ଏସଏଚଜି ମହାସଂଘ ବ୍ୟାଙ୍କ ଜମା ଅଚଳ
ବାଲେଶ୍ୱର, (ସରୋଜ ପଣ୍ଡା):ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ମହାସଂଘର ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯିବା ଓ ଗୋବିନ୍ଦପୁର ଆଞ୍ଚଳିକ ମଞ୍ଚ କମ୍ୟୁନିଟି ରିସୋର୍ସ ପର୍ସନ (ସିଆରପି) ଓ କମ୍ୟୁନିଟି ମ୍ୟାନେଜର (ସିଏମ) ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ କରି ରେମୁଣା ବ୍ଲକ ଖରିଦମୁଖରା ପଞ୍ଚାୟତର ମହିଳାମାନେ ଗୁରୁବାର ଜିଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ୨୦୨୧ ମସିହା ନଭେମ୍ବର ମାସରେ ରିଦମୁଖୁରା ପଞ୍ଚାୟତ କାର୍ଯ୍ୟାଳୟରେ ଗୋବିନ୍ଦପୁର – ୧ ଆଞ୍ଚଳିକ ମଞ୍ଚ ସିଆରପି-ସିଏମ ପଦ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଚାରି ଆବେଦନକାରୀ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ରେମୁଣା ବ୍ଲକର ଜୀବିକା ମିଶନ ଅଧିକାରିଣୀ ତଞ୍ଚକତା ପୂର୍ବକ ସସ୍ମିତା ଓଝାଙ୍କର ଜନ୍ମ ତାରିଖକୁ ପରିବର୍ତ୍ତନ ସହ ତାଙ୍କୁ ପରୀକ୍ଷା ଦେବାରୁ ବଞ୍ଚିତ କରିଥିଲେ । ଅନ୍ୟ ଦୁଇ ଆବେଦନକାରିଣୀଙ୍କୁ ଅଧିକ ଶିକ୍ଷାଗତ ଯୋଗ୍ୟତାକୁ ନେଇ ମାର୍କ ଦିଆନଯାଇ ଉଦ୍ଦେଶ୍ୟମୂଳକ ଭାବେ ଅନ୍ନପୂର୍ଣ୍ଣା ପ୍ରଧାନଙ୍କୁ ଚୟନ କରାଯାଇଥିଲା । ଶ୍ରୀମତୀ ପ୍ରଧାନଙ୍କ ଚୟନ ପତ୍ରରେ ଚୟନ କମିଟ କର୍ମକର୍ତ୍ତାଙ୍କ ଦସ୍ତଖତ ନଥିବା ସତ୍ତ୍ୱେ ତାଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହାକୁ ନେଇ ତତ୍କାଳୀନ ବିଡିଓ ଛବିରାଣୀ ସାହୁଙ୍କ ନିକଟରେ ଆପତ୍ତି ପରେ ଚୟନ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ଥିବା ସ୍ୱୀକାର ସହ ପୁନର୍ବାର ଚୟନ ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ । ସେହିକ୍ରମରେ ଗତ ମାର୍ଚ୍ଚ ୩ ତାରିଖରେ ପୁନର୍ବାର ଚୟନ ପ୍ରକ୍ରିୟା ପାଇଁ ବ୍ଲକ ସ୍ତରୀୟ ମହାସଂଘ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ସହ ପଞ୍ଚାୟତ ମହାସଂଘକୁ ଅବଗତ କରାଯାଇଥିଲା ।ଏନେଇ ୨୦୨୩ ମସିହା ଜାନୁଆରୀ ୨୦ ତାରିଖରେ ଗ୍ରାମ ପଞ୍ଚାୟତ ଲେଭେଲ ଫେଡେରେସନ ଅଧିବେଶନରେ ନିଷ୍ପତି ନିଆଯାଇ ରେମୁଣା ବିଡିଓଙ୍କ ଅବଗତି ନିମନ୍ତେ ଜଣାଯାଇଥିଲା । ମାତ୍ର ରେମୁଣା ବିଡଓ ଏବେ କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ଗ୍ରାମ ପଞ୍ଚାୟତ ଲେଭେଲ ଫେଡେରେସନର ବ୍ୟାଙ୍କ ଆକାଉଣ୍ଟ ଅଚଳ କରିବା ସହ ଅନ୍ନପୂର୍ଣ୍ଣା ପ୍ରଧାନଙ୍କୁ ନିଯୁକ୍ତି ଦେବା ନେଇ ଉଦ୍ୟମ କରୁଥିବା ମହିଳାମାନେ ଆରୋପ ଉଠାଇଛନ୍ତି । ଏହି ଘଟଣାର ବିଧିବଦ୍ଧ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ଜିଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି । ଏନେଇ ସେମାନେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ ସଭାନେତ୍ରୀ ସଙ୍ଗୀତା ଦାସ ଓ ଗୋବିନ୍ଦପୁର – ୧ ଆଂଚଳିକ ମଞ୍ଚର ସଭାନେତ୍ରୀ ରାଜଶ୍ରୀ ଦଳାଇଙ୍କ ସମେତ ସସ୍ମିତା ଓଝା, ଅନୀତା ସିଂହ, ଜୟନ୍ତୀ ମଲ୍ଲିକ, ମୀନତୀ ସାହୁ, ମନୋରମା ପାତ୍ର, ସୁଚିତ୍ରା ସିଂହ, ମମତା ମହାଳିକ, ମନସ୍ୱିନୀ ବେହେରା, ଲାକ୍ଷ୍ମୀପ୍ରିୟା ନାୟକ, ସୁମତି ବେହେରା, ନିରୂପମା ବେହେରା, ରଞ୍ଜିତା ରାଣୀ ପୋଥାଳ ପ୍ରମୁଖ ଉପସ୍ଥିତ ଥିଲେ