ଆସିକା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ବାର୍ଷିକୋତ୍ସବ

ଆସିକା, (ୱାଇଏନ୍‍ଏସ୍‍):ଆସିକା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ଓ ମେକ୍‌ମାଇକେଲ୍ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅପରାହ୍ନରେ ଶିକ୍ଷାନୁଷ୍ଟାନ ପରିସରରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆସିକା ବିଧାୟକ ସରୋଜ କୁମାର ପାଢୀ, ସମ୍ମାନିତ ଅତିଥି ରୂପେ ଉଚ୍ଚଶିକ୍ଷା ବିଭାଗ ଦକ୍ଷିଣାଞ୍ଚଳ ଜୋନ୍‍ ବ୍ରହ୍ମପୁରର ଆଞ୍ଚଳିକ ନିର୍ଦ୍ଦେଶକ ଡଃ ସିଦ୍ଧାର୍ଥ ଶଙ୍କର ପାଢୀ, ଶ୍ରୀବିହାର ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଡଃ ବସନ୍ତ କୁମାର ମିଶ୍ର, ଶ୍ରୀ ବିହାର ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ବ୍ୟାକରଣ ବିଭାଗର ମୁଖ୍ୟ ତଥା ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ସମନ୍ୱୟ ଅଧିକାରୀ ଡଃ ପୂର୍ଣ୍ଣଚନ୍ଦ୍ର ପାଢୀ, ରାଜସ୍ଥାନ ସ୍ଥିତ ସରକାରୀ ସଂସ୍କୃତ କଲେଜର ଅବସରପ୍ରାପ୍ତ ପ୍ରଫେସର ଡଃ ଉମେଶ ଚନ୍ଦ୍ର ଦାଶ, ଆସିକ ଓକିଲ ସଂଘର ପୂର୍ବତନ ସଭାପତି ତଥା ଶିକ୍ଷାନୁଷ୍ଠାନର ପରିଚାଳନା କମିଟିର ପ୍ରାକ୍ତନ ସଭାପତି ସୁରେନ୍ଦ୍ରନାଥ ପଣ୍ଡା, ବ୍ରହ୍ମପୁର ରାମାଧିନ ସଂସ୍କୃତ କଲେଜର ଅଧ୍ୟକ୍ଷ ଡଃ ହରିହର ଦାଶ ପ୍ରମୁଖ ଯୋଗଦେଇ ବିଶ୍ୱକୁ ପରିବର୍ତ୍ତନ କରିବା ପାଇଁ ଶିକ୍ଷା ଏକ ଶକ୍ତିଶାଳୀ ମାଧ୍ୟମ ହୋଇଥିବାରୁ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ପ୍ରେରଣାର ଉତ୍ସ ହେବା ଉଚିତ୍ ବୋଲି ପ୍ରକାଶ କରି କଠିନ ପରିଶ୍ରମ, ନିଷ୍ଠା, ଏକାଗ୍ରତା ଓ ଆତ୍ମବିଶ୍ୱାସ ଦ୍ୱାରା ଛାତ୍ରଛାତ୍ରୀମାନେ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ସହ ରାଷ୍ଟ୍ର ନିର୍ମାଣରେ ସହଯୋଗ କରିପାରିବେ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ଓ ମେକ୍‍ ମାଇକେଲ୍‍ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପନା ଦାୟିତ୍ୱରେ ଥିବା ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ସଂସ୍କୃତି ଓ ପରମ୍ପରା ବଜାୟ ରଖିଥିବାରୁ ଭୂୟସୀ ପ୍ରଶଂସା କରାଯାଇଥିଲା । ଆସିକା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ସନାତନ ପଣ୍ଡା, ଅଧ୍ୟାପକ ବାବାନାଥ ମିଶ୍ର, ଅଧ୍ୟାପକ ମନୋରଞ୍ଜନ ସାହୁ, ଅଧ୍ୟାପକ ଶିଶିର କୁମାର ମିଶ୍ର, ଅଧ୍ୟାପିକା କବିତା କୁମାରୀ ଦାସ, ମେକ୍‍ ମାଇକେଲ୍‍ ସଂସ୍କୃତ ବିଦ୍ୟାଳୟର ପ୍ରଧାନପଣ୍ଡିତ ପ୍ରଦୀପ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଶିକ୍ଷା ହିଁ ଜ୍ଞାନର ଆଲୋକ ବର୍ତ୍ତିକା ହୋଇଥିବାରୁ ପାଠପଢାରେ ସଫଳତା ପାଇଁ ବିଦ୍ୟାର୍ଥୀ ମାନେ କଠିନ ପରିଶ୍ରମ କରିବାକୁ ଆହ୍ୱାନ କରିବା ସହ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଛାତ୍ରଛାତ୍ରୀଙ୍କ ଜୀବନକୁ ଶୃଙ୍ଖଳିତ ଓ ପରିମାର୍ଜିତ କରିଥାଏ, ତେଣୁ କଠିନ ପରିଶ୍ରମ, ଅଧ୍ୟବସାୟ, ନିଷ୍ଠା ଓ ଏକାଗ୍ରତା ସଫଳତାର ଚାବିକାଠି ହୋଇଥିଲା ବେଳେ ବିଦ୍ୟାର୍ଥୀମାନେ ନିଜ ନିଜର ଉଜ୍ଜଳ ଭବିଷ୍ୟତ ଗଠନ କରି ସଫଳତାର ଶୀର୍ଷ ସୋପାନରେ ପହଞ୍ଚି ନିଜର ପିତାମାତା, ଗୁରୁଜନ ଓ ଅଭିଭାବକମାନେ ଯେଉଁ ସ୍ୱପ୍ନ ଦେଖୁଛନ୍ତି ତାହାକୁ ସାକାର କରିବା ସହ ଶିକ୍ଷାନୁଷ୍ଠାନର ଗୌରବକୁ ବୃଦ୍ଧି କରିବାକୁ ଆହ୍ୱାନ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ବେଳେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷଣ ହୋଇଥିବା ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଉପସ୍ଥିତ ଶହ ଶହ ଦର୍ଶକଙ୍କୁ ବିମୋହିତ କରିଦେଇଥିଲା । ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାଶ, ଅଧ୍ୟାପକ ସନାତନ ପଣ୍ଡା, ବାବାନାଥ ମିଶ୍ର, ଶିଶିର କୁମାର ମିଶ୍ର, ମନୋରଞ୍ଜନ ସାହୁ, କବିତା କୁମାରୀ ଦାସ, ପ୍ରଦୀପ କୁମାର ତ୍ରିପାଠୀ, କର୍ମଚାରୀ ଟୁନା ମହାରଣା, ପ୍ରଦୀପ କୁମାର ଷଡଙ୍ଗୀ ଓ ଜୁରିଆ ନାୟକ, ଶିକ୍ଷାନୁଷ୍ଠାନର ଛାତ୍ର ବଦ୍ରିନାରାୟଣ ଷଡଙ୍ଗୀ, ଲକ୍ଷ୍ମୀ ନାରାୟଣ ଷଡଙ୍ଗୀ, ଶୁଭ୍ରଜିତ୍‍ ପରିଡା, କେଲସନ୍‍ ପ୍ରଧାନ, ସିଦ୍ଧାନ୍ତ ମଲିକ, ଜିତୁ ପ୍ରସାଦ ପୋଲାଇ, ପ୍ରଭାକର ଶବର, ଚନ୍ଦନ ପ୍ରଧାନ, ଆଦର୍ଶ ସ୍ୱାଇଁ, ଚିନ୍ମୟ ପ୍ରଧାନ, ଶ୍ରୀନିବାସ ରେଡି, ଅବିନାଶ ସ୍ୱାଇଁ, କାର୍ତ୍ତିକ ନାହାକଙ୍କ ସମେତ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ସକ୍ରିୟ ସହଯୋଗ କରିଥିବା ବେଳେ ବହୁ ଅଭିଭାବକ, ମାନ୍ୟଗଣ୍ୟ ବ୍ୟକ୍ତି ଓ ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ବାର୍ଷିକୋତ୍ସବ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାଶ କହିଲେ ଯେ ୧୮୮୫ ମସିହାରେ ସ୍ଥାପିତ ହୋଇଥିବା ମେକ୍‌ମାଇକେଲ୍ ସଂସ୍କୃତ ଟୋଲ୍ ଓ ୧୯୮୪ ମସିହାରେ ସ୍ଥାପିତ ହୋଇଥିବା ମେକ୍‌ମାଇକେଲ୍ ସଂସ୍କୃତ ମହାବିଦ୍ୟାଳୟ ବିଗତ କିଛି ବର୍ଷ ହେଲା ନାନା ସମସ୍ୟା ମଧ୍ୟରେ ଗତି କରୁଛି । ପୁରୀ ଶ୍ରୀ ଜଗନ୍ନାଥ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ ଓ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ମେକ୍‌ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟରେ ଦୀର୍ଘ ଦିନ ହେଲା ଦର୍ଶନ ଓ ସଂସ୍କୃତ ସାହିତ୍ୟ ଅଧ୍ୟାପକ ସାଙ୍ଗକୁ ପିଅନ, ଖେଳଶିକ୍ଷକ, ଗ୍ରନ୍ଥାଗାରିକ, ରାତ୍ର ଜଗୁଆଳ ପଦବୀ ଖାଲି ପଡିଥିଲା ବେଳେ ଛାତ୍ରଛାତ୍ରୀ ମାନଙ୍କ ସାଇକେଲ୍ ଷ୍ଟାଣ୍ଡ ଓ କମନ୍ ରୁମ ନଥିବା ଯୋଗୁଁ ନାନା ସମସ୍ୟା ସୃଷ୍ଟି ହେଉଛି । ତେଣୁ ଏହି ପୁରାତନ ଶିକ୍ଷାନୁଷ୍ଟାନର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବହୁବିଧ ସମସ୍ୟାକୁ ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ମଞ୍ଚାସୀନ ଅତିଥିଙ୍କୁ ଅନୁରୋଧ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ