ଈଶ୍ୱରଙ୍କ ନାମରେ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ନାମରେ ଶପଥନେଲେ ଆନ୍ଧ୍ର ବିଧାୟକ

ଅମରାବତୀ (ଏଜେନ୍ସି): ମନ୍ତ୍ରୀ ହୁଅନ୍ତୁ କି ବିଧାୟକ, ସମ୍ବିଧାନର ନିୟମ ଅନୁସାରେ ଏହି ପଦ ପାଇଁ ଶପଥ ନେବା ବେଳେ କହିବାକୁ ପଡ଼ିଥାଏ ମୁଁ ଅମୁକ, ଈଶ୍ୱରଙ୍କ ନାମରେ ଶପଥ ନେଉଛି ଯେ…. । କିନ୍ତୁ ଆନ୍ଧ୍ରପ୍ରଦେଶର ଜଣେ ନବ ନିର୍ବାଚିତ ୱାଇଏସ୍ଆଇ କଂଗ୍ରେସ ପାର୍ଟିର ବିଧାୟକ ବିଚିତ୍ର ଢ଼ଙ୍ଗରେ ଶପଥ ନେଲେ । ସେ କହିଥିଲେ ମୁଁ ମୁଖ୍ୟମନ୍ତ୍ରୀଙ୍କ ନାମରେ ଶପଥ ନେଉଛି ଯେ… । ବିଧାୟକଙ୍କର ଏଭଳି ଶପଥ ପାଠ ଉପସ୍ଥିତ ଅସ୍ଥାୟୀ ବାଚସ୍ପତି ଏବଂ ଅନ୍ୟ ନବ ନିର୍ବାଚିତ ବିଧାୟକମାନଙ୍କୁ ଚକିତ କରିଥିଲା । ଅବଶ୍ୟ ବାଚସ୍ପତିଙ୍କ ତାଗିଦ ପରେ ସଂପୃକ୍ତ ବିଧାୟକ ଜଣଙ୍କ ଈଶ୍ୱରଙ୍କ ନାମରେ ଶପଥ ନେବାକୁ ବାଧ୍ୟ ହୋଇଥିଲେ । ମାତ୍ର ପରେ ସ୍ପଷ୍ଟ କରି ଦେଇଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନାମରେ ଶପଥ ନେଇ ସେ କିଛି ଭୁଲ୍ କରି ନାହାନ୍ତି । ବାସ୍ତବରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ମୋ ପାଇଁ ଭଗବାନ, ଈଶ୍ୱର । ମୁଖ୍ୟମନ୍ତ୍ରୀଙ୍କ ନାମରେ ଶପଥ ନେଇ ଖବରର ଶିରୋନାମାରେ ରହିଥିବା ଆନ୍ଧ୍ରପ୍ରଦେଶର ଏହି ନବନିର୍ବାଚିତ ବିଧାୟକ ଜଣଙ୍କ ହେଲେ କୋଟମରେଡ୍ଡୀ ଶ୍ରୀଧର ରେଡ୍ଡୀ ସେ ହେଉଛନ୍ତି ନେଲୋର ଆସନରୁ ନିର୍ବାଚିତ ବିଧାୟକ । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ନିଜର ଆନୁଗତ୍ୟ ପ୍ରଦର୍ଶନ କରିବାକୁ ଯାଇ ସେ ଏଭଳି ପଦକ୍ଷେପ ନେଇଥିଲେ । ଶ୍ରୀଧର ରେଡ୍ଡୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋ ପାଇଁ ଭଗବାନ । ସେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଶପଥ ନେବାର ଦେଖି ଅସ୍ଥାୟୀ ବାଚସ୍ପତି ସମ୍ବାଙ୍ଗି ଅପାଲା ନାଇଡୁ ଆପତ୍ତି ଉଠାଇଥିଲେ ଓ ଆଉଥରେ ଶପଥ ନେବାକୁ କହିଥିଲେ । ଏହାପରେ ଶ୍ରୀଧର ପୁନର୍ବାର ଈଶ୍ୱରଙ୍କ ନାମରେ ଶପଥ ନେଇଥିଲେ । ପରେ ସେ କହିଛନ୍ତି ଯେ, ଆନୁଗତ୍ୟର ବଶବର୍ତ୍ତୀ ହୋଇ ସେ ନିୟମ ବାହାରକୁ ଯାଇ ଶପଥ ନେଇଥିଲେ । ମୁଁ ଏଭଳି ଏକ ଗରିବ ପରିବାରରୁ ଆସିଛି ଯେଉଁ ପରିବାରର କୌଣସି ରାଜନୈତିକ ପୃଷ୍ଠଭୂମି ବା ସୁଦୃଢ଼ ଆର୍ଥିକ ପୃଷ୍ଠଭୂମି ନାହିଁ । ନେତାଙ୍କୁ ଭଗବାନ ମାନିବାରେ ଭୁଲ୍ କ’ଣ ବୋଲି ପ୍ରଶ୍ନ କରନ୍ତି ଶ୍ରୀଧର ରେଡ୍ଡୀ । ସେ କହିଛନ୍ତି ଯେ, ଜଗନ ମୋତେ ଦ୍ୱିତୀୟ ଥର ପାଇଁ ବିଧାୟକ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନାମରେ ଶପଥ ନେବା ପଛରେ ମୋର କୌଣସି ପ୍ରକାର ପଦ ପାଇବାର ଇଛାନାହିଁ । ଗତ ପାଞ୍ଚ ବର୍ଷ ମଧ୍ୟରେ ମୁଁ ମୋର ସମସ୍ତ ଦରମା ଗରିବ ପିଲାଙ୍କୁ ବାଣ୍ଟି ଦେଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ଟିଡିପିର କିଛି ବିଧାୟକ ଏନ୍ଟି ରାମାରାଓଙ୍କ ନାମରେ ଶପଥ ନେଉଥିଲେ । ସେମାନଙ୍କୁ ଏଭଳି କରିବା ପାଇଁ ଅନୁମତି ଦିଆଯାଉଥିଲା ବୋଲି ଶ୍ରୀଧର ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ