ଜିନ୍ନାଙ୍କୁ ପ୍ରଶଂସା କରି ବିବାଦରେ ଶତ୍ରୁଘ୍ନ

ଭୋପାଳ(ଏଜେନ୍ସି): ବଲିଉଡ୍ ଅଭିନେତା ତଥା ବିଜେପି ଛାଡି ଚଳିତ ନିର୍ବାଚନରେ କଂଗ୍ରେସ ହାତ ଧରିଥିବା ରାଜନେତା ଶତ୍ରୁଘ୍ନ ସିହ୍ନା ଶନିବାର ଏକ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମହମ୍ମଦ୍ ଅଲ୍ଲୀ ଜିନ୍ନାଙ୍କୁ ପ୍ରଥମେ ପ୍ରଶଂସା କରିବା ଏବଂ ପରେ ନିଜ ଭୁଲ୍ ବୁଝିପାରି ସଫେଇ ଦେବା ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶ ଚିନ୍ଦୱାରାରେ ଆୟୋଜିତ ଏହି ନିର୍ବାଚନୀ ସଭାରେ ଶତ୍ରୁଘ୍ନ କହିଥିଲେ ଯେ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଠାରୁ ଜବାହର ଲାଲ୍ ନେହେରୁଙ୍କ ପର୍ଯ୍ୟନ୍ତ, ମହାତ୍ମା ଗାନ୍ଧିଙ୍କଠାରୁ ଆରମ୍ଭ କରି ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପର୍ଯ୍ୟନ୍ତ ଏବଂ ଇନ୍ଦିରା ଗାନ୍ଧିଙ୍କଠାରୁ ଆରମ୍ଭ କରି ରାହୁଲ ଗାନ୍ଧିଙ୍କ ପର୍ଯ୍ୟନ୍ତ ଏସମସ୍ତଙ୍କର ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗାନ୍ଧି ପରିବାର ଦେଶ ସ୍ୱାଧୀନତାରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ତେବେ ତାଙ୍କର ଏପ୍ରକାର ଜିନ୍ନାଙ୍କ ପ୍ରତି ସମର୍ଥନ ଓ ପ୍ରଶଂସାକୁ କେନ୍ଦ୍ର କରି ଶାସକ ଦଳ ବିଜେପି ତୀବ୍ର ସମାଲୋଚନା କରିବା ପରେ ନିଜ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଶତ୍ରୁଘ୍ନ ।ଶତ୍ରୁଘ୍ନ କହିଛନ୍ତି ସେ, ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ନୁହେଁ ବାସ୍ତବରେ ମୌଲାନା ଆଜାଦ୍ଙ୍କ ସମ୍ପର୍କରେ କହିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ପାଟିରୁ ଭୁଲ୍ବଶତଃ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ନାମ ବାହାରିଯାଇଥିଲା । ଏହାକୁ ସେ ସ୍ଲିପ୍ ଅଫ୍ ଟଙ୍ଗ୍ର ଆଖ୍ୟା ଦେଇ ଏଥିପାଇଁ ଅଧିକ ବିବାଦ ସୃଷ୍ଟି ନକରିବାକୁ କହିଛନ୍ତି । ପ୍ରକାଶ ଯେ, ଶତ୍ରୁଘ୍ନଙ୍କ ଉପରୋକ୍ତ ମନ୍ତବ୍ୟ ପରେ ପରେ କଂଗ୍ରେସ ମଧ୍ୟ ତାଙ୍କୁ ଏନେଇ ସ୍ପଷ୍ଟୀକରଣ ମାଗିଥିଲା । ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍ କହିଥିଲେ ଯେ, ଶତ୍ରୁଘ୍ନ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ୍ । ଏହାର ଉତ୍ତରରେ ଶତ୍ରୁଘ୍ନ କହିଥିଲେ ସେ ସମସ୍ତଙ୍କ ଜବାବ ଦେବାକୁ ବାଧ୍ୟ ନୁହଁନ୍ତି, ସେ କେବଳ ଏହି ପ୍ରସଙ୍ଗରେ ଦଳୀୟ ହାଇକମାଣ୍ଡ ଅର୍ଥାତ୍ ରାହୁଲ ଗାନ୍ଧିଙ୍କୁ ଉତ୍ତର ଦେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ