ଏନ୍ଆରସିକୁ ନେଇ ଲୋକସଭାରେ ଲିଖିତ ଉତ୍ତର ଦେଲେ ସରକାର
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର ବା ଏନ୍ଆରସିକୁ ନେଇ ଦେଶ ବ୍ୟାପୀ ଭିନ୍ନ ଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଇତିମଧ୍ୟରେ ଏନ୍ଆରସିକୁ ନେଇ ମୋଦି ସରକାର ବଡ ବୟାନ ଦେଇଛନ୍ତି। ସରକାର ଲୋକସଭାରେ ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଏନ୍ଆରସି ପ୍ରସ୍ତୁତି ନେଇ କୌଣସି ନିର୍ଣ୍ଣୟ ନିଆଯାଇନାହିଁ। କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏନଆରସି ନେଇ ଲିଖିତ ଉତ୍ତର ରଖିଛନ୍ତି।
ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ସଦନରେ ଚନ୍ଦନ ସିଂହ ଓ ନମା ନାଗେଶ୍ବରଙ୍କ ଏନ୍ଆରସି ସମ୍ପର୍କିତ ୫ଟି ପ୍ରଶ୍ନର ଲିଖିତ ଉତ୍ତରରେ ଏହା ସୂଚନା ଦେଇଛନ୍ତି। ରାୟ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଏନ୍ଆରସିକୁ ରାଷ୍ଟ୍ରୀୟ ସ୍ତରରେ ପ୍ରସ୍ତୁତି ପାଇଁ କୌଣସି ପ୍ରକାରର ନିର୍ଣ୍ଣୟ ନିଆଯାଇନାହିଁ। ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏନ୍ଆରସି ଲାଗୁ ହୋଇନଥିବାର ବୟାନ ଦେଇଥିଲେ। ବିଗତ କିଛି ଦିନ ତଳେ ରାଜଧାନୀ ଦିଲ୍ଲୀର ଏକ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ୨୦୧୪ଠାରୁ ଏନ୍ଆରସି ଉପରେ କୌଣସି ଚର୍ଚ୍ଚା ହୋଇନାହିଁ। କେବଳ ସୁପ୍ରିମ୍କୋର୍ଟଙ୍କ ଆଦେଶାନୁସାରେ ଆସାମରେ ଏହାକୁ ଲାଗୁ କରିବାକୁ ପଡ଼ିଲା। କିନ୍ତୁ ଗୃହ ମନ୍ତ୍ରୀ ଅମିତ୍ ଶାହା ଦେଶରେ ଏନ୍ଆରସି ଲାଗୁ କରିବାର କଥା କହିଥିଲେ। ଏନ୍ଆରସି ବିରୋଧରେ ରାଜ୍ୟ ସରକାରମାନେ ମଧ୍ୟ ସ୍ବର ଉତ୍ତୋଳନ କରିଛନ୍ତି। ବିହାରର ନୀତିଶ୍ କୁମାର ମଧ୍ୟ ରାଜ୍ୟରେ ଏନ୍ଆରସି ଲାଗୁ କରିବେ ନାହିଁ ବୋଲି କହିଛନ୍ତି। ବିହାର ବ୍ୟତୀତ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ ସମେତ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଏନ୍ଆରସି ଲାଗୁ କରିବାକୁ ସିଧାସଳଖ ମନା କରିଛନ୍ତି।