ଏକର ପିଛା ଧାନ ଫସଲ ପାଇଁ ୨୦ହଜାର ଓ ଅର୍ଥକାରୀ ଫସଲ ପାଇଁ ୨୫ହଜାର ଦିଅ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜୱାଦ ଜନିତ ଲଗାଣ ବର୍ଷାରେ କେନ୍ଦ୍ରାପଡା ଜିଲ୍ଲାରେ ବ୍ୟାପକ ଫସଲହାନୀ ଘଟିବା ଯୋଗୁଁ ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସିଛି । କୃଷକ ସର୍ବଶାନ୍ତ ହେବା ସହିତ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ସାରା ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଡିସେମ୍ବର ୧୬ତାରିଖ ସୁଦ୍ଧା ଫସଲ କ୍ଷୟକ୍ଷତିର ତଦନ୍ତ କରିବା ପାଇଁ ରାଜସ୍ନ ନିରୀକ୍ଷକମାନଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ ବାସ୍ତବ କଥା ହେଉଛି ଏପର୍ଯ୍ୟନ୍ତ ଶତକଡା ୨୦ପ୍ରତିଶତ ତଦନ୍ତ ମଧ୍ୟ ହୋଇନାହିଁ । ଜିଲ୍ଲା ପ୍ରଶାସନ କାଗଜ କଲମରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଉଦ୍ୟମ କରୁଛି । ରାଜସ୍ୱ ନିରୀକ୍ଷକମାନେ ଜମିଜମାର ପ୍ରକୃତ ଅଞ୍ଚଳ ଗସ୍ତ କରୁନାହାନ୍ତି । ଏଥିସହିତ ଜିଲ୍ଲା ପ୍ରଶାସନ ଆନୁମାନିକ ୩୩ ପ୍ରତିଶତ କ୍ଷୟକ୍ଷତି ଜିଲ୍ଲାରେ ହୋଇଥିବା ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ଯାହାକି ସମ୍ପୂର୍ଣ୍ଣ ଅସତ୍ୟ ଅଟେ । ଏଥିସହିତ ଏକର ପିଛା ଏକ ତୃତୀୟାଂଶ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି । ଜାତୀୟ ଏବଂ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରେ ମାତ୍ର ୬ହଜାର ୫ଶହ ଟଙ୍କା କ୍ଷତିପୁରଣ ପ୍ରଦାନର ବ୍ୟବସ୍ଥା ରହିଥିବା ବେଳେ ଚାଷୀମାନଙ୍କୁ ମାତ୍ର ଦୁଇ ହଜାର ଟଙ୍କା ପ୍ରଦାନର ନିଷ୍ପତ୍ତି ସମୁଦ୍ରକୁ ଶଙ୍ଖେ ସଦୃଶ । ଏହାବାଦ କେନ୍ଦ୍ରାପଡା ଜିଲ୍ଲାରେ ଧାନ ଚାଷର ପ୍ରାୟ ୬୫ପ୍ରତିଶତ ଭାଗଚାଷୀ ଥିବା ବେଳେ ସେମାନଙ୍କ ପାଇଁ ସରକାରୀ ସ୍ତରରେ କୈାଣସି ବ୍ୟବସ୍ଥା କରାନଯିବା ଦୁର୍ଭାଗ୍ୟର ବିଷୟ । ଏଭଳି ପରିସ୍ଥିତିରେ ଚାଷୀମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ଓ କେନ୍ଦ୍ର ବିପର୍ଯ୍ୟୟ ପାଣ୍ଠିରୁ ସହାୟତା ପ୍ରଦାନର ପୁରାତନ ବ୍ୟବସ୍ଥାକୁ ସଂଶୋଧନ କରାଯାଇ ଚାଷୀମାନଙ୍କୁ ଧାନ ଫସଲ ଏକର ପିଛା ୨୦ହଜାର ଟଙ୍କା ଏବଂ ଅର୍ଥକାରୀ ଫସଲ କିମ୍ବା ପନିରିବା ଚାଷ ନିମନ୍ତେ ଏକର ପିଛା ୨୫ହଜାର ଟଙ୍କା, ପ୍ରକୃତ ଭାଗଚାଷୀଙ୍କୁ ଚିହ୍ନଟ କରାଯାଇ କ୍ଷତିପୁରଣ ପ୍ରଦାନ କରାଯିବାକୁ ଓଡିଶା କୃଷକ ସଭାର ଜିଲ୍ଲା ସମ୍ପାଦକ ଗୟାଧର ଧଳ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଏହାବ୍ୟତିତ ବର୍ତ୍ତମାନ ପରିସ୍ଥିତିରେ ସରକାରୀ ମଣ୍ଡି ଗୁଡିକରେ ଚାଷୀଙ୍କ ଠାରୁ ଧାନ କିଣିବା ବେଳେ କୋହଳ ମନୋଭାବ ପୋଷଣ କରିବା ଏବଂ ସରକାରୀ ଧାର୍ଯ୍ୟ ଦରରେ ଧାନ କିଣାଯିବା ସହ ଟୋକନ ବ୍ୟବସ୍ଥାକୁ ଉଛେଦ କରାଯିବାକୁ ଦାବି କରାଯାଇଛି । ଆସନ୍ତା ରବି ଫସଲ ପାଇଁ ମାଗଣାରେ ଯୁଦ୍ଧକାଳୀନ ଭିତ୍ତିରେ ସାର, ବିହନ ଓ କୀଟନାଶକ ଚାଷୀମାନଙ୍କୁ ଯୋଗାଇ ଦିଆଯିବାକୁ ଦାବି କରାଯାଇଛି । ଏସମ୍ପର୍କରେ ଓଡିଶା କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ଦାବିପତ୍ର ପ୍ରଦାନ ସମୟରେ ସଭାପତି ଉମେଶ ଚନ୍ଦ୍ର ସିଂହ, ବରିଷ୍ଠ ନେତା କାଳି ପ୍ରସାଦ ନାୟକ, ମାଧବ ଦାସ, ବିଜୟ ଦାସ, ବାବାଜୀ ପରିଡା, ନରୋତ୍ତମ ପାର୍ଥସାରଥି, ଜଗତଜୀବନ ଦାଶ, ଦାମୋଦର ଧଳ ପ୍ରମୁଖ ଉପସ୍ଥିତ ଥିଲେ । ଯଦି ଜିଲ୍ଲା ପ୍ରଶାସନ ୭ଦିନ ମଧ୍ୟରେ ଦାବି ପୁରଣ ନକରେ ତେବେ ଓଡିଶା କୃଷକ ସଭା ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ପ୍ରଶାସନକୁ ଚେତାବନୀ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ