ଏନଏସି ନିର୍ବାହୀ ଅଧିକାରୀଙ୍କ ମନୋମୁଖୀ ନୀତି : ତେଜୁଛି ଜନ ଅସନ୍ତୋଷ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :କୋଣାର୍କ ଏନଏସିରେ ନୂତନ ଭାବେ ଯୋଗଦାନ କରିଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଜନମାରଣ ମନୋମୁଖୀ ନୀତି ଯୋଗୁଁ କୋଣାର୍କ ଅଂଚଳବାସୀଙ୍କ ମଧ୍ୟରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଖବରରୁ ପ୍ରକାଶ ଯେ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସଙ୍କ କୋଣାର୍କ ଏନଏସିରୁ ବଦଳି ପରେ ତାଙ୍କ ସ୍ଥାନରେ ନୂତନ ଭାବରେ ଆକୃତି ଗୋଏଙ୍କାଙ୍କୁ ନଗର ଉନ୍ନୟନ ବିଭାଗ ପକ୍ଷରୁ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ଏହି ନୂତନ ନିର୍ବାହୀ ଅଧିକାରୀ ଯୋଗ ଦେବା ପରେ ସରକାରୀ ନିର୍ଧାରିତ ସମୟ ଠାରୁ ୨ଘଣ୍ଟା ବିଳମ୍ବରେ ନିୟମିତ ଭାବରେ କାର୍ଯ୍ୟାଳୟକୁ ଆସିବା ଫଳରେ କର୍ମଚାରୀ ମାନେ ସଠିକ ସମୟରେ କାର୍ଯ୍ୟାଳୟକୁ ଆସୁ ନ ଥିବା ଯୋଗୁଁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସାଧାରଣରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏହି ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟରେ ଅନିୟମିତତା ଯୋଗୁଁ କୋଣାର୍କ ଏନଏସି ଅନ୍ତର୍ଗତ ୧୩ଗୋଟି ଓ୍ବାର୍ଡର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଫଳରେ ଜନସାଧାରଣ ମେଲେରିଆ ଓଡେଙ୍ଗୁ ଭଳି ରୋଗରେ ପୀଡିତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ଏହି ଅଧିକାରୀ ଜଣକ ସରକାରୀ ନିୟମ ଅନୁଯାୟୀ କୋଣାର୍କରେ ରହିବାର ସରକାରୀ ନିର୍ଦ୍ଦେଶ ରହିଛି । ମାତ୍ର ଏହି ଅଧିକାରୀ ଜଣକ ସରକାରୀ ନିୟମ ଉଲ୍ଲଂଘନ କରି କଟକରୁ କୋଣାର୍କ ଯାତାୟତ କରୁଥିବା ବେଳେ ଅଫିସରେ ସବୁଦିନ ୧୨ଟା ସମୟରେ ପହଞ୍ଚି ୩ଟାରେ ଅଫିସ ଛାଡି କଟକ ପ୍ରତ୍ୟାବର୍ତ୍ତନ କରିବା କେତେଦୂର ସମୀଚୀନ ତାହା କୋଣାର୍କ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଘଟଣାକୁ କୋଣାର୍କ ଅଂଚଳର ଜନସାଧାରଣ କୋଣାର୍କ ଏନଏସି ଦାୟିତ୍ୱରେ ଥିବା ପ୍ରଶାସକଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ଏହି ପରିପ୍ରେକ୍ଷୀରେ କୋଣାର୍କ ଏନଏସିର ଅଧିକାରୀଙ୍କ ମନୋମୁଖୀ ନୀତି ଯୋଗୁଁ କୋଣାର୍କ ଏନଏସିର ଅଧିକାଂଶ କର୍ମଚାରୀ ସଠିକ ସମୟରେ ଅଫିସ ଆସୁନଥିବା ବେଳେ କେତେକ କର୍ମଚାରୀ ଆଦୌ ଅଫିସ ଆସୁନଥିବା ଯୋଗୁଁ ଉନ୍ନୟନ କାର୍ଯ୍ୟ ବିପର୍ଯ୍ୟସ୍ତ ହୋଇପଡିଛି । କୋଣାର୍କ ଏନଏସିର ଏହି ଅଧିକାରୀ ଜଣକ କାର୍ଯ୍ୟାଳୟର ସମସ୍ତ ତାଲା ଚାବି ନିଜ ପାଖରେ ରହି ବିଳମ୍ବରେ ଆସୁଥିବା ଯୋଗୁଁ କର୍ମଚାରୀ ମାନେ ଅଫିସ ଆସି ଚାବି ନ ଥିବାରୁ ବଜାରରେ ବୁଲୁଥିବା ଭଳି ପରିସ୍ଥିତି ଦୃଷ୍ଟି ଗୋଚର ହେଉଛି । କୋଣାର୍କ ଏନଏସି ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱହୀନତା ଓ ଖାମଖିଆଲି ମନୋଭାବ ଯୋଗୁଁ ଦିନକୁ ଦିନ କୋଣାର୍କ ଏନଏସି ଅଂଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏହି ଘଟଣାକୁ ସହୃଦୟତାର ସହିତ ବିଚାର କରି ନଗର ଉନ୍ନୟନ ମନ୍ତ୍ରୀ, ବିଭାଗୀୟ ସଚିବ ଓ ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେବାକୁ କୋଣାର୍କ ଅଂଚଳବାସୀ, ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମାନେ ଦୃଢ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ