ଏମ୍ନରେଗା ଯୋଜନା ଏବଂ ଜାତୀୟ ସାମାଜିକ ସୁରକ୍ଷା ଯୋଜନାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି
ଛତ୍ରପୁର : ବ୍ଲକ ସମ୍ମିଳନୀ କକ୍ଷରେ ମହମ୍ôାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ଜାତୀୟ ସାମାଜିକ ସୁରକ୍ଷା ଯୋଜନାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ବୁଧବାରଦିନ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଏମନରେଗା ଯୋଜନାର ସହକାରୀ ପ୍ରକଳ୍ପ ଅଧିକାରୀ ଅର୍ଚ୍ଚିତା ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବିବରଣୀ ପ୍ରଦାନ କରିଥିଲେ । ଏମନରେଗା ଯୋଜନାରେ ୨୦୧୯-୨୦ବର୍ଷର (୧.୪.୨୦୧୯ ଠାରୁ ୩୦.୯.୨୦୧୯ ତାରିଖ) ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୯୦ ହଜାର ୭୧୯ ଶ୍ରମଦିବସ ସୃଷ୍ଟି ହୋଇପାରିଛି । ୧୧୭ ପରିବାରଙ୍କୁ ୧୦୦ ଦିନିଆ କାମ ପ୍ରଦାନ କରାଯାଇଛି । ବ୍ଲକରେ ୨୭ ହଜାର ୧୬୩ ଜବ୍କାର୍ଡ ନିମନ୍ତେ ପଂଜିକରଣ ହୋଇଥିଲା । ସେଥି ମଧ୍ୟରୁ ୧୩ ହଜାର ୮୬୮ଜବ୍କାର୍ଡ ଓ ୨୧ ହଜାର ୩୪୫ ଶ୍ରମିକ କ୍ରିୟାଶୀଳ ରହିଥିଲେ । ସମୁଦାୟ ୩୮୬ ପ୍ରକଳ୍ପ ମଂଜୁର ହୋଇଥିବା ବେଳେ ୧୦ପ୍ରକଳ୍ପ ଶେଷ ହୋଇଥିବା ବେଳେ ୩୭୬ ପ୍ରକଳ୍ପ ନିର୍ମାଣଧୀନ ରହିଅଛି । ୬ କୋଟି ୧୮ ଲକ୍ଷ ୧୩ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ସେ କହିଥିଲେ । ଏହାପରେ ପଂଚାୟତ ୱାଇଜ୍ ଜିଆରଏସ ମାନେ ସେମାନଙ୍କ ପଂଚାୟତର ବିବରଣୀ ରଖିଥିଲେ । ଜନଶୁଣାଣିର ଶେଷ ପର୍ଯ୍ୟାୟ ବେଳେ ୨୧ନଂ ଜିଲ୍ଲା ପରିଷଦ ସଭ୍ୟ ଏସ୍.କିଶୋର ଚନ୍ଦ୍ର ରେଡ୍ଡୀ ବଡମାଧପୁର ପଞ୍ଚାୟତର ଏକ ପ୍ରକଳ୍ପ କାର୍ଯ୍ୟ ବିଷୟରେ ଅଭିଯୋଗ ଉଠାଇ ମନ୍ତବ୍ୟ ରଖିଥିଲେ । ଏହା ପରେ ସେ ଏଭଳି କେତେକ କାର୍ଯ୍ୟ ହେଉଛି ଅନ୍ୟମାନେ ଚୁପ୍ ଅଛନ୍ତି ବୋଲି କହିବା ମାତ୍ରେ କଣମଣା ସରପଞ୍ଚ ଏସ୍.ଚକ୍ରପାଣି ରେଡ୍ଡୀ ଉତ୍କ୍ଷିପ୍ତ ହୋଇଯାଇ ଆପଣଙ୍କ ଯାହା ଅଭିଯୋଗ ଅଛି ତାକୁ ପ୍ରକାଶ କରନ୍ତୁ, ଏଥିରେ ଅନ୍ୟ କୌଣସି ପଞ୍ଚାୟତ ପ୍ରତିନିଧି ଚୁପ୍ ରହିବା ତଥା ଆକ୍ଷେପ କରିବା ସଂପୂର୍ଣ୍ଣ ଭୁଲ୍ ବୋଲି ଜିଲ୍ଲା ପରିଷଦ ସଭ୍ୟଙ୍କୁ କାଉଣ୍ଟର କରିଥିଲେ । ଏଥିରେ ବୈଠକରେ ଏକ ପ୍ରକାର ତାଳି ପଡିଥିଲା । ଏଥିରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ ହସ୍ତକ୍ଷେପ କରି ଯେଉଁମାନେ କାମ ଡିମାଣ୍ଡ କରୁଛନ୍ତି ସେମାନଙ୍କ କିଛି ଅସୁବିଧା ହୁଏ ତେବେ ସେମାନଙ୍କ ପରିବାର କାମ କରିବାରେ କିଛି ଆପତ୍ତି ନାହିଁ । ଯଦି ସେମିତି କିଛି ସମସ୍ୟା ଅଛି ତାକୁ ଅଭିଯୋଗ ଅଣାଗଲେ ନିଶ୍ଚିତ ଭାବରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଓ ଶ୍ରୀ ଦାଶ କହିଥିଲେ । ଏଥିସହ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଁଏ ଖେଳ ପଡିଆ, ଆଦର୍ଶ ପୋଖରୀ ଓ ପାର୍କ ଏବଂ ପ୍ରତି ଗାଁରେ କମ୍ପୋଷ୍ଟ ଫିଟ୍ ନିର୍ମାଣ କରିବା ପାଇଁ ପଦକ୍ଷେପ ନିଆଯିବାକୁ ବିଡିଓ ଶ୍ରୀ ଦାଶ ସମସ୍ତ ପଞ୍ଚାୟତ ପ୍ରତିନିଧି ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ କହିଥିଲେ । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବ୍ଲକ ନିମନ୍ତେ ରହିଥିବା ଲକ୍ଷ୍ୟକୁ ସମସ୍ତଙ୍କ ସହଯୋଗରେ କିପରି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସେଥିନିମନ୍ତେ ବିଡିଓ ଶ୍ରୀ ଦାଶ ସହଯୋଗର କାମନା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ ୧୦୦ ଦିନିଆ କାମ କରିବା ପାଇଁ ଶ୍ରମିକମାନଙ୍କୁ ପ୍ରୋତ୍ସାହିତ କରାଯାଉ । ୧୦୦ ଦିନିଆ କାମ କରି ଶ୍ରମିକମାନେ ନିର୍ମାଣ ଶ୍ରମିକ ପରିଚୟ ପାଇ ସରକାରଙ୍କ ବିଭିନ୍ନ ଲାଭ ଉଠାନ୍ତୁ ବୋଲି କହିଥିଲେ । ଜିଲ୍ଲା ସାମାଜିକ ସମୀକ୍ଷକ ଡ.ରବୀନ୍ଦ୍ରନାଥ ମଲାଣ ମଞ୍ଚାସୀନ ଥିଲେ । ଏହି ଅବସରରେ ୨୦୧୯-୨୦ ବର୍ଷରେ ଉତ୍ତମ ପ୍ରଦର୍ଶନ କରିଥିବା ତିନୋଟି ପଂଚାୟତ ଏବଂ ଲକ୍ଷ୍ୟଧାର୍ଯ୍ୟ ଅନୁଯାୟୀ କନିଷ୍ଠ ଯନ୍ତ୍ରୀ ମାନେ ସେମାନଙ୍କ କାର୍ଯ୍ୟ ତୁଲାଇଥିବା ତିନିଜଣ କନିଷ୍ଠ ଯନ୍ତ୍ରୀ ମାନଙ୍କୁ ପୁରସ୍କାର ଦେଇ ଉତ୍ସାହିତ କରାଯାଇଥିଲା । ସେଥିରୁ ପ୍ରଫୁଲ କୁମାର ବେହେରା (ପ୍ରଥମ) ବିଜୟ ଲକ୍ଷ୍ମୀ ନାୟକ (ଦ୍ୱିତୀୟ) ଏବଂ ଜୟସେନ ବେହେରା (ତୃତୀୟ) ଭାବେ ଲକ୍ଷ୍ୟ ପୂରଣ କରିବା ଅନୁସାରେ ପୁରସ୍କୃତ ହୋଇଥିଲେ । ସେହିପରି ଟାଙ୍ଗଣାପଲ୍ଲୀ ଗ୍ରାମ ପଂଚାୟତ (ପ୍ରଥମ) ସରପଂଚ କୁମାରୀ ପ୍ରଧାନ, କାର୍ଯ୍ୟନିର୍ବାହୀ ଅଧିକାରୀ ଦଣ୍ଡପାଣି ପ୍ରଧାନ, ଜିଆରଏସ କେ.ଲୋକେସ ରେଡ୍ଡୀ ପୁରସ୍କୃତ ହୋଇଥିବା ବେଳେ ଶ୍ରୀରାମଚନ୍ଦ୍ରପୁର ପଂଚାୟତ (ଦ୍ୱିତୀୟ) ସରପଂଚ ରେବତୀ ପ୍ରଧାନ, କାର୍ଯ୍ୟନିର୍ବାହୀ ଅଧିକାରୀ ଜୁରିଆ ନାହାକ, ଜିଆରଏସ ଦାମୋଦର ସାହୁ ଏବଂ କଣମଣା ପଂଚାୟତ (ତୃତୀୟ) ଭାବେ ସରପଂଚ ଏସ୍.ଚକ୍ରପାଣି ରେଡ୍ଡୀ, କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା ଓ ଜିଆରଏସ ମିନାରୀ କୁମାରୀ ବେହେରା ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟିଙ୍କ ଠାରୁ ପୁରସ୍କୃତ ହୋଇଥିଲେ ।