ଏପ୍ରିଲ-ଜୁନ୍‌ ମଧ୍ୟରେ ଇପିଏଫଓ ଦ୍ୱାରା ୭୩.୫୮ଲକ୍ଷ ସଦସ୍ୟଙ୍କ କେୱାଇସି ଅପ୍‌ଡେଟ

ନୂଆଦିଲ୍ଲୀ : କୋଭିଡ୍‌ ମହାମାରୀ ସମୟରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫ୍‌ଓର ସଦସ୍ୟମାନଙ୍କୁ ଅନ୍‌ଲାଇନ ସେବା ଯୋଗାଇଦେବା ଲକ୍ଷ୍ୟରେ ଏହି ସଂସ୍ଥା ଚଳିତବର୍ଷ ଏପ୍ରିଲରୁ ଜୁନ୍‌ ମଧ୍ୟରେ ୭୩.୫୮ ଲକ୍ଷ ସଦସ୍ୟଙ୍କ ନୋ ୟୋର କଷ୍ଟମର୍ସ ବା କେୱାଇସି ଡେଟାକୁ ଅପ୍‌ଡେଟ କରିଛି । ଏଥିମଧ୍ୟରେ ୫୨.୧୨ ଲକ୍ଷ ସଦସ୍ୟଙ୍କ ଖାତାକୁ ଆଧାର ସହ ସିଡିଂ କରାଯାଇଛି । ଏହାଛଡା ୧୭.୪୮ ଲକ୍ଷ ସଦସ୍ୟଙ୍କ ମୋବାଇଲ ସିଡିଂ ୟୁଏଏନ୍‌ଆର ଆକ୍ଟିଭେସନ କରାଯାଇଥିବାବେଳେ ୧୭.୮୭ ଲକ୍ଷ ସଦସ୍ୟଙ୍କର ବ୍ୟାଙ୍କ ଖାତାକୁ ସିଡିଂ କରାଯାଇଛି । କେୱାଇସି ଏକ ଏକକାଳୀନ ପ୍ରକ୍ରିୟା ଯାହାଦ୍ୱାରା ସଦସ୍ୟମାନଙ୍କର ପରିଚୟ ତଦାରଖ ସହଜ ହୋଇଥାଏ ଏବଂ ଏହା ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ସହ ସଂଯୁକ୍ତ ହୋଇଥାଏ । କେୱାଇସି ସିଡିଂକୁ ବ୍ୟାପକ କରିବା ପାଇଁ ଇପିଏଫ୍‌ଓ ବଡ ଧରଣର କସରତ ଆରମ୍ଭ କରିଛି । ଲକ୍‌ଡାଉନ ସମୟରେ ମଧ୍ୟ ଇପିଏଫ୍‌ଓ ଏହାର ସଦସ୍ୟମାନଙ୍କ ଜନସାଂକ୍ଷିକ ବିବରଣୀକୁ ସଂଶୋଧନ କରିଛି । ଏହାଫଳରେ ୯.୭୩ ଲକ୍ଷ ଲୋକଙ୍କ ନାମ ସଂଶୋଧିତ ହୋଇଛି ଓ ୪.୧୮ଲକ୍ଷ ସଦସ୍ୟଙ୍କ ଜନ୍ମ ତାରିଖରେ ସଂଶୋଧନ ମଧ୍ୟ କରାଯାଇଛି । ସେହିଭଳି ଏହି ପ୍ରକ୍ରିୟାରେ ଏପ୍ରିଲ-ଜୁନ ମଧ୍ୟରେ ୭.୧୬ଲକ୍ଷ ସଦସ୍ୟଙ୍କ ଆଧାର ନମ୍ବରରେ ମଧ୍ୟ ଆବଶ୍ୟକ ସଂଶୋଧନ କରାଯାଇଛି । କରୋନା ମହାମାରୀ ସମୟରେ ଅଫିସରେ ସାମାଜିକ ଦୂରତ୍ୱ ନିଶ୍ଚିତ କରିବା ପାଇଁ ଇପିଏଫ୍‌ଓ ପକ୍ଷରୁ ଘରୁ କାର୍ଯ୍ୟ କରିବାର ବ୍ୟବସ୍ଥା କରାଯାଇଛି । ଏଥିରେ କର୍ମଚାରୀମାନେ ନିଜ ନିଜ ଘରେ ବସି ନିର୍ଦ୍ଧାରିତ ସମୟ ମଧ୍ୟରେ କେୱାଇସି ଆକାଉଣ୍ଟକୁ ଅପ୍‌ଡେସନ କରିବାରେ ସଫଳ ହୋଇଛନ୍ତି । ଏହାଫଳରେ ଦିନକୁ ଦିନ କାମର ବୋଝ ହ୍ରାସ ପାଉଛି । ଇପିଏଫ୍‌ଓ ମଧ୍ୟ ସଦସ୍ୟମାନଙ୍କ ଆକାଉଣ୍ଟରେ ଥିବା ତ୍ରୁଟିବିଚ୍ୟୁତିକୁ ସୁଧାରି ଏହାକୁ ଅଧିକ ସରଳ ଓ ସହଜ କରିଛି । ନିଯୁକ୍ତିଦାତାଙ୍କ ତଥ୍ୟକୁ ଅପେକ୍ଷା ନ କରି ଆଧାର ତଥ୍ୟକୁ ବିଚାରକୁ ନେଇ ଇପିଏଫ୍‌ଓ ଏହାର ସଦସ୍ୟମାନଙ୍କ ଜନ୍ମ ତାରିଖରେ ଥିବା ତ୍ରୁଟିକୁ ସଂଶୋଧନ କରିଛି । ଯେଉଁ କ୍ଷେତ୍ରରେ ଜନ୍ମ ତାରିଖରେ ସର୍ବାଧିକ ୩ ବର୍ଷର ପାର୍ଥକ୍ୟ ରହିଛି ସେଠାରେ ଆଧାରକୁ ପ୍ରମାଣଭାବେ ଗ୍ରହଣ କରାଯାଇ ସଦସ୍ୟଙ୍କ ଜନ୍ମ ତାରିଖ ସଂଶୋଧନ କରାଯାଇଛି । କେୱାଇସି ଅପ୍‌ଡେସନ ଫଳରେ ଜଣେ ସଦସ୍ୟ ମେମ୍ବର ପୋର୍ଟାଲ ମାଧ୍ୟମରେ ଅନ୍‌ଲାଇନ ସେବାର ସୁଯୋଗ ପାଇପାରିବ । ଚୂଡାନ୍ତ ଅର୍ଥ ଉଠାଣ, ନିଜ ଖାତାରୁ ଅଗ୍ରୀମ ନେବା ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ନିଜ ଖାତାରୁ ଅଗ୍ରୀମ ଉଠାଇବା ପାଇଁ ଏହି ବ୍ୟବସ୍ଥା ସହାୟକ ହେବ । ଏହି ଅନ୍‌ଲାଇନ ବ୍ୟବସ୍ଥା ଜଞ୍ଜାଳମୁକ୍ତ, ସହଜ ଓ ସରଳ । ଚାକିରି ବଦଳାଇଲେ ମଧ୍ୟ ଜଣେ ସଦସ୍ୟ ନିଜର ଆକାଉଣ୍ଟକୁ ଅନ୍‌ଲାଇନ ବ୍ୟବସ୍ଥାରେ ବଦଳାଇବେ । ଡେସ୍କଟପ୍‌ କିମ୍ବା ଉମଙ୍ଗ ମାଧ୍ୟମରେ ଇପିଏଫର ସମସ୍ତ ସେବା ସଦସ୍ୟମାନଙ୍କୁ ଉପଲବ୍ଧ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ