ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବ ଉଦ୍ଘାଟିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ଗାଁ ଗହଳିରେ ମହୋତ୍ସବ ଜରିଆରେ ଭାଇଚାରାର ବନ୍ଧନ ସୃଷ୍ଟି ହେବା ସହିତ ଭାବର ଆଦାନ ପ୍ରଦାନ ତଥା ଓଡ଼ିଶାର ବିଭିନ୍ନ କଳା ସଂସ୍କୃତିକୁ ଉଦଜୀବିତ କରି ରଖିବାର ଏକ ମାଧ୍ୟମ ପାଲଟିଛି ବୋଲି ମଙ୍ଗଳବାର ୯ମବାର୍ଷିକ ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବରେ ଉଦ୍ଘାଟକ ଭାବେ ଯୋଗଦେଇ ଉପ ଜିଲ୍ଲାପାଳ ମନୋଜ କୁମାର ପାତ୍ର ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ସାହିତ୍ୟ ପତ୍ରିକା ନବକାକଳୀର ସମ୍ପାଦକ ଡ଼. ସୁରେନ୍ଦ୍ରନାଥ ତ୍ରୀପାଠି କହିଲେ, ଐତିହ୍ୟ ଓ ସଂସ୍କୃତିର ପରମ୍ପରା ସୃଷ୍ଟି କରିଛି ଆଗରପଡ଼ା ମାଟି । ଏହି ମାଟିରେ ଯୋଗଜନ୍ମା ପୁରୁଷ ଉତ୍କଳ କେଶରୀ ଡ଼. ହରେକୃଷ୍ଣ ମହତାବ ଜନ୍ମ ଗ୍ରହଣ କରି ସମଗ୍ର ଓଡ଼ିଶାକୁ ଦିଗଦର୍ଶନ ଦେଇଥିଲେ । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ଖବରକାଗଜ ପ୍ରଜାତନ୍ତ୍ରରେ ପ୍ରକାଶିତ ‘ଗାଁ ମଜଲିସ’, ‘ମୀନାବଜାର’, ଓଡ଼ିଶା ଇତିହାସର ଲେଖକ ଭାବେ ଏ ଦେଶ ଓ ଜାତି ସବୁଦିନ ପାଇଁ ମନେ ରଖିବ । ତାଙ୍କରି ଜନ୍ମମାଟିରେ ଉତ୍କଳ କେଶରୀ ମହୋତ୍ସବ ଆୟୋଜନ ପୂର୍ବକ ଗାଁ ଗହଳିରୁ ପ୍ରତିଭା ଚୟନ କରି ଲେକଲୋଚନକୁ ଆଣିବାରେ କମିଟିର ଉଦ୍ୟମକୁ ସାଧୁବାଦ ଜଣାଇଥିଲେ । ମହୋତ୍ସବ କମିଟିର ସଭାପତି ଉଚ୍ଚ ନ୍ୟାୟାଳୟର ଆଇନଜୀବି ମନୋଜ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଧାମନଗର ଏସଡ଼ିପିଓ ବିଜୟ କୁମାର ମହାପାତ୍ର, ବିଡିଓ ପ୍ରଦୀପ କୁମାର ସେଠୀ, ତହସିଲଦାର ଅଙ୍କିତା ବାରିକ, ଉପ ସଭାନେତ୍ରୀ ମମତା ମହାନ୍ତି, କମିଟି ଉପଦେଷ୍ଟା ଇଂ ମଧୁସୂଦନ ସାହୁ, ବିଦ୍ୟାଧର ବେହେରା, ହରମୋହନ ପଣ୍ଡା, କୈଳାସ ଚନ୍ଦ୍ର ଧଳ, ମନ୍ଦିରା ଡ଼୍ୟାନ୍ସ ଏକାଡ଼େମୀର ଅଧ୍ୟକ୍ଷା ଶ୍ୱେତପଦ୍ମା ଦାସ ବେହେରା ମଞ୍ଚାସୀନ ହୋଇ ଆଗରପଡ଼ା ଭଳି ଗ୍ରାମାଞ୍ଚଳରେ ମହୋତ୍ସବର ଆୟୋଜନ ଅତ୍ୟନ୍ତ କଷ୍ଟସାଧ୍ୟ ଅଟେ ଓ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । କମିଟିର ସମ୍ପାଦକ ସାମ୍ବାଦିକ ହେମନ୍ତ ସିଂହ ମହୋତ୍ସବର ବିବରଣୀ ରଖିବା ସହ ୯ବର୍ଷରେ ଏହି ଉତ୍ସବ ପଦର୍ପଣ କରିଛି । ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗ ଓ ଉତ୍ସାହ ଯୋଗୁଁ ବର୍ଷକୁ ବର୍ଷ ଏହାର କଳେବର ବୃଦ୍ଧି ପାଇବାରେ ଲାଗିଛି ବୋଲି କହିଥିଲେ । ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କାଙ୍କ ମଞ୍ଚ ପରିଚାଳନାରେ ଶିକ୍ଷାବିତ ରମାକାନ୍ତ ଜେନା ଅତିଥି ପରିଚୟ ଓ ପଞ୍ଚାନନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଉପସଭାପତି ଗୋପାଳ କୃଷ୍ଣ ଦାଶ, ଅଶୋକ କୁମାର ପରିଡ଼ା, ହିମାଂଶୁ ଶେଖର ସାହୁ, ଶ୍ୟାମସୁନ୍ଦର ଦାସ, ଶ୍ରଦ୍ଧାଞ୍ଜଳି ସାହୁ, ଚିତ୍ତରଞ୍ଜନ ଦାସ, ଦିପକ ପୁରୀ. ନିହାର ରଞ୍ଜନ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ କମିଟିର ଉପଦେଷ୍ଟା ବିବଂଗତ ରଥ ବେହେରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ମନ୍ଦିରା ଡ଼୍ୟାନ୍ସ ଗ୍ରୁପର କଳାକାର ମାନଙ୍କ ଦ୍ୱାରା ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।