ଆସ ଭୋଟ ଦେବା, ଉପଯୁକ୍ତ ପ୍ରାର୍ଥୀ ବାଛିବା

ଭୁବନେଶ୍ୱର : ଦେଶ ସ୍ୱାଧୀନ ହେବାର ୭୦ବର୍ଷ ଅତିକ୍ରାନ୍ତ ହୋଇଛି । ବିଶ୍ୱର ଦ୍ୱିତୀୟ ବୃହତ୍ତମ ଗଣତନ୍ତ୍ର ଭାରତବର୍ଷ ଏବେ ନିଜର ସ୍ୱତନ୍ତ୍ର ପରିଚୟ ବିଶ୍ୱ ଦରବାରରେ ଉପସ୍ଥାପିତ କରିପାରିଛି । ଗଣତନ୍ତ୍ରର ମୂଳମନ୍ତ୍ର ନିରପେକ୍ଷ ଓ ନିର୍ଭୀକ ହୋଇ ଉପଯୁକ୍ତ ପ୍ରାର୍ଥୀଙ୍କୁ ମତଦାନ କଲେ ଗାନ୍ଧିଜୀଙ୍କ ରାମରାଜ୍ୟର ସ୍ୱପ୍ନ ସାକାର ହେବ । ରାଜ୍ୟରେ ବିଭିନ୍ନ ସଂସଦୀୟ କ୍ଷେତ୍ର ଓ ତତ୍ସଂଲଗ୍ନ ବିଧାନସଭା ପାଇଁ ଆସନ୍ତା ୨୩ରେ ତ୍ୃତୀୟ ପର୍ଯ୍ୟାୟ ଓ ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ବିଧାନସଭା ଓ ସଂସଦୀୟ କ୍ଷେତ୍ରରେ ବହୁ ଶିକ୍ଷିତ ଓ ଯୋଗ୍ୟ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ତେବେ ଆମେ ଦେଶର ଜଣେ ସଚେତନ ନାଗରିକ ଭାବେ ଉପଯୁକ୍ତ ପ୍ରାର୍ଥୀ ବାଛିପାରିଲେ ରାଜ୍ୟ ଓ ଦେଶ ପାଇଁ ଉପାଦେୟ ହେବ । ଆମେ ସେହି ପ୍ରାର୍ଥୀଙ୍କୁ ସମର୍ଥନ କରିବା ନାହିଁ, ଯେଉଁମାନେ ମହିଳାଙ୍କୁ ସମ୍ମାନ ଦିଅନ୍ତି ନାହିଁ ଓ ନିର୍ବାଚନରେ ବାହୁବଳ, ସରକାରୀ କଳ ଏବଂ ମଦ, ମାଂସ ଦେଇ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରୟାସ କରିଥାନ୍ତି । ଏମାନଙ୍କ ପ୍ରଲୋଭନର ଶିକାର ନହୋଇ ବିବେକାନୁମୋଦିତ ଭାବେ ମତଦାନ କଲେ ଗଣତନ୍ତ୍ରର ମୂଲ୍ୟବୋଧ ବଜାୟ ରହିବା ସହ ନିଜର ଦେଶପ୍ରତି ଯେଉଁ ଅଧିକାର ଓ ଆତ୍ମବିଶ୍ୱାସ ଅଛି, ତାହା ପ୍ରତିଫଳିତ ହେବ । ଦେଶର ସାଧାରଣ ନିର୍ବାଚନ ବେଳେ ଆମମାନଙ୍କୁ ଯେଉଁ ମତଦାନ ଦେବାର ଅଧିକାର ମିଳିଛି, ତାକୁ ସାବ୍ୟସ୍ତ କରିବା ଜଣେ ନାଗରିକର ପ୍ରଥମ କର୍ତ୍ତବ୍ୟ । ଥରୁଟିଏ ଭୁଲ୍ ଲୋକ ହାତରେ ଭୋଟ ଖଣ୍ଡେ ଟେକିଦେଲେ ୫ ବର୍ଷ ନିମନ୍ତେ ପସ୍ତେଇବାକୁ ପଡ଼ିବ । କାହାର ମିଥ୍ୟା ବିଜ୍ଞାପନରେ ପ୍ରଭାବିତ ନହୋଇ ସାଧାରଣ ଭୋଟର ନିଜର ସୁଚିନ୍ତିତ ମତଦାନ କରିବେ ବୋଲି ରାଜ୍ୟ ନାଗରିକ ସମାଜର ଅଧ୍ୟକ୍ଷ ତଥା ସମାଜସେବୀ ପ୍ରକାଶ ରଥ ନିବେଦନ କରିଛନ୍ତି । ନିର୍ବାଚନରେ ଅପରାଧିକରଣକୁ ପ୍ରୋତ୍ସାହିତ କରୁଥିବା ପ୍ରାର୍ଥୀଙ୍କ ପ୍ରତି ସାବଧାନ ରହି ଆମେ ସୁନ୍ଦର ରାଜ୍ୟ ଓ ସମୃଦ୍ଧ ଦେଶ ଗଢିବାରେ ଭାଗିଦାର ହେବାକୁ ରାଜ୍ୟ ନାଗରିକ ସମାଜ ଆହ୍ୱାନ ଦେଇଛି । ସାମ୍ବାଦିକ ସମ୍ମିଳନୀରେ ମାନବାଧିକାର ନେତ୍ରୀ ଇନ୍ଦିରା ଦାଶ, ସାମାଜିକ କର୍ମୀ ପ୍ରତାପ ସାହୁ ଓ ଦି ହ୍ୟୁମାନିଟିର ସମ୍ପାଦକ ରାଜେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ