ଋଗଣ ଶିଳ୍ପାନୁଷ୍ଠାନ କାର୍ଯ୍ୟକ୍ଷମ ପାଇଁ ଅଣ୍ଟା ଭିଡ଼ିଲା‘ଫ୍ୟୁଚର ବାଲେଶ୍ୱର’
ବାଲେଶ୍ୱର, (ସରୋଜ ପଣ୍ଡା): ଶିଳ୍ପାୟନ କ୍ଷେତ୍ରରେ ଶୀର୍ଷକୁ ଯାଇଥିବା ବାଲେଶ୍ୱର ଜିଲାରେ ଶିଳ୍ପାନୁଷ୍ଠାନଗୁଡ଼ିକ ଧୀରେ ଧୀରେ ଋଗଣ ହୋଇ ଓ ବନ୍ଦ ହେବାର ସ୍ଥିତିରେ ପହଞ୍ଚିବାକୁ ନେଇ ଉଦବେଗ ପ୍ରକାଶ କରିଛି ‘ଫ୍ୟୁଚର ବାଲେଶ୍ୱର’ ସଂଗଠନ । ଶିଳ୍ପାନୁଷ୍ଠାନ ଗୁଡ଼ିକର ଏଭଳି ସ୍ଥିତିରେ ଜିଲାର ଶ୍ରମିକଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବା ସଂଗଠନ ପକ୍ଷରୁ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ କହିଛନ୍ତି । ‘ଫ୍ୟୁଚର ବାଲେଶ୍ୱର’ର ସଭାପତି ବିଜୟ ପାଣିଗ୍ରାହୀ, ସମ୍ପାଦକ ଦୁକୁଲ ଚନ୍ଦ୍ର ଘଡ଼ାଇ ଓ ଭବାନୀ ଶଙ୍କର ପଣ୍ଡା ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରମିକଙ୍କ ପ୍ରତି କମ୍ପାନୀ କର୍ତ୍ତୃପକ୍ଷ କିମ୍ବା ସରକାରଙ୍କ ସମବେଦନା ନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଉତ୍ତର ଓଡ଼ିଶାର ପ୍ରମୁୁଖ ବୃହତ ଶିଳ୍ପାନୁଷ୍ଠାନ ‘ବିର୍ଲା ଟାୟାର୍ସ’ର ଶ୍ରମିକମାନେ । ୧୯୯୧ ମସିହାରେ ଏଥିରେ ୩ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ କର୍ମଚାରୀ ନିଯୁକ୍ତି ପାଇଥଲେ । ସଫଳତାର ସହ ଚାଲିଥିବା ଏହି ଶିଳ୍ପ ସଂସ୍ଥାରେ ୨୦୧୦ ମସିହାରୁ ପରିଚାଳନାଗତ ତ୍ରୁଟି ପରିଲକ୍ଷିତ ସହ ୨୦୧୬ ବେଳକୁ ମାସରେ ମାତ୍ର ୧୫ରୁ ୨୦ ଦିନ ଉତ୍ପାଦନକ୍ଷମ ରହିଥିଲା । ୨୦୧୯ ଏପ୍ରିଲ ପରଠାରୁ କମ୍ପାନୀ ୨ରୁ୩ ମାସରେ ଥରେ ମାସକର ଦରମା ଦେବା ଆରମ୍ଭ କରିଥିଲା କର୍ତ୍ତୃପକ୍ଷ । ତେବେ ୨୦୨୦ଏପ୍ରିଲ ମାସରେ ଶ୍ରମିକଙ୍କୁ ମାତ୍ର ୧୫ଦିନର ଦରମା ଦିଆଯାଇଥିବା ବେଳେ ଇତିମଧ୍ୟରେ ୧୫ମାସ ବିତିଥିଲେ ବି ସେମାନଙ୍କୁ ଆଉ ଆଦୌ ପ୍ରାପ୍ୟ ନମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଫ୍ୟୁଚର ବାଲେଶ୍ୱରର ସଭାପତି ଶ୍ରୀ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି । କର୍ମଚାରୀଙ୍କ ପିଏଫ, ଇଏସଆଇସି କିସ୍ତି ମଧ୍ୟ କମ୍ପାନି କର୍ତ୍ତୃପକ୍ଷ ଜମା କରୁନାହାନ୍ତି । ତେବେ ବିରଳା ଶ୍ରମିକଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଥିବା ସେ କହିଛନ୍ତି । ସେହିପରି ବାଲେଶ୍ୱର ଆଲୋୟେଜ ବନ୍ଦ ହୋଇଯିବା କାରଣରୁ ସେଥିରେ କାର୍ଯ୍ୟ କରୁଥିବା କର୍ମଚାରୀ ଜୀବିକା ହରାଇ ବହୁ କଷ୍ଟରେ କାଳାତିପାତ କରୁଛନ୍ତି । ଅନୁରୂପ ଭାବେ ଇମାମୀ ପେପର ମିଲ୍ସର ଅବସ୍ଥା ମଧ୍ୟ ଶୋଚନୀୟ ଆଡ଼କୁ ଗତି କରୁଥିବା ଶ୍ରୀ ପାଣିଗ୍ରାହୀ କହିଛନ୍ତି । ଏହି ଧାରା ବଜାୟ ରହିଲେ ଆଗାମୀ ଦିନରେ ବାଲେଶ୍ୱର ଶିଳ୍ପଶୂନ୍ୟ ଜିଲା ହୋଇଯିବାକୁ ବେଶୀ ସମୟ ଲାଗିବ ନାହିଁ ବୋଲି ସଂଗଠନର କର୍ମକର୍ତ୍ତାମାନେ ମତ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱରର ବୁଦ୍ଧଜୀବୀ, ରାଜନେତା, ଶ୍ରମିକ ନେତା ତଥା ସଂଗଠନମାନେ ମିଳିତ ଭାବେ ଶିଳ୍ପାନୁଷ୍ଠାନଗୁଡିକୁ କାର୍ଯ୍ୟକ୍ଷମ ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ପ୍ରୟୋଗ ନିମନ୍ତେ ଶ୍ରୀ ପାଣିଗ୍ରାହୀ ନିବେଦନ କରିଛନ୍ତି । ମାସକ ମଧ୍ୟରେ ଅବସ୍ଥା ନ ସୁଧୁରିଲେ ସଂଗଠନ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ ପାଇଁ ବାଧ୍ୟ ହେବ ବୋଲି ସେ ଚେତାବନୀ ଦେଇଥିଲେ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାଲେଶ୍ୱରରେ ୮୭୦ କୋଟି ଟଙ୍କା ଖର୍ଚ୍ଚରେ ଏକ ଇଥାନଲ ପ୍ଲାଂଟ ସ୍ଥାପନ ପାଇଁ ନିଷ୍ପତି ନେଇଥିବାରୁ ଶ୍ରୀ ପାଣିଗ୍ରାହୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ପେଟ୍ରୋଲିୟମ ତଥା ବର୍ତମାନର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।