ଏସ୍‌.ସି ତାଲିକାରୁ ବାଦ୍ ଦିଆଯିବା ଦାବିରେ ଅନୁସୂଚିତ ଜାତି ଜନଜାତି ସଂଗଠନ ରାଜରାସ୍ତାକୁ ଓହ୍ଲାଇବେ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଅସ୍ପୃଶ୍ୟତା, ଅନଗ୍ରସରତା ଓ ତାଡ଼ନାର ଶିକାର ହେଉଥିବା ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତିମାନଙ୍କୁ ଦେଶର ମହାସ୍ରୋତରେ ସାମିଲ୍ କରିବା ନିମିତ୍ତ ସମ୍ବିଧାନରେ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି । କିନ୍ତୁ ଦୁଃଖର ବିଷୟ, ଓଡ଼ିଶାରେ ଏମାନଙ୍କ ପାଇଁ ସଂଖ୍ୟାନୁପାତିକ ୪୦ ଭାଗ ସଂରକ୍ଷଣ ଥିଲେ ମଧ୍ୟ ତାହା ପ୍ରଶାସନର ଚକ୍ରାନ୍ତ ଦ୍ୱାରା ସିଂହଭାଗ ହଡ଼ପ ହୋଇଯାଇଅଛି । ପ୍ରକୃତରେ ଆମେ ୪୦ ଭାଗରୁ ମାତ୍ର ୪ ଭାଗ ପାଖାପାଖି ସଂରକ୍ଷଣ ପାଇଛୁ । ଏହାର ଉଦାହରଣ ହେଉଛି କେଉଟ, କୈବର୍ତ୍ତ, ଧୀବର ଆଦି ସବର୍ଣ୍ଣ ଜାତି ଅଟନ୍ତି, ସେମାନେ ଅସ୍ପୃଶ୍ୟ ନୁହଁନ୍ତି । ଚୋରାରେ ସଂରକ୍ଷଣକୁ ହଡ଼ପ କରୁଥିଲେ । ପରେ ଚକ୍ରାନ୍ତ କରି ସରକାରଙ୍କ ସହଯୋଗରେ ପଛଦ୍ୱାର ଦେଇ ଏସ୍‌.ସି. ତାଲିକାକୁ ୨୦୦୨ ଡ଼ିସେମ୍ବରରେ ପଶି ଆସିଛନ୍ତି । ଏମାନଙ୍କ ସଂଖ୍ୟା ୨ ଲକ୍ଷ ଭିତରେ ଥିଲେ ମଧ୍ୟ ଏମାନେ ୮୦ ଲକ୍ଷ ଦଳିତମାନଙ୍କର ୮୦ଭାଗ ସୁବିଧା ସୁଯୋଗ ଲୁଣ୍ଠନ କରିଚାଲିଛନ୍ତି । ଦୀର୍ଘଦିନ ଧରି ସେମାନଙ୍କୁ ବିରୋଧ କରାଯାଉଥିଲେ ମଧ୍ୟ ସରକାର ତାଙ୍କୁ ଏସ୍‌.ସି. ତାଲିକାରୁ ବାଦ୍ ଦେଉନାହାଁନ୍ତି । ବରଂ ତାଙ୍କୁ ସାଦୃଶ କରି ରାଢି, ନିଆରି, ଘଣି ଆଦି ସାତଟି ସବର୍ଣ୍ଣ ଜାତିକୁ ଏସ୍‌.ସି ତାଲିକାରେ ସ୍ଥାନ ଦେବାଲାଗି ସୁପାରିଶ କରିଛନ୍ତି । ଏହା ଏକ ବେପାରରେ ପରିଣତ ହୋଇଗଲାଣି । ଆହୁରି ତେଲୀ, ତନ୍ତୀ, ଭଣ୍ଡାରି, ବାରିକ, ଗୁଡ଼ିଆ, କମାର, କୁମ୍ଭାର, ରଙ୍ଗଣୀ ଆଦି ବହୁ ସବର୍ଣ୍ଣ ଜାତି ଅର୍ଥ ବ୍ୟୟ କରି ଓଡ଼ିଶାର ଏସ୍‌.ସି. ତାଲିକାରେ ପଶିବା ପାଇଁ ଚକ୍ରାନ୍ତ ଚାଲିଛି । ସେହିପରି ମାହାନ୍ତ ଓ ମେହେର ଆଦି ସବର୍ଣ୍ଣ ଜାତିମାନେ ଏସ୍‌.ସି, ଏସ୍‌.ଟି ତାଲିକାରେ ସ୍ଥାନିତ ହବା ନିମିତ୍ତ ଚେଷ୍ଟା ଚଳାଇଛନ୍ତି । କିନ୍ତୁ ମେହେନ୍ତର, ଦଳିତ ବୈଷ୍ଣବ ଜାତିମାନେ ଏସ୍‌.ସି ଓ ସଅରମାନଙ୍କୁ ଏସ୍‌.ଟି ତାଲିକାରେ ସ୍ଥାନିତ କରାଯାଉ ନାହିଁ । କେଉଟ, କୈବର୍ତ୍ତ, ଧୀବର ଜାତିମାନଙ୍କ ଦ୍ୱାରା ଦଳିତ ଏବଂ ସାଧାରଣ ବର୍ଗଙ୍କ ଉପରେ ପ୍ରାୟୋଜିତ ହିଂସା ସୃଷ୍ଟି କରାଯାଉଛି । କାରଣ ସେମାନଙ୍କୁ ଏସ୍‌.ସି, ଏସ୍‌.ଟି ନିର୍ଯ୍ୟାତନା ନିବାରଣ ଆଇନ ଲାଗୁ କରାଯାଇ ପାରୁନାହିଁ । ଏଣୁ ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି ସହ ସର୍ବଭାରତୀୟ ଅନୁସୂଚିତ ଜାତି ଜନଜାତି ସଂଘମାନଙ୍କର ପରିଷଦ, ନାଗରିକ ଏକତା ପରିଷଦ, ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ, ସାମାଜିକ ନ୍ୟାୟ ପରିଷଦ, ନୀଳମାଧବ ଶବର ସଂଘ, ଉତ୍କଳ ରଜକ ମହାସଂଘ, ରାଷ୍ଟ୍ରୀୟ ଦଳିତ ମହାସଭା, ଅଲ୍ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦ, ଦାଣ୍ଡିମାଳ ସେବକ ସଂଘ, କାଳନ୍ଦୀ ସମାଜ, ପାସି ସମାଜ, ଭୋଇ ସମାମ, ବାଲ୍ମୀକ ସମାଜ, ପଶ୍ଚିମ ଓଡ଼ିଶାର ଲକ୍ଷେଘର ବଣ୍ଡା ସମାଜ, ଦଳିତ ଜାତିସଂଘ, ଭୀମ ଆର୍ମି ମାନଙ୍କ ତରଫରୁ ଏହି କେଉଟ, କୈବର୍ତ୍ତ, ଧୀବର ଜାତିଙ୍କୁ ତୁରନ୍ତ ଏସ୍‌.ସି ତାଲିକାରୁ ହଟାଯିବା ଏବଂ ସୁପାରିଶ ହୋଇଥିବା ରାଢି, ନିଆରି, ଘଣି ଇତ୍ୟାଦି ସବର୍ଣ୍ଣ ଜାତିର ପ୍ରସ୍ତାବକୁ ପ୍ରତ୍ୟାହାର କରିବା, ମେହେନ୍ତର, ଝୁରିଆ ଓ ଦଳିତ ବୈଷ୍ଣବମାନଙ୍କୁ ଏସ.ସି ତାଲିକାଭୁକ୍ତ କରିବା ଓ ସଅର ଜାତିକୁ ଏସ୍‌.ଟି ତାଲିକାଭୁକ୍ତ କରିବା ନିମିତ୍ତ ଦାବି କରାଯାଇଅଛି । ଏହି କେଉଟ, କୈବର୍ତ୍ତ, ଧୀବର ଜାତିମାନଙ୍କୁ ଏସ୍‌.ସି. ସଂରକ୍ଷିତ ସରକାରୀ ଓ ଦଳୀୟ ପଦପଦବୀ ଦିଆନଯାଉ ଓ ସବର୍ଣ୍ଣମାନଙ୍କୁ ଏସ୍‌.ସି ତାଲିକାରେ ସ୍ଥାନିତ ପାଇଁ ସହଯୋଗ କରିଥିôବା ସରକାରୀ କର୍ମଚାରୀମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ୨୦୧୫ ମସିହାରୁ କାର୍ଯ୍ୟ କରୁନଥିବା ଏସ୍‌.ସି/ଏସ୍‌.ଟି ପରାମର୍ଶଦାତା କମିଟି ରାଜ୍ୟ ସରକାର ତୁରନ୍ତ ଗଠନ କରି ଏହି ସବର୍ଣ୍ଣ ଜାତିମାନଙ୍କୁ ଏସ୍‌.ସି ତାଲିକାରୁ ବାହାର କରନ୍ତୁ । ସରକାର ଯଦି ଏହି କେଉଟ, କୈବର୍ତ୍ତ, ଧୀବରଜାତିମାନଙ୍କୁ ତୁରନ୍ତ ଅନୁସୂଚିତ ଜାତି ତାଲିକାରୁ ବାଦ୍ ନ ଦିଅନ୍ତି, ତାହେଲେ ଉପରଲିଖିତ ଅନୁଷ୍ଠାନଗୁଡ଼ିକର ୮୦ ଲକ୍ଷ ଦଳିତ ଓ ୧ ଲକ୍ଷରୁ ଅଧିକ ବନବାସୀମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ଓ ସରକାର ଏଥିପାଇଁ ଦାୟୀ ରହିବେ । ଏହି ନ୍ୟାୟପୂର୍ଣ୍ଣ ଦାବିକୁ ସମସ୍ତ ଗଣମାଧ୍ୟମ ଓ ଜନସାଧାରଣ ଆମକୁ ସହଯୋଗ କରିବା ନିମିତ୍ତ ନିବେଦନ କରୁଛୁ । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଭଜମନ ବେହେରା, ଇଂ ଅଲେଖ ଚନ୍ଦ୍ର ମଲ୍ଲିକ, ପ୍ରଶାସନିକ ଅଧିକାରୀ ବନ୍ଧୁ ସେଠୀ, ଲକ୍ଷ୍ମୀଧର ବେହେରା, ରବି ସେଠୀ, ସୁନାକର ବେହେରା, ଲକ୍ଷ୍ମଣ ମଲ୍ଲିକ, ପ୍ରଦୀପ ସେଠୀ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ