ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକଙ୍କ ପଦବୀ ରଦ୍ଦ ପାଇଁ ମୋକଦ୍ଦମା

ପୋଲସରା, (ଅନିଲ କୁମାର ମହାରଣା):ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ର ୧୩ ନମ୍ବର ଯୋନ ନିର୍ଦ୍ଦେଶକ ଓ ଚିରିକିପଡା ଶାସନ ସେବା ସମବାୟ ସମିତି ସଭାପତି ପଦବୀକୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଭୁବନେଶ୍ୱର, ରାଜ୍ୟ ସମବାୟ ନିବନ୍ଧକଙ୍କ ଅଦାଲତରେ ମୋକଦ୍ଦମା ଦାୟର ହୋଇଛି। ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମ ପଞ୍ଚାୟତର ସରପଞ୍ଚ ଭଗବାନ ସାହୁ ରାଜ୍ୟ ସମବାୟ ନିବନ୍ଧକଙ୍କ ଅଦାଲତରେ ଏହି ସମ୍ପର୍କରେ ଗତ ମାସ ୫ ତାରିଖ ଦିନ ଅପିଲ କରିଛନ୍ତି। ଭଗବାନ ତାଙ୍କ ଅପିଲ ରେ ଦର୍ଶାଇଛନ୍ତି ଯେ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ର ପୋଲସରା ୧୩ ନମ୍ବର ଯୋନରୁ ଗତ ବର୍ଷ ଅକ୍ଟୋବର ମାସ ୩୦ ତାରିଖ ଦିନ ଅନୁଷ୍ଠିତ ନିର୍ବାଚନରେ ଚିରିକିପଡା ଶାସନ ସେବା ସମବାୟ ସମିତିର ସଭାପତି ରଞ୍ଜନ ସାହୁ ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଛନ୍ତି। ତେବେ ରଞ୍ଜନ ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ଵାରା ନିଲାମରେ ଅଂଶଗ୍ରହଣ କରି ଚିରିକିପଡା ଶାସନ ଅଞ୍ଚଳ ପାଇଁ ମହୁଲି ମଦର ନିଲାମ ନେଇଛନ୍ତି। ଏଣୁ ଜଣେ ବ୍ୟକ୍ତି ଏକାଧିକ ଲାଭଜନକ ପଦବୀରେ ରହିବା ବେଆଇନ ହୋଇଥିବାରୁ ରଞ୍ଜନଙ୍କ ଚିରିକିପଡା ଶାସନ ସେବା ସମବାୟ ସମିତିର ସଭାପତି ଓ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପଦବୀକୁ ରଦ୍ଦ କରିବା ପାଇଁ ଭଗବାନ ଚିରିକିପଡା ଶାସନ ସେବା ସମବାୟ ସମିତିର ସମ୍ପାଦକ , ରଞ୍ଜନ କୁମାର ସାହୁ ଓ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କକୁ ପକ୍ଷଭୁକ୍ତ କରି ମୋକଦ୍ଦମା କରିଛନ୍ତି। ଭଗବାନ ସାହୁ ଙ୍କ ଅପିଲ କୁ ରାଜ୍ୟ ସମବାୟ ନିବନ୍ଧକଙ୍କ ଅଦାଲତ ଡିସପୁଟ କେଶ ନଂ ୩୬/୨୦୨୩ ପ୍ରକାରେ ଗ୍ରହଣ କରି ଚଳିତ ମାସ ୩୦ ତାରିଖ କୁ ବିଚାର ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଏଥି ପାଇଁ ମାନ୍ୟବର ଅଦାଲତ ରଞ୍ଜନ ସାହୁ , ଚିରିକିପଡା ଶାସନ ସେବା ସମବାୟ ସମିତି ଏବଂ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ କୁ ନୋଟିସ ଜାରି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ