ଭରତପୁର ଫୋରପୋଲ ଛକ – କେନାଲବନ୍ଧ ରାସ୍ତା ଶୋଚନୀୟ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ଭରତପୁର ଫୋରପୋଲଛକ ଠାରୁ ଗୋବରୀ କେନାଲ ବନ୍ଧ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ପ୍ରାୟ ୨୦ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ରାସ୍ତାର ଅବସ୍ଥା ବର୍ତ୍ତମାନ ଚଳାଚଳ ପାଇଁ ଅତ୍ୟନ୍ତ ଅନୁପଯୁକ୍ତ ହୋଇପଡିଛି । ବଡ ବଡ ଖାଲଖମାରେ ପରିପୂର୍ଣ୍ଣ ହୋଇପଡିଥିବା ଏହି ରାସ୍ତାରେ ଦୈନିକ ଦୁର୍ଘଟଣାମାନ ଘଟି ଧନଜୀବନ କ୍ଷୟକ୍ଷତି ହେବାରେ ଲାଗିଛି । ୨୦ ବର୍ଷ ମଧ୍ୟରେ ଏହି ରାସ୍ତା ମରାମତି ହୋଇନାହିଁ । ଗମନାଗମନ ପାଇଁ ଅତ୍ୟନ୍ତ ଅନୁପଯୁକ୍ତ ହୋଇପଡିଥିବା ଏହି ରାସ୍ତା ଦେଇ ଦୈନନ୍ଦିିନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମେତ ଜିଲା ସଦର ମହକୁମାରେ ଥିବା ତହସିଲ, ବ୍ଲକ, କୃଷି, ଜଳସେଚନ, ଗ୍ରାମ୍ୟ ଉନ୍ନୟନ ପ୍ରଭୃତି ବିଭିନ୍ନ କାର୍ଯ୍ୟାଳୟକୁ ହଜାର ହଜାର ସଂଖ୍ୟାରେ ଲୋକ ଯାତାୟତ କରିଥାନ୍ତି । ଏହାବ୍ୟତିତ ଜରୁରୀକାଳୀନ ସେବା ଆମ୍ବୁଲାନ୍ସ ଗାଡି ଓ ଅଗ୍ନିଶମ ବିଭାଗର ଗାଡି ଗ୍ରାମ ଭିତରକୁ ଆସିବାରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଗ୍ରାମର ବୟବୃଦ୍ଧ ଲୋକମାନେ ମଧ୍ୟ ଏହି ରାସ୍ତାରେ ଚାଲି ଚାଲି ଯିବାରେ ସମସ୍ୟା ଭୋଗୁଛନ୍ତି । ରାସ୍ତାଟିକୁ ମରାମତି କିମ୍ବା ନିର୍ମାଣ କରାଯିବା ପାଇଁ ଭରତପୁର ଗ୍ରାମପଞ୍ଚାୟତର ସରପଞ୍ଚନିଳାମ୍ବର ମଲିକ ଓ ପୂର୍ବତନ ମଣ୍ଡଳ ଉନ୍ନୟନ ଅଧିକାରୀ ବନ୍ଦନା ଖଟୁଆଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ନିବେଦନ ସତ୍ତ୍ୱେ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଗ୍ରାମବାସୀ ପ୍ରବୋଧ କୁମାର ଦାସ, ଶକ୍ତି ପ୍ରସାଦ ମହାନ୍ତି, ଶିବ ପ୍ରସାଦ ଦାସ, ଗୋପାଳ ଚରଣ ଦାସ, ଶ୍ରୀଚରଣ ବେହେରା, ସୁବୋଧ କୁମାର ଦାସ, କାହ୍ନୁ ଚରଣ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି ଯେ ଏହି ରାସ୍ତାର ମରାମତି କରିବା ପାଇଁ ସେମାନେ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଯାଇଛନ୍ତି । ଏ ନେଇ ଭିନ୍ନ ଭିନ୍ନ ସମୟରେ ଦାୟିତ୍ୱରେ ଥିବା ବିଡିଓଙ୍କୁ ସେମାନେ ଅଭିଯୋଗପତ୍ର ପ୍ରଦାନ କରି ଏହାର ପ୍ରତିକାର ବ୍ୟବସ୍ଥା ପାଇଁ ଦାବି କରିଛନ୍ତି । ହେଲେ ସେମାନଙ୍କ ଅଭିଯୋଗପତ୍ର ନାଲିଫିତା ତଳେ ରହିଯାଇଛି ବୋଲି କ୍ଷୋଭର ସହ ସେମାନେ ପ୍ରକାଶ କରିଛନ୍ତି । ବ୍ଲକ କାର୍ଯ୍ୟାଳୟରୁ ନିରାଶ ହେବା ପରେ ରାସ୍ତାଟିର ତୁରନ୍ତ ମରାମତି କିମ୍ବା ପୁନଃ ନିର୍ମାଣ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଜିଲାପାଳଙ୍କ ନିକଟରେ ଦାବି କରାଯାଇଥିବା ଲୋକେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ