ଆସିବ ନୂଆ ୨ଠ ଟଙ୍କିଆ ନୋଟ୍

ନୂଆଦିଲ୍ଲୀ(ଏଜେନ୍ସି): ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆର୍ବିଆଇ) ପକ୍ଷରୁ ଅତିଶୀଘ୍ର ୨୦ଟଙ୍କିଆ ନୂଆ ନୋଟ୍ ଜାରି କରାଯିବ ବୋଲି ଘୋଷଣା କରାଯାଇଛି । ମହାତ୍ମା ଗାନ୍ଧି (ନ୍ୟୁ) ସିରିଜ୍ ଅଧୀନରେ ଜାରି ହେବାକୁ ଥିବା ଏହି ନୋଟ୍ରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ହସ୍ତାକ୍ଷର ରହିବ । ପ୍ରକାଶ ଯେ, ଆର୍ବିଆଇ ୨୦ଟଙ୍କିଆ ନୂଆ ନୋଟ୍ର ଏକ ଫଟୋ ଜାରି କରିଛନ୍ତି । ଏଥିସହ ଏକ ଅଧିସୂଚନା ଜାରି କରି କହିଛନ୍ତି ଯେ ଏହି ନୋଟ୍ର ରଙ୍ଗ ସାମାନ୍ୟ ନୀଳ-ହଳଦିଆ ହେବ । ନୋଟ୍ ପଛରେ ଏଲୋରା ଗୁମ୍ଫାର ଚିତ୍ରଣ କରାଯିବ, ଯାହାକି ଭାରତୀୟ ସାଂସ୍କୃତିକ ପରମ୍ପରାକୁ ଦର୍ଶାଇଥାଏ । ଆର୍ବିଆଇ ଅଧିସୂଚନାରେ ସ୍ପଷ୍ଟ କରାଯାଇଛି, ନୂଆ ନୋଟ୍ ଜାରି ହେବା ପରେ ମଧ୍ୟ ୨୦ ଟଙ୍କିଆ ପୁରୁଣା ନୋଟ୍ ପ୍ରଚଳନରେ ରହିବ । ଅର୍ଥାତ୍ ପୁରୁଣା ନୋଟ୍ର ପ୍ରଚଳନ ଉପରେ କୌଣସି ପ୍ରଭାବ ପଡ଼ିବନି । ଆର୍ବିଆଇ ଦ୍ୱାରା ଉପସ୍ଥାପନ କରାଯାଇଥିବା ୨୦ ଟଙ୍କିଆ ଏହି ନୂଆ ନୋଟ୍ ସମ୍ମୁଖରେ ମହାତ୍ମା ଗାନ୍ଧୀଙ୍କ ଚିତ୍ରଣ ମଧ୍ୟ ଭାଗରେ କରାଯାଇଛି । ଏହି ପାଖରେ ନୋଟ୍ର ମୂଲ୍ୟ, ଆର୍ବିଆଇ, ଭାରତ ଓ ଇଣ୍ଡିଆ ହିନ୍ଦୀ ଏବଂ ଇଂରାଜୀରେ ମାଇକ୍ରୋ ଅକ୍ଷରରେ ଲେଖାଯାଇଛି । ସେହିପରି ଦେବାନାଗିରିରେ ୨୦ଲେଖା ହୋଇଛି । ଅନ୍ୟପକ୍ଷରେ ନୋଟ୍ର ପଛ ପାଖରେ ବର୍ଷ ସହିତ ସ୍ୱଚ୍ଛ ଭାରତର ଲୋଗୋ ଓ ସ୍ଲୋଗାନ ଲେଖା ରହିବ । ୨୦ ଟଙ୍କାର ନୂଆ ନୋଟ୍ର ଆକାର ୬୩ମିମି ଚଉଡ଼ା ହେବ ଏବଂ ୧୨୯ ମିମି ଲମ୍ବା ହେବ । ଏହାବ୍ୟତୀତ ନୋଟ୍ର ପଛ ଭାଗରେ ଭାଷା ବାର୍ ମଧ୍ୟ ରହିବ । ଏହି ନୋଟ୍ର ସୁରକ୍ଷା ବାର୍ରେ ଭାରତ ଓ ଆର୍ବିଆଇ ଲେଖା ହେବ । ଅନ୍ୟପକ୍ଷରେ ସମ୍ମୁଖ ଅଂଶରେ ଅଶୋକ ସ୍ତମ୍ଭ ରହିବ । ସୂଚନାଯୋଗ୍ୟ ଯେ ୨୦୧୬ରେ ବିମୁଦ୍ରୀକରଣ ପରେ ୫୦୦, ୨୦୦୦, ୨୦୦, ୧୦୦, ୫୦ ଓ ୧୦ ଟଙ୍କଆ ନୂଆ ନୋଟ୍ ଜାରି କରାଯାଇଛି । ତେବେ ଆର୍ବିଆଇ ଦ୍ୱାରା ଜାରି ହେବାକୁ ଥିବା ନୂଆ ୨୦ଟଙ୍କିଆ ନୋଟ୍ କେବେ ସୁଦ୍ଧା ପ୍ରଚଳନକୁ ଆସିବ ସେନେଇ କୌଣସି ସ୍ପଷ୍ଟୋକ୍ତି ପ୍ରଦାନ କରାଯାଇ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ