀ ପ୍ରଣବାନନ୍ଦ ସରସ୍ୱତୀଙ୍କ ସ୍ମରଣରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମକୁ ସମ୍ପାଦକ ଜ୍ୟୋତି ଶଙ୍କର ମହାନ୍ତି ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ