ଏକ୍ସଟ୍ରିମ୍ ଆଇରନିଂ ଚାମ୍ପିୟନଶିପ୍ ପ୍ରତିଯୋଗିତା
ଆଇରନ୍ କରି ପୋଷାକ ପିନ୍ଧିବାର ଅନୁଭୂତି ପ୍ରାୟ ସମସ୍ତଙ୍କର ଥିବ । ତେବେ ଏହି ଆଇରନ୍ କରିବାକୁ ନେଇ ହେଉଥିବା ପ୍ରତିଯୋଗିତା ଓ ତଦ୍ଜନିତ ରୋମାଞ୍ଚକର ଅନୁଭୂତିକୁ ହୁଏତ ଅନେକେ ଅଙ୍ଗେ ନିଭେଇ ନ ଥିବେ । ଏହି ପ୍ରତିଯୋଗିତାରେ ଦେଖାଇବାକୁ ପଡିଥାଏ ଅଦମ୍ୟ ସାହସ । କାରଣ ଏଥିରେ ପ୍ରତିଯୋଗୀଙ୍କୁ ବିଭିନ୍ନ ବିପଜ୍ଜନକ ସ୍ଥାନ ଯେମିତି କି କେବେ ପାଣି ଭିତରେ ତ କେବେ ପାହାଡର ଶୀର୍ଷ ଭାଗରେ, ଏମିତି କି ଗଛ ଉପରେ, ସର୍ଫିଂ କରିବା ସମୟରେ, ତୁଷାରାଚ୍ଛନ୍ନ ଅଞ୍ଚଳରେ, ଚଳନ୍ତା ଗାଡି ଉପରେ ପୋଷାକ ଆଇରନ୍ କରିବାକୁ ହୋଇଥାଏ । ଏହି ପ୍ରତିଯୋଗିତାଟି ପରିଚିତ “ଏକ୍ସଟ୍ରିମ୍ ଆଇରନିଂ ଚାମ୍ପିୟନଶିପ୍’ଭାବେ । ଉକ୍ତ ପ୍ରତିଯୋଗିତା ୧୯୯୭, ୟୁକେର ଲିସେଷ୍ଟରରେ ପ୍ରଥମେ ଆରମ୍ଭ ହୋଇଥିଲା । ଏଥିରେ ପ୍ରତିଯୋଗୀଙ୍କୁ ସ୍କୁବା ଡାଇଭିଂ, ରକ୍ କ୍ଲାଇମ୍ବିଂ ଭଳି କଳାରେ ନିପୂଣ ହେବା ସହ ଆଇରନ୍ କରିବା ଜାଣିବା ଜରୁରୀ । ଏଥିରେ ବିପଦ ସହ ରୋମାଞ୍ଚ ଭରି ରହିଥାଏ ।


