ଆଡ଼ପ ଅବକାଶେ ହେରା ପଂଚମୀ

ବିପିନ ବିହାରୀ ମହାନ୍ତି

ଆଷାଢ଼ ଶୁକ୍ଳ ଦ୍ୱିତୀୟାଦିନ ଜିଊମାନଙ୍କର ଶ୍ରୀମନ୍ଦିରରୁ ରଥଯୋଗେ ଆଡ଼ପ ମଣ୍ଡପ ଅର୍ଥାତ୍ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯେଉଁ ଯାତ୍ରା ହୁଏ, ତାକୁ ଆଡ଼ପଯାତ୍ରା ଅଥବା ଶ୍ରୀଗୁଣ୍ଡିଚା ଯାତ୍ରା କିମ୍ବା ସେମିତି କିଛିରେ ନାମିତ ହୋଇଥାଏ । ସେଦିନ ଜିଉମାନଙ୍କର ଆଡ଼ପ ପ୍ରବେଶ ନ ହୋଇ ରାତିଟି ଆଡ଼ପ ମଣ୍ଡପ ବାହାର ପ୍ରାଙ୍ଗଣେ କଟିଥାଏ ଓ ଏବଂ ପରଦିନ ଯଥାରୀତି ପହଣ୍ଡି ବିଜେ ସହ ଆଡ଼ପ ସିଂହାସନ ବିଜେ ହୋଇଥାଏ । ଜିଉମାନେ ସାତଦିନ ଯାଏଁ ଆଡ଼ପ ଅବସ୍ଥାନ କରନ୍ତିି । ରଥଯାତ୍ରାର ପଂଚମ ଦିବସ ଅର୍ଥାତ୍ ଆଷାଢ଼ ଶୁକ୍ଳ ଷଷ୍ଠୀକୁ ହେରାପଞ୍ଚମୀ କହନ୍ତିି । ଆଡ଼ପ କାଳର ହେରାପଂଚମୀ ଏକ ପ୍ରଧାନ ପର୍ବ । ଏହାକୁ ସାଧାରଣତଃ ହେରାପଂଚମୀ , ହେରୋତ୍ସବ ବା ଲକ୍ଷ୍ମୀଙ୍କ ବିଜେ ଉତ୍ସବ ବୋଲି କୁହାଯାଏ । ‘ହେରା’ ଅର୍ଥ ‘ଦେଖା ବା ଦର୍ଶନ ’ । ଏହି ଦିନ ଲକ୍ଷ୍ମୀଙ୍କର ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଗୁଣ୍ଡିଚା ମନ୍ଦିରକୁ ଗୁପ୍ତ ଗମନ ହୋଇଥାଏ । ବାମଦେବ ସଂହିତାରେ ଉଲ୍ଲେଖ ଅଛି :
“ଦ୍ୱିତୀୟା ପଞ୍ଚମଦିନେ ତୟୀ ଯାତ୍ରା କୃତ ପ୍ରିୟେ ।
ଧବଂସା ଦୀକ୍ଷିତୁ ତତ୍ର ଗୁପ୍ତଯାତ୍ରା କୃତାତାୟା ।ା”
ଏହିଦିନ ଶ୍ରୀମନ୍ଦିରର ଲକ୍ଷ୍ମୀ ଠାକୁରାଣୀଙ୍କର ମାଜଣା ବଢ଼ିସାରି ବନକ ଲାଗିପରେ ପାଟ ଅଳଙ୍କାର ଇତ୍ୟାଦି ରେ ତାଙ୍କୁ ବିଭୂଷିତ କରାଯାଏ । ଏହାପରେ ପନ୍ତିରୋଗ ପରେ ତାଙ୍କ ବିଜେ ପ୍ରତିମାକୁ ବଟବୃକ୍ଷ ମୂଳେ ଅପେକ୍ଷା କରାଯାଇଥିବା ପାଲିଙ୍କିରେ ବିଜେ କରାଯାଏ । ଏଥୁଅନ୍ତେ ଏହି ବିଜେ ପ୍ରତିମାକୁ ଛତି, ତ୍ରାଶ, ଘନ୍‌ଟ, କାହାଳୀ ଇତ୍ୟାଦି ସଲଟଣରେ ରାତ୍ରିକାଳରେ ଗୁଣ୍ଡିଚା ମନ୍ଦିରକୁ ନିଆଯାଏ । ଏଥିରେ ଲକ୍ଷ୍ମୀଙ୍କର ସେବକ ଓ ଦେବଦାସୀମାନେ ଯୋଗ ଦେଇଥାନ୍ତି । ସେଠାରେ ଶ୍ରୀ ଜଗନ୍ନାଥଙ୍କ ରଥ ପାଖରେ ପ୍ରଥମେ ପ୍ରସାଦ ଲାଗି ଓ ବନ୍ଦାପନା ଆଲଟ ଚାମରନୀତି ହୋଇ ଘଷା ବିଡ଼ିଆ ଓ ଦହିପଟି ।ଲାଗିପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରାଯାଏ । ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରର ଜୟ ବିଜୟ ଦ୍ୱାର ନିକଟରେ ପହଂଚିଲେ ଜଗନ୍ନାଥଙ୍କ ଶ୍ରୀ ଅଙ୍ଗରୁ ଆଜ୍ଞାମାଳ ଆଣି ତାଙ୍କୁ ଅର୍ପଣ କରଯାଏ । ଏହି ସମୟରେ ଜଗନ୍ନାଥଙ୍କ ପୂଜା ପଣ୍ଡା ଜୀଉମାନଙ୍କର ପୂଜା ବଢ଼ାଇ ଓ ଧୂପ ଦୀପ ଦେଇ ଟେରା ପକାଇ ଦିଏ । ଫଳରେ ମହାଲକ୍ଷ୍ମୀ ଜଗନ୍ନାଥଙ୍କର ଦର୍ଶନ ନପାଇ କ୍ରୋଧ ଓ ଅପମାନରେ ଗୁଣ୍ଡିଚା ମନ୍ଦିରରୁ ନାକଚଣା ଦ୍ୱାର ଦେଇ ବାହାରି ଆସନ୍ତି ଏବଂ ଆସିଲାବେଳେ ନନ୍ଦିଘୋଷ ରଥ ନିକଟକୁ ଆସି, ରଥର ଖଣ୍ଡିଏ କାଠ ଭାଙ୍ଗି ଦିଅନ୍ତି । ଅବଶ୍ୟ ଏକାର୍ଯ୍ୟ ଲକ୍ଷ୍ମୀଙ୍କ ତରଫରୁ ଜଣେ ପଣ୍ଡାଙ୍କ ଦ୍ୱାରା ସାଧିତ ହୋଇଥାଏ । କାଳେ ଏକଥା କିଏ ଜାଣିବ, ସେଥିପାଇଁ ମହାଲକ୍ଷ୍ମୀ ବିମାନ ଯୋଗେ ସିଧା ବଡ଼ ଦାଣ୍ଡେ ଦାଣ୍ଡେ ନ ଆସି ବିନା ବାଜା ଓ ରୋଷଣୀ ର ଆଡ଼ମ୍ବରରେ ହେରା ଗୋହିରୀସାହି ବାଟ ଦେଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତନ କରିଥାଆନ୍ତି । ଏହାହିଁ ସଂକ୍ଷେପରେ ହେରା ପଂଚମୀ ।
ଶ୍ରୀଜଗନ୍ନାଥ ଓ ମହାଲକ୍ଷ୍ମୀ ଉଭୟେ ଦେବ-ଦେବୀ ହେଲେହେଁ ସେମାନଙ୍କଠି ମାନବତ୍ୱର ଗୁଣ ଓ କାର୍ଯ୍ୟାବଳୀ ଆରୋପ କରାଯାଇଛି । ଆମପାଇଁ ଦାମ୍ପତ୍ୟ ଜୀବନ ଭିତରେ ଯେପରି ମାନ, ଅଭିମାନ, ରାଗ ବା କ୍ରୋଧ ତଥା ପ୍ରେମ ଓ ବନ୍ଧନ ଲାଗିରହିଛି ଏବଂ ଜଣକ ଅନୁପସ୍ଥିତିର ଅନ୍ୟର ଜୀବନ ଯେପରି ଭାରସାମ୍ୟ ହରାଇ ବସୁଛି ତଥା ଦୁର୍ବିସହ ଲାଗୁଛି, ଆଉ ସେ ତା’ବାଟ ଚାହିଁବସୁଛି, ତାକୁ ଲୋଡ଼ି ବା ଖୋଜି ବସୁଛି, ତାହାର ଏକ ନିଚ୍ଛକ ନିଦର୍ଶନ ହିଁ ହେରାପଂଚମୀ ।

ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା,
ମୋ-୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ