ଆସାମର ଗରିବ ଚାଷୀଙ୍କ ଜୀବନ ରଖିଲା ଆୟୁଷ୍ମାନ ଭାରତ
ଆସାମର ୩୫ ବର୍ଷିୟ ଗରିବ ଚାଷୀ ଦ୍ୱିଜେନ କାଲିତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ତାଙ୍କୁ ଯେତେବେଳେ କାମରୂପ ମେଟ୍ରୋ ହସ୍ପିଟାଲରେ ଭର୍ତି କରାଗଲା, ସେ ଅଧା ଅଚେତ ଥିଲେ ଏବଂ ଗମ୍ଭୀର ଯନ୍ତ୍ରଣା ଭୋଗୁଥିଲେ । ପରୀକ୍ଷା ନିରୀକ୍ଷା ପରେ ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାରର ଆବଶ୍ୟକତା ରହିଥିବା ଜଣା ପଡିଥିଲା । କାଲିତାଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ଚିକିତ୍ସା ଖର୍ଚ୍ଚ ବହନ କରିବା ତାଙ୍କ ଭଳି ଗରିବ ପରିବାର ପାଇଁ ଅସମ୍ଭବ ଥିଲା ।
ତେବେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାରେ ମାଗଣା ଚିକିତ୍ସା ହୋଇପାରିବ ବୋଲି ତାଙ୍କ ପରିବାର ଲୋକ ଜାଣିବା ପରେ ସେମାନଙ୍କ ମନରେ ବାସ୍ତବ ଆଶା ଜାଗି ଉଠିଥିଲା । କାଲିତା ଅନୁଭବ କରିଥିଲେ ଯେ, ଏହି ଯୋଜନା ତାଙ୍କ ଭଳି ଗରିବ ଲୋକ ପାଇଁ ବରଦାନ ସଦୃଶ ।
ଆଜି ସେ ଜଣେ ସୁସ୍ଥ ମଣିଷ ଏବଂ ସେହି ୩୧ ଜଣ ହିତାଧିକାରୀମାନଙ୍କ ମଧ୍ୟରୁ ଜଣେ ଯେଉଁମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନାର ସଫଳତା ବର୍ଣ୍ଣନା କରିଛନ୍ତି ।ଠିକ ଏକ ବର୍ଷ ତଳେ ୨୦୧୮ରେ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନାର ଶୁଭାରମ୍ଭ ହୋଇଥିଲା । ଏହା ମାଧ୍ୟମରେ ଦେଶର ୧୦.୭୪ କୋଟି ଗରିବ ଲୋକଙ୍କୁ ସହଜ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଲକ୍ଷ୍ୟ ରଖାଯାଇଛି ।ଗତ ଏକ ବର୍ଷ ମଧ୍ୟରେ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଜରିଆରେ ଦ୍ୱିଜେନ କାଲିତାଙ୍କ ଭଳି ୫୦ହଜାରରୁ ଅଧିକ ରୋଗୀ ସେମାନଙ୍କ ରାଜ୍ୟ ବାହାରେ ଶ୍ରେଷ୍ଠ ଚିକିତ୍ସା ସୁବିଧା ପାଇପାରିଛନ୍ତି । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ (ପିଏମ-ଜେଏୱାଇ) ଯୋଜନା ଅନ୍ତର୍ଗତ ୧୬,୦୮୫ଟି ଡାକ୍ତରଖାନା ତାଲିକାଭୁକ୍ତ ହୋଇସାରିଛନ୍ତି, ୪୧ ଲକ୍ଷ ହିତାଧିକାରୀ ଚିକିତ୍ସା ସୁବିଧା ପାଇଛନ୍ତି ଏବଂ ୧୦ କୋଟିରୁ ଊଦ୍ଧ୍ୱର୍ ଇ-କାର୍ଡ ଜାରି କରାଯାଇସାରିଛି । ଆୟୁଷ୍ମାନ ଭାରତ ଅଧୀନରେ ସାରା ଦେଶରେ ୨୦,୭୦୦ରୁ ଊଦ୍ଧ୍ୱର୍ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇସାରିଛି ।