ଆର୍.ଆର୍.ଟି.ସି ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଆଠ ଦିନିଆ ୱେବିନାର
ଭୂବନେଶ୍ୱର, (ୱାଇଏନ୍ଏସ୍):ଆଜି ଏନ୍.ଆର୍.ସି.ଡବ୍ଲ୍ୟୁ.ଡି ଦ୍ୱାରା ପରିଚାଳିତ ଆର୍.ଆର୍.ଟି.ସି ତରଫରୁ ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରାଳୟ,ଭାରତ ସରକାରଙ୍କ ସହଯୋଗରେ ଭୂବନେଶ୍ୱରସ୍ଥ ଆର୍.ଆର୍.ଟି.ସି ସଭାଗୃହରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ପଦ୍ମଶ୍ରୀ ଡକ୍ଟର ପ୍ରଫୁଲ୍ଲ କୁମାର ଜେନା ଓ ଡକ୍ଟର ସେବା ମହାପାତ୍ରଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଗୁଗୁଲ୍ ମିଟ୍ ଜରିଆରେ ଆଠଦିନିଆ ୱେବିନାର୍ ଶୁଭ ଉଦ୍ଘାଟିତ ହୋଇଯାଇଛି । ଉକ୍ତ ୱେବିନାର୍ରେ ଅନ୍ୟୁନ ୪୦ରୁ ୫୦ ଲୋକ ଯଥା ବ୍ୟୟୋଜ୍ୟେଷ୍ଠ ବ୍ୟକ୍ତି, ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତା, ବରିଷ୍ଠ ନାଗରିକ ବାସସ୍ଥାନର ଅନ୍ତେବାସୀଗଣ, ସାମାଜିକ କର୍ମୀ, ଗଣମାଧ୍ୟମ ପ୍ରତିନିଧିବୃନ୍ଦ, ସରକାରୀ କର୍ମଚାରୀ ବୃନ୍ଦ, ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ । ଆୟୋଜିତ ହୋଇଥିବା ଏହି ୱେବିନାର୍ରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡଃ ପ୍ରଫୁଲ୍ଲ କୁମାର ଜେନା ଯୋଗଦାନ କରିଥିବା ବେଳେ ଡକ୍ଟର ସେବା ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଡକ୍ଟର ଜେନା କହିଲେ ଯେ, ସେ ୯୦ ବର୍ଷରେ ପହଂଚିଥିଲେ ମଧ୍ୟ ଏବେ ବୈଦିକ ଓ ଦୈନିକ କାର୍ଯ୍ୟକ୍ରମରେ ନିଜର ଅଭ୍ୟାସ ଅବ୍ୟାହତ ରଖିଛନ୍ତି । ଏତଦ୍ ବ୍ୟତୀତ ସେ ଗୁରୁତ୍ୱର ସହ କହିଥିଲେ ଯେ, ବରିଷ୍ଠ ନାଗରିକଙ୍କର ଅଭିଜ୍ଞତାକୁ ପାଥେୟ କରି ସାମାଜିକ ସେବା, ଜ୍ଞାନକୌଶଳର ବିକାଶ, ସ୍ୱାସ୍ଥ୍ୟସେବା, ଶିକ୍ଷାପ୍ରଦାନ,ବୃକ୍ଷରୋପଣ ଆଦି କାର୍ଯ୍ୟରେ ନିୟୋଜିତ କରାଯିବା ଉତିତ୍ । ୬୦ବର୍ଷରେ ଅବସର ଗ୍ରହଣ କଲେ ମଧ୍ୟ ବହୁ ବରିଷ୍ଠ କର୍ମଚାରୀ ଆଗକୁ କାମ କରିବାର ଦକ୍ଷତା ଥିବାଯୋଗୁଁ ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ଉଚିତ୍ । ଠିକ୍ ସେହିପରି ଡକ୍ଟର ମହାପାତ୍ର ଅବଗତ କରାଇଥିଲେ ଯେ, ସମଗ୍ର ବିଶ୍ୱରେ ୨୦୫୦ମସିହା ସୁଦ୍ଧା ବରିଷ୍ଠନାଗରିକଙ୍କ ସଂଖ୍ୟା ୧୫୦କୋଟିରେ ପହଂଚିବ । ଏପରି ଆକଳନରୁ ଜଣାଯାଉଛି ଯେ, ୨୦୫୦ମସିହା ବେଳକୁ ବରିଷ୍ଠନାଗରିକଙ୍କ ସଂଖ୍ୟା ଭାରତବର୍ଷରେ ମୋଟ୍ ଜନସଂଖ୍ୟାର ଶତକଡା ୨୦ପ୍ରତିଶତ ବୃଦ୍ଧି ପାଇବ । ଏହାଛଡା କୋଭିଡ୍ ମହାମାରୀ ସମୟରେ ବରିଷ୍ଠ ନାଗରିକମାନଙ୍କର ଯଥେଷ୍ଟ ସ୍ୱାସ୍ଥ୍ୟର ଯତ୍ନର ଆବଶ୍ୟକତା ରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରାଳୟର ଅତିରିକ୍ତ ସଚିବ ଶ୍ରୀମତୀ ଉପମା ଶ୍ରୀବାସ୍ତବ ସମ୍ମାନୀତ ଅତିଥିଭାବେ ଯୋଗ ହେବାର କାର୍ଯ୍ୟକ୍ରମ ଥିଲା ମାତ୍ର କିଛି ଯାନ୍ତ୍ରିକ ତୃଟି ଯୋଗୁଁ ସେ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇ ପାରି ନ ଥିଲେ କିନ୍ତୁ ଆସନ୍ତା କାଲିର କାର୍ଯ୍ୟକ୍ରମରେ ସେ ଯୋଗ ଦେବେ ବୋଲି ନିର୍ଭର ପରତିଶୃତି ଦେଇଛନ୍ତି । ଏହି ୱେବିନାର୍ ଦୀର୍ଘ ଆଠ ଦିନ ଧରି ପ୍ରତ୍ୟହ ପୂର୍ବାହ୍ନ ୧୧ଟାରୁ ଦିବା ୧ଘଟିକା ପର୍ଯ୍ୟନ୍ତ ଗୁଗୁଲ୍ ମିଟ୍ ଜରିଆରେ ବରିଷ୍ଠ ନାଗରିକଙ୍କ ବିଭିନ୍ନ ମୁଦ୍ଦାକୁ ନେଇ ଅଭିଜ୍ଞ ରିସୋର୍ସ ପର୍ସନମାନଙ୍କ ଦ୍ୱାରା ଆଲୋଚନା କରାଯିବ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଶ୍ରୀଯୁକ୍ତ ନାଗେଶ୍ୱର ପଟ୍ଟନାୟକ ସଂଚାଳନ କରିଥିଲେ ଓ ଆଶା ପ୍ରକାଶ କରି କହିଥିଲେ ଯେ, ଭାରତ ସରକାର ଆଣୁଥିବା ନୂତନ ନାଗରିକ ନୀତି ନିଶ୍ଚୟ ପ୍ରଗତିଶୀଳ ହେବ । ଏହି ୱେବିନାର୍ରେ ଆଲୋଚିତ ହେବାକୁ ଥିବା ବିଷୟବସ୍ତୁ ଗୁଡିକୁ ଆଗାମୀ ସାତ ଦିନରେ ବରିଷ୍ଠ ଆଇନ୍ଜିବୀ ସଂଜିବ୍ ରାଉତ, ସିଦ୍ଧାର୍ଥ ଦାସ, ହେଲପ୍ ଏଜ୍ ଇଣ୍ଡିଆର ରାଜ୍ୟ ମୁଖ୍ୟ ଶ୍ରୀମତୀ ଭାରତୀ ଚକ୍ର, ବିଶିଷ୍ଟ ମନୋତତ୍ୱବିଦ୍ ଡକ୍ଟର ପ୍ରକାଶ ରଥ, ଡକ୍ଟର ଅରବିନ୍ଦ ମହାନ୍ତି, ଡକ୍ଟର ହରିଶ୍ ଚୌଧୂରୀ, ଡକ୍ଟର ଅମ୍ରିତ୍ ପଟ୍ଟଯୋଶୀ,ଡକ୍ଟର ବିଶ୍ୱଭୂଷଣ ପ୍ରଧାନ, ଡକ୍ଟର ଅମ୍ଲାନ୍ ମାଇତି, ଡକ୍ଟର ଝରଣା ସ୍ୱାଇଁ, ବରିଷ୍ଠ ରାଜନୀତି ବିଜ୍ଞାନୀ ତଥା ପ୍ରଫେସର୍ ସୂର୍ଯ୍ୟନାରାୟଣ ମିଶ୍ର, ଅବସରପ୍ରାପ୍ତ ଆଇ.ଏ.ଏସ୍ ଅପିସର୍ ଶ୍ରୀ ଯୁଗଳ କିଶୋର ମହାପାତ୍ର ଓ ଶ୍ରୀ ବିବେକ ପଟ୍ଟନାୟକ , ବରିଷ୍ଠ ସମାଜସେବୀ ଇମ୍ରାନ୍ ଅଲ୍ଲୀ ଓ ଶ୍ରୀମତୀ ଗୀତା ପ୍ରହରାଜ ପ୍ରମୁଖ ରିସୋର୍ସ ପର୍ସନ ଭାବେ ଆଲୋଚନାରେ ଅଂଶଗ୍ରହଣ କରି ଅତି ପ୍ରାଞ୍ଜଳ ଭାବେ ବିଷୟଗୁଡିକୁ ଅଂଶଗ୍ରହଣକାରୀଙ୍କ ସମ୍ମୁଖରେ ଉପସ୍ଥାପନ କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି । ଏହି ୱେବିନାର୍ରେ ଅଧିକ ସଂଖ୍ୟାରେ ଭାଗ ନେଇ ୱେବିନାର୍କୁ ସଫଳ କରିବାକୁ ଆୟୋଜକ ଆଶା ପ୍ରକାଶ କରିଛନ୍ତି । ଶେଷରେ ଏନ୍.ଆର୍.ସି ଡବ୍ଲ୍ୟୁ.ଡିର ସମ୍ପାଦକ ଶ୍ରୀଯୁକ୍ତ ସୁକାନ୍ତ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଆର୍.ଆର୍.ଟି.ସିର ପ୍ରକଳ୍ପ ସଂଯୋଜିକା ବାସନ୍ତୀ ବେହେରା ୱେବିନାର୍କୁ ସୁଚାରୁରୂପେ ପରିଚାଳନା କରିଥିଲେ ।


