ଏଟିଏମରେ ନାହିଁ ସାନିଟାଇଜର, ଆଶଙ୍କାରେ ଗ୍ରାହକ
ନାଉଗାଁ, (ୱାଇଏନ୍ଏସ୍): କରୋନା ଭାଇରସ ସଂକ୍ରମଣରୁ ଜନସଧାରଣଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟ ପ୍ରନ୍ଥା ଗ୍ରହଣ କରାଯାଇଛି । ଏହା ମଧ୍ୟରେ ଏଟିଏମ ଗୁଡିକରେ ଟଙ୍କା ମହଜୁତ ରଖିବା ପାଇଁ ବ୍ୟାଙ୍କ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାହାଫଳରେ ଯେଉଁମାନଙ୍କର ବ୍ୟାଙ୍କରେ ଟଙ୍କା ଜମା ରହିଛି, ସେମାନେ ବ୍ୟାଙ୍କ ଆଦିରେ ଭିଢ ନ ଜମାଇ ଏଟିଏମରୁ ଟଙ୍କା ଉଠାଇ ପାରିବେ । ଏପରିକି ଏଟିଏମ ବ୍ୟବହାର ସମୟରେ ଗ୍ରାହକମାନେ କରୋନା ଭାଇରସରେ ସଂକ୍ରମିତ ନ ହୁଅନ୍ତି ସେଥିପାଇଁ ଏଟିଏମ କାଉଂଟରରେ ସାନିଟାଇଜର ରଖିବାକୁ ବ୍ୟାଙ୍କ ଗୁଡିକ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ନାଉଗାଁ ବ୍ଲକ ଅଧିନରେ ଥିବା ଏଟିଏମ କାଉଂଟର ଗୁଡିକରେ ସାନିଟାଇଜର ନଥିବା ଦେଖିବାକୁ ମିଳୁଛି । ଉକ୍ତ ଏଟିଏମ ଗୁଡିକରେ ସାନିଟାଇଜର ନଥିବାରୁ କରୋନା ଭାଇରସ ବ୍ୟାପିବାର ସମ୍ଭାବନା ରହିଥିବା ଅଭିଯୋଗ ହେଉଛି । ସୂଚନା ଥାଉକି ନାଉଗାଁ ଅଂଚଳରେ ଥିବା ନାଉଗାଁ ବଜାର, ଗଂଗଦାହାଟ, ଅଲଣାହାଟ, କଂଟୁଣିଆହାଟ, ନାଉଗାଁ ବ୍ଲକ ଛକ ଆଦି ସ୍ଥାନରେ ପାଖାପାଖି ୧୧ଟି ଏଟିଏମ କାଉଂଟର ରହିଛି । ବ୍ୟାଙ୍କ ପକ୍ଷରୁ ଏହି ସବୁ ଏଟିଏମ କାଉଂଟରେ ଟଙ୍କା ମହଜୁତ ରହୁଥିଲେ ମଧ୍ୟ ସାନିଟାଇଜର ରଖାଯାଇନାହିଁ । ଫଳରେ ଗ୍ରାହକ ମାନେ ବିନା ସାନିଟାଇଜରେ ଟଙ୍କା ଉଠାଉଥିବା ଦେଖାଯାଇଛି । ଏହି ବ୍ଲକକୁ ଅନ୍ୟ ରାଜ୍ୟରୁ ଶତାଧିକ ଲୋକ ଫେରିଥିବା ବେଳେ ପାଖାପାଖି ୧୦ ଜଣ ଲୋକ ଦେଶ ବାହାରୁ ଆସିଛନ୍ତି । ଏହା ସହିତ ପ୍ରତିଦିନ ବାହାର ରାଜ୍ୟରୁ ଲୁଚି ଛପି ଅନେକ ଲୋକ ଆସୁଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରୁ ଯଦି କେହି କରୋନାରେ ଆକ୍ରାନ୍ତ ହୋଇଥାନ୍ତି ତେବେ ଏହା ଅନ୍ୟ ଲୋକମାନଙ୍କୁ ବ୍ୟାପିବାର ଆଶଙ୍କା ରହିଛି । ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହି ସବୁ ଏଟିଏମ କାଉଂଟର ଗୁଡିକରେ ସାନିଟାଇଜର ରଖିବାକୁ ଅଂଚଳବାସୀ ଦାବି କରିଛନ୍ତି ।