ଆସନ୍ତା ବର୍ଷ ପ୍ରଥମ ଭାଗରେ ଚନ୍ଦ୍ରଯାନ-୩ ଉତ୍କ୍ଷେପଣ
ନୂଆଦିଲ୍ଲୀ: ଆସନ୍ତା ୨୦୨୧ ବର୍ଷର ପ୍ରଥମାର୍ଦ୍ଧରେ ଇସ୍ରୋର ବହୁପ୍ରତୀକ୍ଷିତ ଚନ୍ଦ୍ରଯାନ-୩ର ଉତ୍କ୍ଷେପଣ ହେବ। ଏହି ମିଶନ୍ ଆରମ୍ଭରେ ସାମାନ୍ୟ ବିଳମ୍ବ ହେବାର ସଙ୍କେତ ଦେବା ସହ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ବୁଧବାର ଲୋକସଭାରେ ସୂଚନା ଦେଇଛନ୍ତି। ଏକ ଲିଖିତ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଷ୍ଟ୍ର ମନ୍ତ୍ରୀ ସିଂହ କହିଛନ୍ତି ଯେ ଭାରତର ମାନବଯୁକ୍ତ ମହାକାଶ ଅଭିଯାନ ଗଗନଯାନ ପାଇଁ ମାଇକ୍ରୋଗ୍ରାଭିଟି ସଂକ୍ରାନ୍ତରେ ୪ଟି ଜୈବ ବିଜ୍ଞାନ ଓ ଦୁଇଟି ଶାରୀରିକ ବିଜ୍ଞାନ ଗବେଷଣା କରାଯିବ। ଗତ ବର୍ଷ ଚନ୍ଦ୍ରଯାନ-୨ରୁ ଇସ୍ରୋର ବୈଜ୍ଞାନିକମାନେ ଯାହା କିଛି ଅନୁଭୂତି ଓ ଅଭିଜ୍ଞତା ହାସଲ କରିଛନ୍ତି, ତାହାର ଉପଯୋଗ ଚନ୍ଦ୍ରଯାନ-୩ରେ କରିପାରିବେ ଓ ତାକୁ ଆଧାର କରି ଚନ୍ଦ୍ରଯାନ-୩କୁ ପ୍ରସ୍ତୁତ କରିବେ ବୋଲି ସିଂହ କହିଛନ୍ତି।
ଗତବର୍ଷ ଇସ୍ରୋ ପକ୍ଷରୁ ଚନ୍ଦ୍ରପୃଷ୍ଠ ଅଭିମୁଖେ ଚନ୍ଦ୍ରଯାନ-୨କୁ ପଠାଯାଇଥିଲେ ମଧ୍ୟ ଶେଷ ଭାଗରେ ଏହା ବିଫଳ ହୋଇଥିଲା। ଏହି ଅଭିଯାନର ବିଫଳତା ପରେ ଇସ୍ରୋ ପକ୍ଷରୁ ପୁନର୍ବାର ଏହି ଅଭିଯାନ ଆରମ୍ଭ କରିବା ସକାଶେ ନିଷ୍ପତ୍ତି ନିଆଯାଇଥିଲା। ସେତେବେଳେ ୨୦୨୦ ବର୍ଷ ଶେଷ ଭାଗରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠ ଅଭିମୁଖେ ଯାତ୍ରା ଆରମ୍ଭ କରିବ ବୋଲି ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ଏହି ଅଭିଯାନ ପ୍ରସ୍ତୁତିରେ ସାମାନ୍ୟ ବିଳମ୍ବ ହେବା ନେଇ ବୁଧବାର କେନ୍ଦ୍ର ମନ୍ତ୍ରୀ ସଙ୍କେତ ଦେଇଛନ୍ତି। ସେହିପରି ସିଂହ ଗଗନଯାନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଏଥିପାଇଁ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏହି ଅଭିଯାନରେ ସାମିଲ୍ ହେବା ସକାଶେ ୪ ଜଣ ମହାକାଶଚାରୀଙ୍କୁ ଶର୍ଟଲିଷ୍ଟ୍ କରାଯାଇଥିବା ବେଳେ ସେମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି। ଏହାଛଡ଼ା ଫ୍ଲାଇଟ୍ ସର୍ଜନଙ୍କ ସକାଶେ ଫ୍ରାନ୍ସର ମହାକାଶ ଗବେଷଣା କେନ୍ଦ୍ର ସିଏନ୍ଇଏସ୍ଠାରେ ସମ୍ପନ୍ନ ହୋଇଥିବା ସିଂହ କହିଛନ୍ତି।


