ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ବାଲେଶ୍ୱରରେ ସ୍ୱାଗତ-ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା):ନବ ନିଯୁକ୍ତ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଗୁରୁବାର ବାଲେଶ୍ୱରରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଉଚ୍ଚ ମାଧ୍ୟମିକ ପରିଷଦର ପରୀକ୍ଷା ଫଳ ଘୋଷଣା ପରେ ମନ୍ତ୍ରୀ ମୟୁରଭଞ୍ଜ ଗସ୍ତରେ ଯାଉଥିବା ବେଳେ ବାମପଦା ଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ସଦର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ଓ ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ ପ୍ରମୁଖ ଶତାଧିକ ସମର୍ଥକଙ୍କ ଗହଣରେ ମନ୍ତ୍ରୀ ଶ୍ରୀ ମାର୍ଣ୍ଡିଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ମନ୍ତ୍ରୀ ସ୍ଥାନୀୟ କୁଷ୍ଠାଶ୍ରମ ପରିଦର୍ଶନ କରିଥିଲେ । ସେଠାରେ ସେ ଆଶ୍ରମର ଅନ୍ତେବାସୀଙ୍କୁ ଫଳ ବଣ୍ଟନ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ କିପରି ପାଉଛନ୍ତି ସେ ସମ୍ପର୍କରେ ପଚାରି ବୁଝିଥିଲେ । ସରକାରଙ୍କ ପକ୍ଷରୁ କୁଷ୍ଠାଶ୍ରମ ଅନ୍ତେବାସୀଙ୍କ ପାଇଁ ବାସଗୃହ ପ୍ରଦାନ କରାଯାଇଥିବା ବେଳେ ସେମାନେ ସାମନା କରୁଥିବା ଅନ୍ୟାନ୍ୟ ସମସ୍ୟାର ନିରାକରଣ ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀ ମାର୍ଣ୍ଡି ପ୍ରତଶ୍ରୁତି ଦେଇଥିଲେ । ମନ୍ତ୍ରୀମଣ୍ଡଳ ପୁନଃର୍ଗଠନ ସହ ନୂତନ ଭାବେ ଦାୟିତ୍ୱ ନେବା ପରେ ମନ୍ତ୍ରୀଙ୍କୁ ବାଲେଶ୍ୱରରେ ସ୍ୱାଗତ କରାଯାଇଥିବା ବେଳେ ଜିଲାବାସୀଙ୍କ ଆଶା ଓ ଆକାଂକ୍ଷା ପୁରଣରେ ସେ ସହଯୋଗ କରିବେ ବୋଲି ବିଧାୟକ ଦ୍ୱୟ ଆଶାପ୍ରକାଶ କରିଥିଲେ । ଏହି ସମ୍ବର୍ଦ୍ଧନା ବେଳେ ସଦର ଓ ରେମୁଣା ନିର୍ବାଚନମଣ୍ଡଳୀର ବିଭିନ୍ନ ପଂଚାୟତରୁ ନିର୍ବାଚିତ ପ୍ରତିନିଧଙ୍କ ସମେତ ବିଧାୟକଙ୍କ ସମର୍ଥକ ତଥା ସହଯୋଗୀମାନେ ଉପସ୍ଥିତ ଥିଲେ।


