ଏକାଧିକ ଅଭୂତପୂର୍ବ ମାଇଲଖୁଣ୍ଟ ହାସଲ କଲା ଭାରତ

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ବିରୋଧୀ ଲଢ଼େଇରେ ଭାରତ ଅନେକ ଅଭୂତପୂର୍ବ ମାଇଲଖୁଣ୍ଟ ଅତିକ୍ରମ କରିଛି । ବିଗତ ୧୦୬ ଦିନ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ମୋଟ କରୋନା ସକ୍ରିୟ ମାମଲା ୫ ଲକ୍ଷ ତଳକୁ ହ୍ରାସ ପାଇଛି । ଆଜି ମୋଟ ସକ୍ରିୟ ମାମଲା ୪,୯୪,୬୫୭କୁ କମିଛି । ଜୁଲାଇ ୨୮ ତାରିଖରେ ମୋଟ ସକ୍ରିୟ ମାମଲା ବୋଝ ୪,୯୬,୯୮୮ ରହିଥିଲା । ଏହାଦ୍ୱାରା ମୋଟ କରୋନା ଆକ୍ରାନ୍ତ ସଂଖ୍ୟାରେ ସକ୍ରିୟ ମାମଲାର ଅଂଶ ୫.୭୩% ହୋଇଛି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଦେଶରେ ସକ୍ରିୟ ମାମଲାରେ ହ୍ରାସ ଧାରା ନିରନ୍ତର ଭାବେ ଜାରି ରହିଛି । ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ କରୋନା ସଂକ୍ରମଣର ନୂଆ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଭାରତରେ ସକ୍ରିୟ ମାମଲା ସଂଖ୍ୟା ଏତେ ତଳକୁ ଖସିବା ନିଶ୍ଚିତ ଗୁରୁତ୍ୱ ବହନ କରୁଛି । କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ, ଲକ୍ଷ୍ୟଭିତ୍ତିକ ରଣନୀତି ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ସେଗୁଡ଼ିକର ଫଳପ୍ରଦ କାର‌୍ୟ୍ୟକାରିତା, ଡାକ୍ତର ଏବଂ ସମସ୍ତ କୋଭିଡ-୧୯ ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ତଥା ନିଃସ୍ୱାର୍ଥପର ସେବା ଯୋଗୁ ଭାରତ ଏଭଳି ଅଦ୍ଭୁତ ସଫଳତା ହାସଲ କରିପାରିଛି । ୨୭ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୨୦,୦୦୦ରୁ କମ ସକ୍ରିୟ ମାମଲା ରହିଛି | ମାତ୍ର ୮ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୨୦,୦୦୦ରୁ ଅଧିକ ମାମଲା ରହିଛି; ଦୁଇଟି ରାଜ୍ୟ (ମହାରାଷ୍ଟ୍ର ଓ କେରଳ)ରେ ୫୦,୦୦୦ରୁ ଅଧିକ ସକ୍ରିୟ ମାମଲା ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୪୪,୨୮୧ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଏହି ସମୟ ମଧ୍ୟରେ ୫୦,୩୨୬ ସକ୍ରିୟ ମାମଲା ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ଲଗାତର ୩୯ ଦିନ ହେଲା ଦୈନିକ କରୋନା ମାମଲା ତୁଳନାରେ ଦୈନିକ ଆରୋଗ୍ୟ ସଂଖ୍ୟା ଅଧିକ ହେବାରେ ଲାଗିଛି । ମୋଟ ଆରୋଗ୍ୟ ଏବଂ ମୋଟ ସକ୍ରିୟ ମାମଲା ସଂଖ୍ୟା ମଧ୍ୟରେ ଏଭଳି ତଫାତ ଯୋଗୁ ଦେଶରେ ମୋଟ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମୋଟ ଆରୋଗ୍ୟ ସଂଖ୍ୟା ଦେଶରେ ୮୦ ଲକ୍ଷ ଅତିକ୍ରମ କରିଛି । ମୋଟ ସୁସ୍ଥ ଲୋକଙ୍କ ସଂଖ୍ୟା ଆଜିର ତାରିଖରେ ୮୦,୧୩,୭୮୩ ରହିଛି । ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ୭୫,୧୯,୧୨୬କୁ ବୃଦ୍ଧି ପାଇଛି । ଆରୋଗ୍ୟ ହାର ୯୨.୭୯%କୁ ବୃଦ୍ଧି ପାଇଛି । ଅନ୍ୟ ଏକ ମାଇଲଖୁଣ୍ଟ ଭାବେ ଭାରତରେ ନମୁନା ପରୀକ୍ଷା ସଂଖ୍ୟା ୧୨ କୋଟି ଅତିକ୍ରମ କରିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୫୩,୨୯୪ ନମୁନା ପରୀକ୍ଷା କରାଯାଇଛି । ନମୁନା ପରୀକ୍ଷଣ ଭିତ୍ତିଭୂମି ସୁଦୃଢ଼ ହେବା ଫଳରେ ସ୍ୱଳ୍ପ ଦୈନିକ ମାମଲା ସଂଖ୍ୟା ଧାରା ସମ୍ଭବ ହୋଇପାରିଛି । ନମୁନା ପରୀକ୍ଷଣ ସଂଖ୍ୟା ଅଧିକ ହେବା ଯୋଗୁ ରୋଗୀ ମାନଙ୍କୁ ଆଗୁଆ ଚିହ୍ନଟ କରାଯାଇ ପାରୁଛି । ଫଳରେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ନ ଥିବା ଲୋକମାନେ ସଂକ୍ରମଣରୁ ସୁରକ୍ଷିତ ରହିପାରୁଛନ୍ତି । ନୂଆ ଦୈନିକ ମାମଲା ଲଗାତର ଭାବେ ୫୦,୦୦୦ ତଳେ ରହିଆସୁଛି । ନୂଆ ଆରୋଗ୍ୟ ମାମଲାର ୭୭% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ରହିଥିବା ଦେଖିବାକୁ ମିଳିଛି । ମହାରାଷ୍ଟ୍ରରେ ଦୈନିକ ଆରୋଗ୍ୟ ସଂଖ୍ୟା ସର୍ବାଧିକ ରହିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୬,୭୧୮ ରୋଗୀ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଏହା ପଛକୁ କେରଳରେ ୬,୬୯୮ ରୋଗୀ ସୁସ୍ଥ ହୋଇଥିବା ବେଳେ ଦିଲ୍ଲୀରେ ୬,୧୫୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଦୈନିକ ନୂଆ କରୋନା ମାମଲାର ୭୮% ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚିହ୍ନଟ କରାଯାଇଛି । ଦିଲ୍ଲୀରେ ସର୍ବାଧିକ ଦୈନିକ ନୂଆ ମାମଲା ୭,୮୩୦ ରହିଛି । ଏହା ପଛକୁ କେରଳରେ ୬,୦୧୦ ନୂଆ ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟାରେ ନୂଆ କୋଭିଡ ମୃତ୍ୟୁରେ ୭୯% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଦେଖିବାକୁ ମିଳିଛି । ୨୪ ଘଣ୍ଟାରେ ଦେଶରେ ୫୧୨ ଜଣ ପ୍ରାଣ ହରାଇଛନ୍ତି । ମୋଟ କରୋନା ମୃତ୍ୟୁ ହାର ୧.୪୮% ରହିଛି ଏବଂ ଏଥିରେ ହ୍ରାସ ଧାରା ବଳବତ୍ତର ରହିଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ସର୍ବାଧିକ ୧୧୦ ଲୋକଙ୍କ ମୃତ୍ୟୁ ଘଟିଛି । ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଯଥାକ୍ରମେ ୮୩ ଓ ୫୩ ଜଣଙ୍କ ଜୀବନ ଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ