ଆୟୁର୍ବେଦିକ ଚିକିତ୍ସାଳୟର ନିଜସ୍ୱ ଗୃହ ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଚିକିତ୍ସାଳୟ ଖୋଲାଯାଇଛି । ମାତ୍ର ଏହି ଚିକିତ୍ସାଳୟର କେଉଁଠି ନିଜସ୍ୱ ଗୃହ ନାହିଁ ତ ଆଉ କେଉଁଠି ଡାକ୍ତର ଆସୁ ନାହାନ୍ତି । ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ ହୋଇ ଔଷଧ ଯୋଗାଇ ଦିଆଯାଉଥିଲେ ମଧ୍ୟ ତାହା ନଷ୍ଟ ହେଉଛି । ଫଳରେ ରୋଗୀମାନେ ଚିକିତ୍ସା ସେବା ଓ ମାଗଣା ଔଷଧ ପାଇବାରୁ ବଂଚିତ ହେଉଛନ୍ତି । ଯାହାକୁ ନେଇ ନାଉଗାଁ ବ୍ଳକ ଡେରିକି ପଂଚାୟତସ୍ଥିତ ଗଂଗଦାହାଟ ଆୟୁର୍ବେଦିକ ଚିକିତ୍ସାଳୟର ନିଜସ୍ୱ ଗୃହ ସହିତ ଶୌଚାଳୟ ଆଦି ନିର୍ମାଣ ପାଇଁ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ଗଂଗଦାହାଟରେ ୧୯୮୦ ମସିହାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ଖୋଲାଯାଇଥିଲା । ଏହି ଚିକିତ୍ସାଳୟ ଖେ।।ଲା ହେବା ଦ୍ୱାରା ନାଉଗାଁ ବ୍ଳକ ଅଧିନ ଡେରିକି, କୋରୁଅ, ଓଷକଣା, ତିରୁଣା, ଡାବର ଆଦି ପଂଚାୟତ ସମେତ ପୁରୀ ଜିଲ୍ଲାର ଭଣ୍ଡିସାହି, ମୁତୁଣିଆ ଆଦି ଗ୍ରାମର ଜନସାଧାରଣମାନେ ଉପକୃତ ହେବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଏହି ଚିକିତ୍ସାଳୟର ନିଜସ୍ୱ ଗୃହ ନଥିବାରୁ ହାଟରେ ଥିବା ବିଶ୍ରାମଗୃହରେ ଚାଲୁ ଆସୁଛି । ଏହି ଚିକିତ୍ସାଳୟରେ ନାଁ ଶୌଚାଳୟ ଅଛି ନାଁ ପିଇବା ପାଣିର ମଧ୍ୟ ସୁବିଧା ନାହିଁ । ଏପରିକି ବିଦ୍ୟୁତ ସେବା ମଧ୍ୟ ନାହିଁ । ଅନ୍ୟପଟରେ ଚିକିତ୍ସା କେନ୍ଦ୍ର ସମ୍ମୁଖରେ ଜୈନିକ ବ୍ୟକ୍ତି ବ୍ୟବସାୟୀ ପାଇଁ ଗୋଡି ଓ ଲୁହା ରଡ ରଖିଥିବାରୁ ଚିକିତ୍ସାଳୟ ସମ୍ମୁଖ ଅଳିଆ ଆବର୍ଜନା ଗଦା ହୋଇ ରହିଛି । ଫଳରେ ରୋଗୀମାନେ ଚିକିତ୍ସାଳୟକୁ ଚିକିତ୍ସା ଲାଗି ଆସୁନଥିବା ଅଭିଯୋଗ ହୋଇଛି । ତେଣୁ ଏହାର ନିଜସ୍ୱ ଗୃହ ସହିତ ଶୌଚାଳୟ ଆଦି ନିର୍ମାଣ ଦାବିରେ ସ୍ଥାନୀୟ ଅଂଚଳର ସମାଜସେବୀ ଶରତ କୁମାର ପୁହାଣ, ରାହାସ ଜେନା, ବିଭୁତି ସାହଣୀ, ନରେଶ ବେହେରାଙ୍କ ୧୦୦ରୁ ଉର୍ଦ୍ଧ ଦସ୍ତଖତ ସମ୍ବଳିତ ଦାବିପତ୍ର ବିଧାୟକ ଶ୍ରୀ ମୁଦୁଲିଙ୍କୁ ପ୍ରଦାନ କରାଯାଇଛି ।


