ଆସନ୍ତା ୯ ତାରିଖ ଅଙ୍ଗନୱାଡ଼ି କର୍ମୀଙ୍କ ସମାବେଶକୁ ସଫଳ ପାଇଁ ନିଷ୍ପତ୍ତି

ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ନଅତାରିଖ ଦିନ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘର ନେତୃତ୍ୱରେ ରାଜଧାନୀରେ ମିଳିତ ବିକ୍ଷୋଭ ସମାବେଶକୁ ସଫଳ କରିବାପାଇଁ ବାଲେଶ୍ୱର ଜିଲ୍ଲା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ମାସିକ ସର୍ବନିମ୍ନ ୨୧ ହଜାର ଟଙ୍କା ବେତନ, ଅବସର ପରେ ପେନ୍‌ସନ୍ ଓ ସାମାଜିକ ସୁରକ୍ଷା, ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ସଠିକ୍ ମାନର ଖାଦ୍ୟ, ବଜାର ଦରରେ ସଂଶୋଧିତ ମୂଲ୍ୟତାଲିକା, ଅଧିକ କାମକୁ ଅଧିକ ପାରିଶ୍ରମିକ, ପଦୋନ୍ନତି ପ୍ରଭୃତି ଦାବିରେ ଏହି ମିଳିତ ଆନ୍ଦୋଳନ ପାଇଁ ଆହ୍ୱାନ ଦିଆଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ବଜେଟ୍ ଅର୍ଥବୃଦ୍ଧି ନିମିତ୍ତ ମଧ୍ୟ ଦାବି କରାଯାଇଛି । ପଢ଼ୁଆଁପଦାସ୍ଥିତ ଏଆଇଟିୟୁସି ସଭାଗୃହରେ ବରିଷ୍ଠ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଅପରାହ୍ନରେ ଅନୁଷ୍ଠିତ ସଂଘର ଜିଲ୍ଲା କମିଟି ବୈଠକରେ ଜିଲ୍ଲାର ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଆନ୍ଦୋଳନରେ ଯୋଗଦେବାକୁ ଆହ୍ୱାନ ଦିଆଯାଇଛି । ରାଜ୍ୟ ଏଆଇଟିୟୁସିର ଉପସଭାପତି ତଥା ସିପିଆଇର ରାଜ୍ୟ ସଂପାଦକ ସାଥୀ ଅଭୟ ସାହୁ ଏହି ବୈଠକରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଶ୍ରମଜୀବୀ ବିରୋଧୀ ନୀତିକୁ ଦୃଢ଼ ସମାଲୋଚନା କରିଥିଲେ । ମିଳିତ ଆନ୍ଦୋଳନକୁ ଅଧିକ ସଂଗଠିତ କରିବାକୁ ଶ୍ରୀ ସାହୁ ଆହ୍ୱାନ ଦେଇଥିଲେ । ଏଆଇଟିୟୁସିର ଉପସଭାପତି ସାଥୀ ନିରଞ୍ଜନ ବାରିକ ଓ ଜିଲ୍ଲାସଂପାଦକ ସାଥୀ ଶ୍ୟାମସୁନ୍ଦର ଜେନା ଓ ବରିଷ୍ଠ ବାମପନ୍ଥୀ ନେତା କୈଳାସ ପଣ୍ଡା ଓ ସଂଘର ଜିଲ୍ଲା ସଂପାଦିକା ଗୌରୀ ଦାସ ପ୍ରମୁଖ ଐକ୍ୟବଦ୍ଧ ସଂଗ୍ରାମ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଭିନ୍ନ ବ୍ଲକ୍ ଓ ଜିଲ୍ଲା କମିଟି ପକ୍ଷରୁ ଆରତୀ ଦାସ ମହାପାତ୍ର, ରେଣୁବାଳା ପାତ୍ର, କାଞ୍ଚନ ଦାସ, ରାଧାରାଣୀ ପଣ୍ଡା, ଅନୁସୂୟା ଦଳେଇ, ସବିତା ମଲ୍ଲିକ, ରାଜଲକ୍ଷ୍ମୀ ପଣ୍ଡା, ବାସନ୍ତୀ ପଣ୍ଡା, ଜମ୍ବୁବତୀ ମହାନ୍ତି, ତପସ୍ୱିନୀ ବିଶ୍ୱାଳ, ସୁକାନ୍ତ ବିଶ୍ୱାଳ, ରିଙ୍କି ମଜୁମଦାର ଓ ଗୀତାରାଣୀ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସଂଯୁକ୍ତା ସିଂହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ