ଇନ୍ଦୁପୁର ସିଏଚସି ଆଶାକର୍ମୀ ସଙ୍ଘର ପ୍ରତିବାଦ ସଭା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ଇନ୍ଦୁପୁର ସିଏଚସି କମିଟିର ଏକ ପ୍ରତିବାଦ ସଭା କମିଟି ସଭାପତି ସରସ୍ୱତୀ ସ୍ୱାଇଁଙ୍କ ସଭାପତିତ୍ୱରେ ସିଏଚସି ସନ୍ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ଶୋଭାଯାତ୍ରା ସାଥି ମାତାଜୀ ନାୟକ, ବାସନ୍ତୀ ବାରିକ, ସସ୍ମିତା ବାରିକ, ସ୍ନେହଲତା ପ୍ରଧାନଙ୍କ ନେତୃତ୍ୱରେ ଇନ୍ଦୁପୁର ବଜାର ପରିକ୍ରମା କରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ପହଞ୍ଚିବା ପରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ସମ୍ପାଦିକା କାନ୍ତିପ୍ରଭା ନାୟକ, ଏ.ଆଇ. ଟି. ୟୁ. ସି. ନେତା ଅକ୍ଷୟ ମଲିକ, ସଂଗଠନର ଉପସଭାପତି ଭଜହରି ପ୍ରଧାନ, ସିଏଚସି ସମ୍ପାଦିକା ନନ୍ଦିନୀ ସ୍ୱାଇଁ, ଉପସଭାପତି ମାନିନୀ ମଲ୍ଲିକ, ଗୋଲାପ ସାହୁ, ଅହଲ୍ୟା ବାରିକ, କନକମଞ୍ଜରୀ ସ୍ୱାଇଁ, ଦିପ୍ତୀରେଖା ଦାସ, ରାଜ୍ୟ ଉପସଭାପତି ରମଣୀରଞ୍ଜନ ରାଉତରାୟ ପ୍ରମୁଖ ଯୋଗଦେଇ ତୁରନ୍ତ ଆଶାକର୍ମୀମାନଙ୍କୁ ସରକାର ଘୋଷଣା କରିଥିବା ପ୍ରାପ୍ୟ ୪ହଜାର ୭୫୦ଟଙ୍କା ପ୍ରଦାନ କରିବା, ପଦୋନ୍ନତି ପ୍ରଦାନ, ପେନସନ ପ୍ରଦାନ, ସାମାଜିକ ସୁରକ୍ଷା, ମୃତ୍ୟୁକାଳୀନ ସହାୟତା ଏକ ଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା, ମୋବାଇଲ ସେଟ ପ୍ରଦାନ କରାଯିବା, ଘରୋଇ ନର୍ସିଂହୋମ ଆଶାକର୍ମୀଙ୍କୁ ପ୍ରାପ୍ୟ ପ୍ରଦାନ କରିବା, ମାସିକ ୨୧ହଜାର ଟଙ୍କା ପାରିଶ୍ରମିକ, ସରକାରୀ ଚାକିରୀର ମାନ୍ୟତା, କୋଭିଡ ସହାୟତା ଏକ ହଜାର ବଦଳରେ ୭ହଜାର ୫ଶହ ଟଙ୍କା ପ୍ରଦାନ କରାଯିବା, ପ୍ରତି ଗ୍ରାମରେ ଆଶାଗୃହ ନିର୍ମାଣ କରାଯିବା ପ୍ରଭୃତି ୧୧ଦଫା ଦାବି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସରକାର ଏହି ଦାବି ଗୁଡିକ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ସଙ୍ଘ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଦେବୀ ପଦାରବିନ୍ଦ ସାମଲ ଦାବିପତ୍ର ଗ୍ରହଣ କରିଥିଲେ । ଆସନ୍ତା ସୋମବାର ଡାକ୍ତରଖାନା କତ୍ତୃପକ୍ଷ ସଂଗଠନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିବାକୁ ଦିନ ଧାର୍ଯ୍ୟ କରାଯାଇଥିବା ସୂଚନା ଦିଆଯାଇଛି ।