ଏଲଆଇସି-ଆଇଡିବିଆଇ ବୁଝାମଣା

ମୁମ୍ବାଇ,(ଏଜେନ୍ସି): ଭାରତୀୟ ଜୀବନ ବୀମା ନିଗମ ଓ ଆଇଡ଼ିବିଆଇ ବ୍ୟାଙ୍କ ଲିମିଟେଡ଼ ଏକ ସେବାଭିତ୍ତିକ ରାଜିନାମା କରିଛନ୍ତି । ଏହି ରାଜିନାମା ଅନୁଯାୟୀ ଆଇଡ଼ିବିଆଇ ବ୍ୟାଙ୍କ ଶାଖା ଜରିଆରେ ଏଲ୍ଆଇସି ବୀମା ବିତରଣ କରାଯିବ । ଏଲ୍ଆଇସିର କର୍ପୋରେଟ ଏଜେଣ୍ଟ ଭାବେ ଆଇଡ଼ିବିଆଇ ଏହାର ୧୮୦୦ ଶାଖା ଜରିଆରେ ନିଜର ୧.୮୦ କୋଟି ଗ୍ରାହକଙ୍କୁ ଏଲ୍ଆଇସିର ସମସ୍ତ ବୀମା ସୁବିଧା ପ୍ରଦାନ କରିବ । ଏଲ୍ଆଇସି ବୀମା କିସ୍ତି ପ୍ରଦାନ ପାଇଁ ଆଇଡ଼ିବିଆଇ ପସନ୍ଦଯୋଗ୍ୟ ବ୍ୟାଙ୍କ ହେବ । ଏହାଦ୍ୱାରା ଏଲ୍ଆଇସିର ବ୍ୟବସାୟ ବୃଦ୍ଧି ଘଟିବା ସହ ବ୍ୟାଙ୍କ ମଧ୍ୟ ଉପକୃତ ହେବ । ଅର୍ଦ୍ଧ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ବ୍ୟାଙ୍କ ଶାଖା ଜରିଆରେ ଅଧିକରୁ ଅଧିକ ଏଲ୍ଆଇସି ଉତ୍ପାଦ ଜନସାଧାରଣଙ୍କ ନିକଟରେ ପହଞ୍ଚାଯାଇ ପାରିବ । ସେହିପରି ମେଟ୍ରୋ ଓ ସହରାଞ୍ଚଳରେ ଥିବା ଗ୍ରାହକଙ୍କ ପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ । ଏହି ବାଙ୍କାସୁରାନ୍ସ ଚୁକ୍ତିନାମା ଅବସରରେ ଏଲ୍ଆଇସି ଅଧ୍ୟକ୍ଷ ହେମନ୍ତ ଭାର୍ଗଭ କହିଛନ୍ତ ଯେ ଆଇଡ଼ିବିଆଇ ବ୍ୟାଙ୍କ୍ର ମୂଳ ସୁଦୃଢ଼ ରହିଛି । ଏଠାରେ ଯୁବ ତଥା କ୍ରିୟାଶୀଳ ଶ୍ରମଶକ୍ତି ରହିଛି । ଏମାନଙ୍କ ଜରିଆରେ ଏଲ୍ଆଇସି ଉତ୍ପାଦର ବ୍ୟବସାୟ ବୃଦ୍ଧି କରାଯାଇପାରିବ । ଏହାଦ୍ୱାରା ଆଇଡ଼ିବିଆଇ ରାଜସ୍ୱ ମଧ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ଗ୍ରାହକ ସେବା ଉଭୟ ସଂସ୍ଥା ମୂଳ ଲକ୍ଷ୍ୟ ହୋଇଥିବାରୁ ଏହାଦ୍ୱାରା ଉଭୟେ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି । ଏଲ୍ଆଇସି ଏମ୍ଡ଼ି ଭି.ଭେନୁଗୋପାଳ କହିଛନ୍ତି ଯେ ନୂଆ ବୁଝାମଣା ପ୍ରତି ଏଲ୍ଆଇସି ପୂର୍ଣ୍ଣ ସମର୍ଥନ ଯୋଗାଇବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ