ଇକୋରାଇଜ୍ ଆଲିଆନ୍ସ ତରଫରୁ ସଚେତନତା

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ):  ଇକୋରାଇଜ୍ ଆଲିଆନ୍ସର ଚେୟାରମ୍ୟାନ୍ କବିତା ମହାନ୍ତଙ୍କ ସଂଯୋଜନାରେ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ସ୍ଥିତ ଝୁମ୍ପୁରା ଗ୍ରାମ ପଂଚାୟତରେ ଶତାଧିକ ମହିଳାଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଝୁମ୍ପୁରା ପଂଚାୟତର ସରପଂଚ ରେବତୀ ବିରୁଆ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସମାଜସେବୀ ସଞ୍ଜୟ କୁମାର ପଣ୍ଡା,ସମ୍ମାନୀତ ଅତିଥି ଭାବେ ସହକାରୀ ଶ୍ରମ ଅଧିକାରିଣୀ ଝମ୍ପୁରା ବ୍ଲକ ରୀତାଞ୍ଜଳି ମାରାଣ୍ଡି,ଉଗ୍ରେସନ ମୁଣ୍ଡା, ତିରୁପତ୍ତି ବେହେରା ପ୍ରମୁଖ କାର୍ଯ୍ୟକ୍ରମ ଯୋଗ ଦେଇ ସ୍ୱବକ୍ତ୍ୟମାନ ରଖିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷା କବିତା ମହାନ୍ତ କାର୍ଯକ୍ରମ ସମ୍ବନ୍ଧରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ଶ୍ରୀମତୀ ମହାନ୍ତ ଉପସ୍ଥିତ ମହିଳା ମାନଙ୍କୁ ବିଷେଶତଃ ଆଦିବାସୀଙ୍କ ସବାଙ୍ଗୀନ ଉନ୍ନତି, କୃଷି, ନାରୀଙ୍କ ଆତ୍ମରକ୍ଷା କୌଶଳ, ଆଦିବାସୀ ଶ୍ରମିକ ମାନଙ୍କ ଉନ୍ନତି ପାଇଁ ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ସୂଚନା ଦେଇଥିଲେ । ମୁଖ୍ୟବକ୍ତା ଶ୍ରୀ ପଣ୍ଡା କେନ୍ଦୁଝର ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ହେତୁ ଏବଂ ଶିକ୍ଷା କ୍ଷେତ୍ରରେ ବିଶେଷ ଉନ୍ନତି କରିନଥିବା ହେତୁ ଅଜ୍ଞତା ବଶତଃ ସରକାରଙ୍କ ବହୁ ଜନହିତକର କାର୍ଯ୍ୟ ଗୁଡିକ ସମ୍ବନ୍ଧରେ ଜାଣିନପାରି ତାର ସୁଫଳ ପାଉନଥିବାରୁ ଉପସ୍ଥିତ ସମସ୍ତ ମହିଳା ମାନଙ୍କୁ ଉପଯୁକ୍ତ ଶିକ୍ଷା ନିମିତ୍ତ ଗୁରୁତ୍ୱାରୋପ କରିଥିଲେ । ତତ୍ସଙ୍ଗେ ସଙ୍ଗେ ଏହି ଜିଲ୍ଲା ମୁଖ୍ୟତଃ କୃଷି ପ୍ରଧାନ ଜିଲ୍ଲା ଭାବେ ସର୍ବ ବିଦିତ । ପାରମ୍ପରିକ କୃଷି କାର୍ଯ୍ୟ ନକରି ଉନ୍ନତମାନର କୃଷି କାର୍ଯ୍ୟ କରାଗଲେ ଖାଦ୍ୟ ସମସ୍ୟା ଦୂର ହେବା ସଙ୍ଗେ ସଙ୍ଗେ ଦାଦନ ଖଟିବାକୁ ଦୂରକୁ ଯିବାକୁ ପଡିବ ନାହିଁ ବୋଲି କହିଥିଲେ । ସାମ୍ପ୍ରତିକ ସ୍ଥିତିରେ ନାରୀମାନେ ଆଜି ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି । ଆତ୍ମ ସୁରକ୍ଷା ପାଇଁ ସର୍ବନିମ୍ନ ଜ୍ଞାନ କୌଶଳ ଆହରଣ କଲେ ସମ୍ଭାବ୍ୟ ବିପଦ ଗୁଡିକରୁ ମୁକ୍ତି ମିଳିପାରିବ । ଏଥିପାଇଁ ଉପସ୍ଥିତ ମହିଳା ମାନଙ୍କୁ ସଚେତନ ହୋଇ ତଦନୁଯାୟୀ କାର୍ଯ୍ୟ କରିବାକୁ ନିବେଦନ କରିଥିଲେ । ଅନ୍ୟତମ ଅତିଥି ସହକାରୀ ଶ୍ରମ ଅଧିକାରିଣୀ ରୀତାଞ୍ଜଳି ମାରାଣ୍ଡି ସ୍ୱବକ୍ତବ୍ୟରେ କହିଥିଲେ ଯେ, ଆମ ରାଜ୍ୟ ତଥା ଜିଲ୍ଲାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନେ ବିଭିନ୍ନ ସମୟରେ ଶାରିରୀକ, ମାନସିକ ଓ ଆର୍ଥିକ କଷ୍ଟ ପାଉଥିବା ନଜିର ରହିଛି । ଏହାକୁ ପ୍ରତିହତ କରିବାକୁ ହେଲେ ଶ୍ରମ ପଞ୍ଜିକରଣ କାର୍ଯ୍ୟାଳୟରେ ନିଜର ନାମକୁ ପଞ୍ଜିକରଣ କରାଗଲେ ତାଙ୍କର ଭବିଷ୍ୟତ ସୁନିଶ୍ଚିତ ହେବା ସଙ୍ଗେ ସଙ୍ଗେ ନିରାପତା ରହିବ ବୋଲି କହିଥିଲେ । ଶ୍ରମ ପଞ୍ଜିକରଣ ପାଇଁ ଆବଶ୍ୟକୀୟ ସରକାରୀ ନିୟମମାନ ଉପସ୍ଥିତ ମହିଳା ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ଯଥା – ବର୍ଷରେ ଅନ୍ୟୁନ ୯୦ ଦିନ କାର୍ଯ୍ୟ କରିଥିବେ, ସେମାନଙ୍କର ଆଧାର କାର୍ଡ ଓ ବ୍ୟାଙ୍କ୍ ପାସବୁକ, କର୍ମ ନିଯୁକ୍ତି କାର୍ଯ୍ୟ ପ୍ରମାଣପତ୍ର ବାଧ୍ୟତା ମୂଳକ ଅଟେ । ଏହିସବୁ କାଗଜ ଧରି ଅନଲାଇନ୍ରେ ଆବେଦନ କରିବେ । ଆବଶ୍ୟକ ସ୍ଥଳେ କିଛି ଅସୁବିଧା ପରିଲକ୍ଷିତ ହେଲେ ଆମ୍ଭେ  ସବୁ ପ୍ରକାରର ସହାୟତା ଯୋଗାଇ ଦେବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରିଶେଷରେ ସରପଂଚ ରେବତୀ ବିରୁଆ ଶତାଧିକ ମହିଳା ଏଥିରେ ଭାଗ ନେଇଥିବା ହେତୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସଙ୍ଗେ ସଙ୍ଗେ ପଂଚାୟତବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ