ବାତ୍ୟା କ୍ଷୟକ୍ଷତି ଆକଳନ ସମୟ ବୃଦ୍ଧି ପାଇଁ ଜିଲ୍ଲା ବିଜେପିର ଦାବି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବାତ୍ୟା ଜୱାଦ ଜନିତ କ୍ଷୟକ୍ଷତିର ଆକଳନ ସମୟ ବୃଦ୍ଧି କରାଯିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଏସମ୍ପର୍କିତ ଦାବି ପତ୍ରରେ ଉଲ୍ଲେଖ ରହିଛି ଯେ ବାତ୍ୟା ‘ଜୱାଦ’ ଦ୍ୱାରା ସମଗ୍ର କେନ୍ଦ୍ରାପଡା ଜିଲ୍ଲାର ଅନେକ ସ୍ଥାନରେ କୃଷକମାନଙ୍କର ବହୁମାତ୍ରାରେ ଫସଲହାନୀ ହୋଇଛି । ଯାହାର ଆକଳନ ପାଇଁ କେନ୍ଦ୍ରୀୟ ଟିମ ଆସି ପରିଦର୍ଶନ କରି ଫେରିଯାଇଛନ୍ତି । ସେହି ଫସଲହାନୀର କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାରେ ରାଜସ୍ୱ ନିରୀକ୍ଷକମାନେ ଚାଷୀମାନଙ୍କୁ ବିନା ସୂଚନାରେ ଚାଷଜମିର ସରଜମିନ ତଦନ୍ତ କରିବା ସହ ଆବଶ୍ୟକୀୟ କାଗଜପତ୍ର ପାଇଁ ଦାବି କରୁଛନ୍ତି । ଫଳରେ ଅନେକ ଚାଷୀ ଏହି କାଗଜପତ୍ର ଯଥା ସମୟରେ ଦେଇପାରୁନାହାନ୍ତି । ଯାହା ଫଳରେ କ୍ଷତିଗ୍ରସ୍ତ ଚାଷୀମାନେ ସହାୟତାରୁ ବଞ୍ଚିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ତେଣୁ ଏହାକୁ ଗୁରୁତ୍ୱ ପ୍ରଦାନ କରାଯାଇ ଚାଷୀମ଼ାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି କ୍ଷୟକ୍ଷତି ଆକଳନର ଅବଧି ଆଉ ସାତଦିନ ବୃଦ୍ଧି କରିବା ପାଇଁ ଜିଲ୍ଲା ବିଜେପି ସଭାପତି ଶ୍ରୀ ପଣ୍ଡା ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।


