ଆର.ଟି.ଆଇକୁ ଡରୁଛନ୍ତି କୋଦଳା ଏନ.ଏ.ସି ଅଧିକାରୀ

କୋଦଳା,(ଗୁଲସନ କୁମାର କର): ସରକାର ସୂଚନା ଅଧିକାର ଆଇନ ବଳରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରୁ ତଥ୍ୟ ପାଇବା ପାଇଁ ଆଇନ ପ୍ରଣୟନ କରିଛନ୍ତି । ବିଭିନ୍ନ ଦୁର୍ନୀତିକୁ ଖୁଲାସା କରିବା ପାଇଁ ଏହି ଆଇନ୍ ବହୁ ସହାୟକ ମନେ ହୋଇଥାଏ । ତେବେ କିଛି ଅବ୍ୟବସ୍ଥା ଯୋଗୁଁ ଏହି ଆଇନ୍ ଏବେ ବାଟବଣା ହେଉଥିବା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା କୋଦଳା ଏନ.ଏ.ସି ରେ ଏହି ଆଇନକୁ ମାନୁ ନଥିବା ଦେଖିବାକୁ ମିଳୁଛି । ସୂଚନା ଅନୁସାରେ କୋଦଳା ଏନଏସି ଅନ୍ତର୍ଗତ ବିଭିନ୍ନ ସଂଘରୋଧ ଗୃହ ଗୁଡିକରେ ପ୍ରବାସୀ ମାନଙ୍କ ପାଇଁ କିଭଳି ବ୍ୟବସ୍ଥା ହୋଇଥିଲା ଏବଂ କିଭଳି ଖର୍ଚ୍ଚ କରାଯାଇଥିଲା ସେ ସଂକ୍ରାନ୍ତରେ ସୂଚନା ପାଇବା ପାଇଁ ସ୍ଥାନୀୟ ଟୁନା ପାଢ଼ୀ ନାମକ ଜଣେ ସୂଚନା କର୍ମୀ ସୂଚନା ଅଧିକାର ଆଇନ ବଳରେ ଦରଖାସ୍ତ କରିଥିଲେ । ନିର୍ଧାରିତ ଫର୍ମରେ ଆବେଦନ ପୂର୍ବକ, ପରିଚୟ ପତ୍ର ଓ ଫିସ୍ ବାବଦରେ ଆଇ.ପି.ଓ ରେଜିଷ୍ଟ୍ରେସନ୍ ପୋଷ୍ଟ ଜରିଆରେ କୋଦଳା ଏନ.ଏ.ସି ଜନ ସୂଚନା ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ । ଆବେଦନ ସଂପର୍କୀତ ସମସ୍ତ ଜେରକ୍ସ କପି ରହିଛି । ନିୟମ ଅନୁସାରେ ୧ ମାସ ମଧ୍ୟରେ ଏନେଇ ସୂଚନା ପ୍ରଦାନ କରାଯିବା କଥା ଏବଂ ଏଥିପାଇଁ ଆବଶ୍ୟକ ଦେୟ ଦରଖାସ୍ତକାରୀଙ୍କୁ ବହନ କରିବାକୁ ହୋଇଥାନ୍ତା । କିନ୍ତୁ ଆଶ୍ଚର୍ଯ୍ୟର କଥା ଜନସୂଚନା ଅଧିକାରୀଙ୍କ ଏହି କାର୍ଯ୍ୟରେ ନିର୍ବାହୀ ଅଧିକାରୀ ମୁଣ୍ଡ ପୁରାଇ କିଭଳି ଏହି ଆବେଦନକୁ ଖାରଜ କରାଯାଇ ପାରିବ ସେ ନେଇ ଚିନ୍ତାରେ ଲାଗି ପଡିଲେ ଏବଂ ଆବେଦନକାରୀଙ୍କୁ ଏକ ଚିଠି ମାଧ୍ୟମରେ ଜଣାଇଥିଲେ ଯେ, ଆପଣ ପଠାଇଥିବା ପୋଷ୍ଟ ଲଫାପାରେ ୩ ଟି ଧଳା କାଗଜ ହିଁ ଥିଲା ଅନ୍ୟ କିଛି ନଥିଲା ଏଣୁ ଏହାର ମାନେ କଣ ଜାଣି ପାରିଲୁ ନାହିଁ । ନିର୍ବାହୀ ଅଧିକାରୀଙ୍କ ଏଭଳି ଅନଧିକାର ପ୍ରବେଶ ଦୁର୍ନୀତି ଘୋଡାଇବାକୁ ଉଦ୍ୟମ କରାଯାଉଥିବା ସ୍ପଷ୍ଟ ମନେ ହେବା ପରେ ଆବେଦନକାରୀ ନିରାଶ ହୋଇଥିଲେ ଏବଂ ଗତକାଲି ଏନେଇ ପୁଣି ସୂଚନା ଅଧିକାର ଆଇନ୍ ଦ୍ୱାରା ଦରଖାସ୍ତ କରି ସିଧାସଳଖ କାର୍ଯ୍ୟାଳୟକୁ ଯାଇ ସୂଚନା ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ଯାଇଥିଲେ । ତେବେ ଏହି ଦରଖାସ୍ତ ରଖିବାକୁ ସିଧାସଳଖ ମନା କରିଦେଇଥିଲେ ଜନ ସୂଚନା ଅଧିକାରୀ । ଉପରିସ୍ଥ ଅଧିକାରୀ ତଥା ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ ଅଛି ଦରଖାସ୍ତ ରଖାଯିବ ନାହିଁ ବୋଲି ସୂଚନା କର୍ମୀଙ୍କୁ ରୋକଠୋକ ଶୁଣାଇଥିଲେ । ଶେଷରେ ସୂଚନା କର୍ମୀ ଜଣକ ହତାଶ ହୋଇ ପୁଣି ଏ ସମ୍ପର୍କରେ ସିଧାସଳଖ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସୂଚନା ଦେବାକୁ ଆବେଦନ କରିଥିବା କହିଛନ୍ତି । ଆଗାମୀ ଦିନରେ ଏନେଇ କଣ ଉତ୍ତର ମିଳୁଛି ତାହା ଜାଣିବା ପାଇଁ ଏବେ କୋଦଳା ଅଞ୍ଚଳର ସୂଚନା କର୍ମୀ ମାନେ ଅପେକ୍ଷା କରିଥିବା ବେଳେ କୋଦଳା ଏନ୍ .ଏ .ସି କାର୍ଯ୍ୟାଳୟ ସୂଚନା ଆଇନ ଠାରୁ କାହିଁକି ଉର୍ଦ୍ଧ୍ବରେ ଏବଂ ଏହି ଜନ ସୂଚନା ଅଧିକାରୀଙ୍କ ସୂଚନା ଆଇନ ପ୍ରତି ଅବଗତ ଅଛି ନା ନାହିଁ ତାହା ଏବେ ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ