ଆୟୁଷ ବିକାଶ ମଞ୍ଚର ପରିବର୍ଦ୍ଧିତ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ସ୍ଥାନୀୟ ନୂଆବଜାର ସ୍ଥିତ ଆୟୁଷ ବିକାଶ ମଞ୍ଚର କାର୍ଯ୍ୟାଳୟରେ ତଥା ଡା. ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଆୟୁଷ ବିକାଶ ମଞ୍ଚର ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ବାଲେଶ୍ୱର ମେଡିକାଲ୍ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା ଓ ମମତା ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ଏହି ବୈଠକରେ ସ୍ୱାଗତ କରାଯାଇଥିଲା । ମଞ୍ଚର ସଂପାଦକ ହିମାଂଶୁ ଶେଖର ଦାସ ଆୟୁଷ ଚିକିତ୍ସାଳୟ ସ୍ଥାପନାର ଅଗ୍ରଗତି ତଥା ବୈଷୟିକ ତ୍ରୁଟି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲାର ଚିକିତ୍ସାକ୍ଷେତ୍ରରେ ବିଭିନ୍ନ ଅବହେଳା ଓ ଡାକ୍ତରଙ୍କ ଅଭାବ ପଦବୀ ପୂରଣ, ମଞ୍ଜୁରୀପ୍ରାପ୍ତ ଆୟୁଷ ଚିକିତ୍ସାଳୟର କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ଓ ଏକ ଆୟୁର୍ବେଦିକ ମେଡିକାଲ୍ କଲେଜ୍ ଖୋଲିବା ପାଇଁ ସରକାରଙ୍କଠାରେ ଦାବିରେ ବାଲେଶ୍ୱର ଜିଲ୍ଲା ମେଡିକାଲ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନୁଷ୍ଠିତ ନିରବ ପ୍ରତିବାଦକୁ ନେଇ ଆୟୁଷ ବିକାଶ ମଞ୍ଚ ତରଫରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ମଞ୍ଚର କାର୍ଯ୍ୟକାରୀ ସଭାପତି ଡା. ଲକ୍ଷ୍ମୀକାନ୍ତ ହୋତା ଓ ଉପଦେଷ୍ଟା ଡା. ପ୍ରଭାକର ରଥଙ୍କ ପ୍ରସ୍ତାବ କ୍ରମେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ଦେବାପାଇଁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ବାଲେଶ୍ୱରରେ ଏକ ଆୟୁର୍ବେଦିକ ଭେଷଜ ମହାବିଦ୍ୟାଳୟ, ରେମୁଣାରେ ଆୟୁଷ ଚିକିତ୍ସାଳୟ ସ୍ଥାପନ ତଥା ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଆୟୁର୍ବେଦିକର ଏକ ବହିର୍ଚିକିତ୍ସା ବିଭାଗ ଖୋଲିବା ପାଇଁ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସନୱାଲଜୀଙ୍କୁ ଅନୁରୋଧ ରଖିଥିôବାରୁ ସାଂସଦଙ୍କୁ ଏହି ଅବସରରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଡା. ପ୍ରମୋଦ ରାଉତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।