ଉତ୍କଳ ଗୌରବ ସାଂସ୍କୃତିକ ପରିଷଦ ପକ୍ଷରୁ ବିଶେଷ ସ୍ମୃତି ସଚେତନତା ସଭା
ବାଲେଶ୍ୱର, (ସରୋଜ ପଣ୍ଡା):ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜାତିପ୍ରୀତି ଓ ଜୀବନାଦର୍ଶ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିବା ଓ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ଉଦ୍ଦେଶ୍ୟରେ ବାଲେଶ୍ୱରର ଉତ୍କଳ ଗୌରବ ମଧୁସୂଦନ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ହୋଇଥିଲା ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରିନ୍ସ କଲେ ପରିସରରେ ଅନୁଷ୍ଠିତ କାର୍ଯ୍ୟକମରେ ପରିଷଦର ସଭାପତି ତଥା ଯୁବ ଶିଳ୍ପଦ୍ୟୋଗୀ ଲକ୍ଷ୍ମୀନାରାୟଣ ମହାନ୍ତି ଏଥିରେ ସଭାପତିତ୍ୱ କରିବା ସହିତ ସ୍ମୃତିସଭାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପରିଷଦର ସମ୍ପାଦକ ପୁରୁଷତୋମ ବିଶ୍ୱାଳ ମଧୁବାବୁଙ୍କ ଜୀବନଶୈଳୀ ଓ କାର୍ଯ୍ୟଧାରା ଉପରେ ଭାବବିହ୍ୱଳ ବକ୍ତବ୍ୟ ରଖିଥିଲେ । ଓଡ଼ିଆ ଭାଷା ସହିତ୍ୟର ବିଶିଷ୍ଟ ଗବେଷକ ତଥା ପ୍ରାଧ୍ୟାପକ ଡ. ରମାକାନ୍ତ ବେହେରା ଏଥିରେ ଯୋଗଦେଇ ଓଡ଼ିଆ ଭାଷା, ଅନ୍ୟ ଆନ୍ତର୍ଜାତିକ ଭାଷା ସହ କିଭଳି ସାମଞ୍ଜସ୍ୟ ରହିଛି ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଓଡ଼ିଆ ଭାଷାର ଅସ୍ମିତା ସମ୍ପର୍କରେ ସଂସ୍କୃତ ବିଦ୍ୱାନ ଯେଉଁ ଆର୍ତ ଶବ୍ଦ ଉଚ୍ଚାରଣ କରିଥିଲେ “ଉତ୍କଳସ୍ୟ ସମୋଦେଶ ଯଶୋନାସ୍ତି ମହୀତଳେ” ଉଚ୍ଚାରଣ କରି ଆମର ଜାତି ଗଙ୍ଗା ଠାରୁ ଗୋଦାବରି ଗୋଟିଏ ଭାଷା ଓ ଗୋଟିଏ ରାଜ୍ୟରେ ପରିଗଣିତ ହୋଇଥିଲା ବୋଲି ସେ କହିଥିଲେ । ତେବେ ଓଡ଼ିଆ ଭାଷାକୁ ଅବକ୍ଷୟ ପାଇଁ କିଛି ବଙ୍ଗୀୟ କବି ସାହିତ୍ୟିକଙ୍କ ଯେଉଁ ହୀନ ଚକ୍ରାନ୍ତ ଚାଲିଥିଲା ତାହାକୁ ପ୍ରତିହତ କରିବାପାଇଁ ଉତ୍କଳ ଗୌରବ ମଧୁସୂଦନ ଓ ତାଙ୍କର ସହଯୋଗୀ ବ୍ୟାସକବି ଫକୀରମୋହନ ସେନାପତି, କବିବର ରାଧାନାଥ ରାୟ ବାଲେଶ୍ୱର ମାଟିରେ ଏକତ୍ରିତ ହୋଇଥିଲେ ବୋଲି ସେ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ନିଜର ମାତୃଭୂମି ଓ ମାତୃଭାଷାର ଇତିହାସ ସମ୍ପର୍କରେ ପ୍ରତ୍ୟେକ ଛାତ୍ରଛାତ୍ରୀ ଜାଣିବା ଏକାନ୍ତ ଆବଶ୍ୟକ ବୋଲି ଡ. ବେହେରା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଆଇନଜୀବୀ ତ୍ରିଦୀବ ନାୟକ, ବରିଷ୍ଠ ସାମ୍ବାଦିକ ସତ୍ୟପ୍ରିୟ ମହାନ୍ତି, ମହାବିଦ୍ୟାଳୟର ଅଧ୍ୟକ୍ଷ ବବିତା ବେହେରା ପ୍ରମୁଖ ଏଥିରେ ଯୋଗଦେଇ ତତ୍କାଳୀନ ଉତ୍କଳର ବିକାଶ ଓ ଓ ସ୍ୱତନ୍ତ୍ର ପ୍ରଦେଶ ଗଠନରେ ମଧୁବାବୁଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଆଇନଜୀବୀ ପ୍ରଜ୍ଞା ପରମିତା ବିଶ୍ୱାଳ ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସଭାରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ରାଜଲକ୍ଷ୍ମୀ ଦାସ ଏବଂ ପ୍ରତୀକ୍ଷା ସାହୁ ମଧୁବାବୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭାବ ଉଦ୍ଦୀପକ ବକ୍ତବ୍ୟ ଉତଥାପନ କରିଥିଲେ । ଶେଷରେ ପରିଷଦର ବରିଷ୍ଠ ସଦସ୍ୟ ଭାବଗ୍ରାହୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାଧ୍ୟାପକ ବିନୋଦ କୁମାର ନାୟକଙ୍କ ସମେତବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଉପସ୍ଥିତ ଥିଲେ ।