୧୦ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପିଏଲ୍‌ଆଇ ସ୍କିମ୍ କାର୍ଯ୍ୟକାରୀ କରିବା ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦେଶର ୧୦ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲ୍‌ଆଇ ସ୍କିମ୍‌) କାର୍ଯ୍ୟକାରୀ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଏହାଦ୍ୱାରା ଭାରତର ଉତ୍ପାଦନ ଦକ୍ଷତା ଓ ରପ୍ତାନୀ କାରବାର ବୃଦ୍ଧି ପାଇବ । ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏହି ସ୍କିମ୍ କାର‌୍ୟ୍ୟକାରୀ ହେବ ସେଗୁଡିକ ହେଲା- ଆଡଭାନ୍ସ କେମିଷ୍ଟ୍ରି ସେଲ୍ (ଏସିସି) ବ୍ୟାଟେରୀ, ଇଲେକ୍ଟ୍ରୋନିକ୍‌/ଟେକ୍ନୋଲଜି ଉତ୍ପାଦ, ଅଟୋମୋବାଇଲ ଓ ଅଟୋ ଯନ୍ତ୍ରାଂଶ, ଔଷଧପତ୍ର, ଟେଲିକମ ଓ ଟେଲିଯୋଗାଯୋଗ ଉତ୍ପାଦ, ଏମଏମ୍‌ଏଫ୍ ବର୍ଗର ବୟନ ସାମଗ୍ରୀ ଏବଂ ଟେକ୍ନିକାଲ ଟେକ୍ସଟାଇଲ, ଖାଦ୍ୟପଦାର୍ଥ, ଅତିଦକ୍ଷ ସୌର ପିଭି ମଡ୍ୟୁଲ୍ସ, ଏୟାର କଣ୍ଡିସନ୍ସ ଏବଂ ଏଲ୍‌ଇଡି ଭଳି ହ୍ୱାଇଟ ଗୁଡ୍‌ସ ଓ ସ୍ୱତନ୍ତ୍ର ଧରଣର ଇସ୍ପାତ । ଏଥିରେ କେବଳ ଏସିସି ବ୍ୟାଟେରୀ କ୍ଷେତ୍ରରେ ଏହି ଯୋଜନାକୁ ନୀତି ଆୟୋଗ ଏବଂ ଭାରୀ ଶିଳ୍ପ ଉଦ୍ୟୋଗ ବିଭାଗ କାର‌୍ୟ୍ୟକାରୀ କରିବେ । ଅନ୍ୟ ୯ଟି କ୍ଷେତ୍ରରେ ସଂପୃକ୍ତ ମନ୍ତ୍ରଣାଳୟ ବା ବିଭାଗ ଦ୍ୱାରା ଏହା କାର୍ଯ୍ୟକାରୀ ହେବ । ଏଥିପାଇଁ ମୋଟ ୧୪୫୯୮୦ କୋଟି ଟଙ୍କାର ବ୍ୟୟ ବରାଦ ମଧ୍ୟ ଅନୁମୋଦନ ଲାଭ କରିଛି । ପାଞ୍ଚବର୍ଷ ମଧ୍ୟରେ ଏହିସବୁ ଉଦ୍ୟୋଗରେ ସଂପୃକ୍ତ ଅର୍ଥ ଖର୍ଚ୍ଚ କରାଯିବ । ସାମଗ୍ରୀ ଓ ବିଭାଗୱାରୀ ବ୍ୟୟ ବରାଦ ଏଥିସହିତ ପ୍ରଦତ୍ତ ଟେବୁଲରେ ପ୍ରଦାନ କରାଯାଇଛି । ଏହି ସ୍କିମ୍‌ର କାର୍ଯ୍ୟକାରିତା ନିର୍ଦ୍ଧାରିତ ଅର୍ଥ ସୀମା ଅନୁସାରେ ସଂପୃକ୍ତ ବିଭାଗ ଓ ମନ୍ତ୍ରଣାଳୟ କରିବେ । ପିଏଲ୍‌ଆଇର ଚୂଡାନ୍ତ ପ୍ରସ୍ତାବ ପ୍ରତ୍ୟେକ କ୍ଷେତ୍ର ବିଶେଷରେ ବ୍ୟୟ ସଂକ୍ରାନ୍ତ ବିତ୍ତ କମିଟି (ଇଏଫ୍‌ସି) ଦ୍ୱାରା ଅନୁଧ୍ୟାନ ପରେ କ୍ୟାବିନେଟ ଦ୍ୱାରା ଅନୁମୋଦିତ ହେବ । କୌଣସି ଏକ କ୍ଷେତ୍ର ପାଇଁ ଅନୁମୋଦନ ଲାଭ କରିଥିବା ବ୍ୟୟ ପ୍ରସ୍ତାବ ଯଦି ବଳି ପଡେ, ଆବ୍ୟଶକସ୍ଥଳେ ସେହି ଅର୍ଥକୁ ଅନୁରୂପ ଅନୁମୋଦିତ କ୍ଷେତ୍ରରେ ବ୍ୟୟ କରାଯାଇପାରିବ । ଏଥିପାଇଁ କ୍ଷମତାପ୍ରାପ୍ତ ସଚିବ ଗୋଷ୍ଠୀଙ୍କ ଅନୁମୋଦନ କ୍ରମେ ଏହା କରାଯିବ । ଏହି ୧୦ଟି କ୍ଷେତ୍ର ବ୍ୟତୀତ ଅନ୍ୟ କୌଣସି ନୂଆ କ୍ଷେତ୍ରରେ ଯଦି ପିଏଲ୍‌ଆଇ ସ୍କିମର ଆବଶ୍ୟକତା ଅନୁଭୂତ ହୁଏ ସେଥିପାଇଁ କ୍ୟାବିନେଟର ସାନି ଅନୁମୋଦନ ଆବଶ୍ୟକ ।  ଉପରୋକ୍ତ ୧୦ଟି କ୍ଷେତ୍ରରେ ପିଏଲ୍‌ଆଇ ସ୍କିମ କାରୀ ହେଲେ ଭାରତ ତିଆରି ସାମଗ୍ରୀ ଓ ଏହାର ଉତ୍ପାଦକମାନେ ବିଶ୍ୱ ବଜାରରେ ପ୍ରତିଯୋଗିତା କରିବାକୁ ସକ୍ଷମ ହେବେ । ଏହାଦ୍ୱାରା ଦକ୍ଷତା ବୃଦ୍ଧି, ନୂଆ ଟେକ୍ନୋଲଜିର ଉପଯୋଗ ପାଇଁ ପୁଞ୍ଜି ନିବେଶର ସୁଯୋଗ ସୃଷ୍ଟି ହେବ । ପିଏଲ୍‌ଆଇ ମଧ୍ୟ ସଂପୃକ୍ତ ଉଦ୍ୟୋଗର ଦକ୍ଷତା ବୃଦ୍ଧିକରି ଅଧିକ ଉନ୍ନତମାନର ସାମଗ୍ରୀ ରପ୍ତାନୀରେ ସହାୟକ ହେବ । ଏହାଦ୍ୱାରା ରପ୍ତାନୀ ବଢିବା ସହିତ ବିଶ୍ୱ ଯୋଗାଣ ବ୍ୟବସ୍ଥାରେ ଭାରତ ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିବ ।
ଏସିସି ବ୍ୟାଟେରୀ ଉତ୍ପାଦନ ଚଳିତ ଶତାବ୍ଦୀର ବିଶ୍ୱରେ ସର୍ବବୃହତ୍ ଆର୍ଥିକ ସୁଯୋଗ ପ୍ରଦାନକାରୀ ଉଦ୍ୟୋଗଭାବେ ପରିଗଣିତ । ବିଭିନ୍ନ ଉଦ୍ୟୋଗରେ ଏହି ବ୍ୟାଟେରୀର ବ୍ୟବହାର ସର୍ବାଧିକ । ଖାଉଟିଙ୍କ ଦ୍ୱାରା ବ୍ୟବହାର ଇଲେକ୍ଟ୍ରୋନିକ ସାମଗ୍ରୀ, ବିଦ୍ୟୁତ ଚାଳିତ ଯାନ ଏବଂ ଅକ୍ଷୟଶକ୍ତି ଉତ୍ପାଦନରେ ଏହାର ବ୍ୟବହାର ସର୍ବାଧିକ । ଏସିସି ବ୍ୟାଟେରୀ କ୍ଷେତ୍ରରେ ପିଏଲ୍‌ଆଇ ସ୍କିମ୍ ଲାଗୁ ହେଲେ ଉଭୟ ଘରୋଇ ଓ ଆନ୍ତର୍ଜାତିକ ଉଦ୍ୟୋଗୀମାନେ ପ୍ରୋତ୍ସାହିତ ହେବେ । ଏହାଦ୍ୱାରା ସେମାନେ ଭାରତରେ ଉନ୍ନତ ମାନର ଏସିସି ବ୍ୟାଟେରୀ ଉତ୍ପାଦନ ଶିଳ୍ପ ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିବେ । ୨୦୨୫ ସୁଦ୍ଧା ଭାରତର ଡିଜିଟାଲ ଅର୍ଥନୀତି ୧ ଟ୍ରିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି । ସେଥିପାଇଁ ସରକାର ଅତିରିକ୍ତଭାବେ ଡାଟା ଲୋକାଲାଇ ଜେସନ ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍‌ର ବଜାର ଭାରତରେ ସୃଷ୍ଟି କରିବା ପାଇଁ ବିଶେଷ ଉଦ୍ୟମ କରୁଛନ୍ତି । ଡିଜିଟାଲ ଇଣ୍ଡିଆ ଓ ସ୍ମାର୍ଟସିଟି ପ୍ରକଳ୍ପ କାର‌୍ୟ୍ୟକ୍ରମରେ ଆଗକୁ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀର ଚାହିଦା ଯଥେଷ୍ଟ ବଢିବ । ସେଥିପାଇଁ ଇଲେକ୍ଟ୍ରୋନିକ ସାମଗ୍ରୀର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ଏହି କ୍ଷେତ୍ରରେ ପିଏଲ୍‌ଆଇ ସ୍କିମ୍ ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତରେ ଅଟୋମୋଟିଭ ଉଦ୍ୟୋଗ ବା ଯାନବାହନ ଦେଶର ଅର୍ଥନୀତିକୁ ସମୃଦ୍ଧ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହି ଉଦ୍ୟୋଗକୁ ଅଧିକ ପ୍ରତିଯୋଗିତାକ୍ଷମ ଏବଂ ବିଶ୍ୱ ବଜାରରେ ଅଧିକରୁ ଅଧିକ ସ୍ଥାନ ଦଖଲ ପାଇଁ ଭାରତ ସରକାର ପିଏଲ୍‌ଆଇ ସ୍କିମ୍ ଏହି ଉଦ୍ୟୋଗରେ ଲାଗୁ କରିବାକୁ ଆଗ୍ରହ ପ୍ରକାଶ କରି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।
ଭାରତୀୟ ଔଷଧପତ୍ର ଓ ଚିକିତ୍ସା ସାମଗ୍ରୀ ଉଦ୍ୟୋଗ (ଫାର୍ମାସ୍ୟୁଟିକାଲ) ପରିମାଣ ଅନୁସାରେ ବିଶ୍ୱରେ ତୃତୀୟ ସର୍ବବୃହତ୍ । ମୂଲ୍ୟ ଦୃଷ୍ଟିରୁ ଏହା ପୃଥିବୀରେ ଚତୁର୍ଦ୍ଦଶ । ବିଶ୍ୱ ବଜାରକୁ ବିଭିନ୍ନ ପ୍ରକାର ଔଷଧପତ୍ର ଓ ଔଷଧୀୟ ସାମଗ୍ରୀ ରପ୍ତାନୀ କ୍ଷେତ୍ରରେ ଭାରତର ଅବଦାନ ୩.୫ ଶତାଂଶ । ବିଭିନ୍ନ ପ୍ରକାର ଔଷଧପତ୍ରର ଉତ୍ପାଦନ ଏବଂ ରପ୍ତାନୀ ପାଇଁ ଭାରତରେ ଏକ ପୂର୍ଣ୍ଣାଙ୍ଗ ପରିବେଶ ରହିଛି । ଏହା ସହିତ ତତ୍‌ସଂକ୍ରାନ୍ତ ସାମଗ୍ରୀ ଉତ୍ପାଦନ ପାଇଁ ଏକ ଦୃଢ ଭିତ୍ତିଭୂମି ମଧ୍ୟ ଭାରତରେ ଉପଲବ୍ଧ । ଏହି କ୍ଷେତ୍ରରେ ପିଏଲ୍‌ଆଇ ସ୍କିମ୍ ଲାଗୁ ହେବା ପରେ ଏହା ଉଭୟ ଦେଶୀ ଓ ବିଦେଶୀ ଉଦ୍ୟୋଗୀଙ୍କୁ ଆକର୍ଷିତ କରିବା ସହ ଏ କ୍ଷେତ୍ରରେ ଉଚ୍ଚମାନର ସାମଗ୍ରୀ ରପ୍ତାନୀ ପାଇଁ ପ୍ରୋତ୍ସାହନ ମିଳିବ । ଟେଲିକମ୍ ସାମଗ୍ରୀ ଏକ ନିର୍ଭରଯୋଗ୍ୟ ଓ ଦୃଢ ଟେଲି ଭିତ୍ତିଭୂମି ନିର୍ମାଣ ପାଇଁ ବିଶେଷ ଜୁରରୀ । ଏ କ୍ଷେତ୍ରରେ ଭାରତ ମୌଳିକ ସାମଗ୍ରୀ ନିର୍ମାଣ କରି ବିଶ୍ୱର ପ୍ରମୁଖ ଦେଶଭାବେ ଉଭା ହେବାକୁ ଆଶା ରଖିଛି । ପିଏଲ୍‌ଆଇ ସ୍କିମ୍ ଲାଗୁ ହେବାଦ୍ୱାରା ଆନ୍ତର୍ଜାତିକ ସ୍ତରର ଉଦ୍ୟୋଗୀ ଓ ନିବେଶକ ଆକର୍ଷିତ ହୋଇ ଭାରତରେ ଉଦ୍ୟୋଗ ସ୍ଥାପନ କରିବା ସହ ଟେଲିକମ୍ ଯନ୍ତ୍ରପାତି ଏବଂ ନେଟୱାର୍କିଂ ସାମଗ୍ରୀ ରପ୍ତାନୀ ପାଇଁ ଆଗ୍ରହ ପ୍ରକାଶ କରିବେ । ଦେଶୀ କଂପାନୀମାନେ ମଧ୍ୟ ଏହାଦ୍ୱାରା ଉପକୃତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ଫଳରେ ଏସବୁ ସାମଗ୍ରୀର ରପ୍ତାନୀ କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ବଜାରର ମାନ୍ୟତା ପାଇବ । ଭାରତୀୟ ବୟନ ଉଦ୍ୟୋଗ ବିଶ୍ୱର ଅନ୍ୟତମ ସର୍ବବୃହତ୍ । ବିଶ୍ୱ ବୟନ ରପ୍ତାନୀରେ ଭାରତର ବୟନ ସାମଗ୍ରୀ ଓ ପୋଷାକପତ୍ରର ଅଂଶ ୫ ଶତାଂଶ । ତେବେ ମନୁଷ୍ୟକୃତ ତନ୍ତୁ ବା ଏମ୍‌ଏମ୍‌ଏଫ୍ କ୍ଷେତ୍ରରେ ବିଶ୍ୱର ଚାହିଦା ଯାହା ତଦନୁସାରେ ଭାରତର ଅଂଶ ସ୍ୱଳ୍ପ । ଏମ୍‌ଏମଏଫ୍‌ର ଚାହିଦା ବଢୁଥିବାରୁ ଭାରତ ଏହାକୁ ପିଏଲ୍‌ଆଇ ସ୍କିମ୍ ଅନ୍ତର୍ଭୁକ୍ତ କରି ବିପୁଳ ପୁଞ୍ଜି ଆକର୍ଷିତ କରିବାକୁ ଉଦ୍ୟମ କରୁଛି । ଏହା ଫଳରେ ଘରୋଇ ଏମ୍‌ଏମ୍‌ଏଫ୍ ଓ ଟେକ୍‌ନିକାଲ ଟେକ୍ସଟାଇଲ ପ୍ରସ୍ତୁତକାରୀ ଉଦ୍ୟୋଗ ବିଶେଷ ଉପକୃତ ହେବେ । ଏହା ମଧ୍ୟ ଏ କ୍ଷେତ୍ରର ରପ୍ତାନୀ ବାଣିଜ୍ୟକୁ ବଢାଇବ । ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସହିତ ଚାଷୀଙ୍କ ସ୍ୱାର୍ଥ ଜଡିତ । ଏହି ଉଦ୍ୟୋଗର ଅଭିବୃଦ୍ଧି ଦ୍ୱାରା ଚାଷୀମାନେ ସୋମନଙ୍କ ଉତ୍ପାଦିତ ସାମଗ୍ରୀ ଉପରେ ଅଧିକ ମୂଲ୍ୟ ପାଇଥାନ୍ତି । ଏହାଛଡା ଉତ୍ପାଦିତ ସାମଗ୍ରୀ ପଚିଶଢି ନଷ୍ଟ ହେବାର ସମ୍ଭାବନା ହ୍ରାସ ପାଇଥାଏ । ବିଭିନ୍ନ ପ୍ରକାର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଯେଉଁଠି ଉଚ୍ଚ ଅଭିବୃଦ୍ଧି ଓ ମଧ୍ୟମରୁ ବୃହତ୍ ନିଯୁକ୍ତିର ସୁବିଧା ସୁଯୋଗ ରହିଛି, ସେଭଳି ପ୍ରକ୍ରିୟାକରଣ ଉଦ୍ୟୋଗକୁ ଚିହ୍ନଟ କରାଯାଇଛି । ପିଏଲ୍‌ଆଇ ଯୋଜନାରେ ସେହିସବୁ ଉଦ୍ୟୋଗକୁ ପ୍ରୋତ୍ସାହନ ଯୋଗାଇ ସରକାର କର୍ମନିଯୁକ୍ତି ଓ ରପ୍ତାନୀ ବାଣିଜ୍ୟ ବଢାଇବାକୁ ଆଗ୍ରହୀ । ଏବେ ଭାରତ ଅଧିକ ସଂଖ୍ୟାରେ ସୋଲାର (ସୌର) ପିଭି ପ୍ୟାନେଲ ଆମଦାନୀ କରୁଛି । ଏହାଦ୍ୱାରା ଯୋଗାଣ ବ୍ୟବସ୍ଥାରେ ସ୍ଥିତିସ୍ଥାପକତା ରହୁନାହିଁ । ସାମଗ୍ରୀର ଅଭାବ ସହିତ ଏ କ୍ଷେତ୍ରରେ ନିରାପତ୍ତାଜନିତ ବିପଦର ଆଂଶକା ମଧ୍ୟ ରହିଛି । କାରଣ ଏହିସବୁ ସୌର ପିଭି ପ୍ୟାନେଲ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ହୋଇଥିବାରୁ ଏହାର ହାକିଂ ଭୟ ରହିଛି । ତେଣୁ ଯୋଗାଣ ବ୍ୟବସ୍ଥା ଯେକୌଣସି ସମୟରେ ବିଘ୍ନିତ ହୋଇପାରେ । ସେଥିପାଇଁ ସରକାର ଏହି ଉଦ୍ୟୋଗକୁ ପିଏଲଆଇ ସ୍କିମ୍ ଅନ୍ତର୍ଭୁକ୍ତ କରି ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ଅଗ୍ରାଧିକାର ଦେଉଛନ୍ତି । ଆହୁରି ମଧ୍ୟ ଏହି ବ୍ୟବସ୍ଥା ଫଳରେ ଉଭୟ ଦେଶୀ ଓ ବିଦେଶୀ ଉଦ୍ୟୋଗୀମାନେ ଭାରତରେ ବହୁତ ଉତ୍ପାଦନକ୍ଷମ ସୌର ପିଭି ପ୍ୟାନେଲ ଉଦ୍ୟୋଗ ଲଗାଇ ଏ କ୍ଷେତ୍ରରେ ବିଦେଶ ବଜାରରେ ନିଜର ଉପସ୍ଥିତି ଜାହିର କରିବାକୁ ଆଗ୍ରହୀ ହେବେ । ହ୍ୱାଇଟ ଗୁଡ୍ସଭାବେ ପରିଚିତ ଏୟାରକଣ୍ଡିସନ ଓ ଏଲ୍‌ଇଡି ଆଦିର ଚାହିଦା ଭାରତରେ ବେଶ୍ ଅଧିକ । ଏହି ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ପିଏଲଆଇ ସ୍କିମ ଲାଗୁ କରିବା ଦ୍ୱାରା ନିବେଶକମାନେ ଉତ୍ସାହିତ ହୋଇ ଏଥିରେ ମୂଲ୍ୟ ମିଶ୍ରଣ (ମାନବୃଦ୍ଧି) କରିବାକୁ ଆଗ୍ରହ ପ୍ରକାଶ କରିବେ । ଏହାଛଡା ଉନ୍ନତ ମାନର ସାମଗ୍ରୀ ଉତ୍ପାଦିତ ହେଲେ ବିଦେଶୀ ବଜାରରେ ଏହା ପ୍ରତିଯୋଗିତା କରିବାକୁ ସକ୍ଷମ ହେବେ । ଏହା ଫଳରେ କେବଳ ଆମେ ଆତ୍ମନିର୍ଭରଶୀଳ ହେବା ନାହିଁ, ଏହା ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ରପ୍ତାନୀ ବୃଦ୍ଧିରେ ସହାୟକ ହେବ । ଇସ୍ପାତ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଉଦ୍ୟୋଗ ଏବଂ ଭାରତ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ ଉତ୍ପାଦନକାରୀ ରାଷ୍ଟ୍ର । ନିର୍ଦ୍ଦିଷ୍ଟ ମାନର ଇସ୍ପାତ ଓ ଇସ୍ପାତଜାତ ଦ୍ରବ୍ୟ ଉତ୍ପାଦନ କରି ଭାରତ ବିଶ୍ୱରେ ଚମ୍ପିଅନ ହେବାକୁ ସାମର୍ଥ୍ୟ ରଖିଛି । ସ୍ୱତନ୍ତ୍ର ଧରଣର ଇସ୍ପାତ କ୍ଷେତ୍ରରେ ପିଏଲଆଇ ସ୍କିମ୍ ପ୍ରବର୍ତ୍ତନ ଫଳରେ ଏହାର ଉତ୍ପାଦନ ଦକ୍ଷତା ବଢିବା ସହ ମୂଲ୍ୟ ମିଶ୍ରିତ ଉନ୍ନତମାନର ଇସ୍ପାତ ସାମଗ୍ରୀ ରପ୍ତାନୀ ପରିମାଣ ମଧ୍ୟ ବୃଦ୍ଧି ପାଇବ ।  ଏଠାରେ ସୂଚନାଯୋଗ୍ୟ ଯେ ଆଜି କ୍ୟାବିନେଟର ଅନୁମୋଦନ ଲାଭ କରିଥିବା ଉପର ବର୍ଣ୍ଣିତ କ୍ଷେତ୍ର ବ୍ୟତୀତ ସରକାର ଏହା ପୂର୍ବରୁ ଅନ୍ୟ ୩ଟି କ୍ଷେତ୍ର ପାଇଁ ପିଏଲ୍‌ଆଇ ସ୍କିମ୍‌କୁ ଅନୁମୋଦନ କରିଛନ୍ତି । ସେଗୁଡିକ ହେଲା (୧) ମୋବାଇଲ ନିର୍ମାଣ ଏବଂ ନିର୍ଦ୍ଦିଷ୍ଟ କେତେକ ଇଲେକ୍ଟ୍ରୋନିକ ଉପକରଣ ଉତ୍ପାଦନ, (୨) ଅତି ଗୁରୁତ୍ୱପୂର୍ଣ୍ଣ ଔଷଧ ପ୍ରସ୍ତୁତି ସାମଗ୍ରୀ ଏବଂ ଉପାଦାନ କ୍ଷେତ୍ର (୩) ମେଡିକାଲ ଉପକରଣ ନିର୍ମାଣ । ଏହି ୩ଟି କ୍ଷେତ୍ର ପାଇଁ ୫ ବର୍ଷ ନିମନ୍ତେ ମୋଟ ୫୧୩୧୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସଂପୃକ୍ତ ବିଭାଗ ଏହାକୁ କାର‌୍ୟ୍ୟକାରୀ କରିବେ । ଏ ସଂପର୍କୀୟ ପୂର୍ଣ୍ଣାଙ୍ଗ ତଥ୍ୟ ସଂଲଗ୍ନ ଟେବୁଲରେ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ନିର୍ମାଣର ମୂଳ ଲକ୍ଷ୍ୟ ହେଲା ଏକ ଦକ୍ଷ, ସମ ତଥା ସ୍ଥିତିସ୍ଥାପକ ଉତ୍ପାଦନ ଉଦ୍ୟୋଗ ସୃଷ୍ଟି କରିବା ଏବଂ ସେଥିପାଇଁ ଆବଶ୍ୟକ ସାହାଯ୍ୟ ସହଯୋଗ ସଂପୃକ୍ତ କ୍ଷେତ୍ରକୁ ଯୋଗାଇଦେବା । ଉତ୍ପାଦନ ବ୍ୟବସ୍ଥା ଦୃଢ ଓ ଉତ୍ପାଦିତ ସାମଗ୍ରୀ ଉଚ୍ଚମାନର ହେଲେ ଉଭୟ ଭାରତୀୟ ସାମଗ୍ରୀର ଉତ୍ପାଦନ ଓ ରପ୍ତାନୀ ବୃଦ୍ଧି ପାଇବ । ଭାରତ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ନିଜର ସାମଗ୍ରୀକୁ ବିଶ୍ୱ ବଜାରରେ ପ୍ରତିଯୋଗିତା ପାଇଁ ସମର୍ଥ କରିପାରିବ । ଏହାଦ୍ୱାରା ଭାରତୀୟ ଉଦ୍ୟୋଗ ବିଦେଶୀ ପ୍ରତିଯୋଗିତାରେ ତିଷ୍ଟିବାକୁ ସକ୍ଷମ ହେବେ । ଏଥିପାଇଁ ଉତ୍ପାଦନ ଉଦ୍ୟୋଗକୁ ପ୍ରୋତ୍ସାହନ ଯୋଗାଇବା ସହ ଏକ ଅନୁକୂଳ ଔଦ୍ୟୋଗୀକ ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି । ଭାରତୀୟ ଉତ୍ପାଦ ଯେପରି ବିଶ୍ୱ ଯୋଗାଣ ବ୍ୟବସ୍ଥାରେ ସମନ୍ୱିତ ହେବ ଏବଂ ଉତ୍ପାଦନକାରୀ ସଂସ୍ଥା ବିଶେଷକରି ଏମ୍‌ଏସ୍‌ଏମ୍‌ଇ ଯେପରି ନିରନ୍ତରଭାବେ ଏହା ସହିତ ଯୋଡିହୋଇ ରହିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି । ସାମଗ୍ରିକଭାବେ ଏହାଦ୍ୱାରା ଭାରତୀୟ ଅର୍ଥନୀତିରେ ଅଭିବୃଦ୍ଧି ଆସିବ ଏବଂ ଏକ ବିରାଟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ