ଓଡ଼ିଶା ଦିବ୍ୟାଙ୍ଗ ସୁରକ୍ଷା ସଂଘ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଆଗକୁ ଯିବା ଚେଷ୍ଟା କରିଥିବା ଭିନ୍ନକ୍ଷମ ଯୁବକଙ୍କ ପ୍ରତି ପୁଲିସର ଆକ୍ରମଣାତ୍ମକ କାର୍ଯ୍ୟଧାରାକୁ ନିନ୍ଦା କରିଛି ଓଡ଼ିଶା ଦିବ୍ୟାଙ୍ଗ ସୁରକ୍ଷା ସଂଘ । ପୁଲିସର ଅମାନବୀୟ କାର୍ଯ୍ୟଧାରା ବିରୋଧରେ ସଂଘ ପକ୍ଷରୁ ପ୍ରତ୍ୟେକ ଜିଲା ଶାଖା ପକ୍ଷରୁ ବିକ୍ଷୋଭ, ଧାରଣା ଓ ଦାବିପତ୍ର ପ୍ରଦାନ କରାଯାଉଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି କେଶବ ରାଉଳ ଓ ସମ୍ପାଦିକା ଝୁନୁଲତା ଦାସଙ୍କ ନେତୃତ୍ୱରେ ଦିବ୍ୟାଙ୍ଗ ସଭ୍ୟ ସଭ୍ୟାମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବୁଧବାର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ସଂଘର କର୍ମକର୍ତ୍ତାଙ୍କ ଅଭିଯୋଗ ଅନୁସାରେ ସୁରକ୍ଷା ପରିବର୍ତ୍ତେ ଦିବ୍ୟାଙ୍ଗ ମୃତ୍ୟୁଞ୍ଜୟକୁ ପ୍ରଶାସନ ପକ୍ଷରୁ ବାରମ୍ବାର ଉପେକ୍ଷା କରାଯିବାକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇବାକୁ ଗତ ୨୨ ତାରିଖରେ ତାଙ୍କ ଗାଡ଼ି ଆଗକୁ ଯିବା ପାଇଁ ଚେଷ୍ଟା କରିଥିଲେ । ଏକ ନିବେଦନ ପତ୍ର ଦେଇ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା । ମାତ୍ର ପୁଲିସ ଅଧିକାରୀ ଓ କର୍ମଚାରୀ ତାଙ୍କୁ ଅଟକାଇବା ସହ ମାଡ଼ ମାରିବା, ବିକଳାଙ୍ଗ ତତା ଅନ୍ୟାନ୍ୟ ଅଶ୍ଳୀଳ ଭାଷା କହି ଗାଳିଗୁଲଜ କରିବା କେଉଁ ସ୍ୱଚ୍ଛ ସରକାରର ନିଦର୍ଶନ ବୋଲି ଦିବ୍ୟାଙ୍ଗ ସୁରକ୍ଷା ସଂଘର କର୍ମକର୍ତ୍ତାମାନେ ପ୍ରଶ୍ନ କରିଛନ୍ତି । ଅମାନବିକତାର ସୀମା ଟପିଯାଇ ଜଣେ ଦିବ୍ୟାଙ୍ଗଙ୍କୁ ସର୍ବ ସମ୍ମୁଖରେ ଗାଳି-ମାଡ଼ କରିଥିବା ପୁଲିସ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି । ଏନେଇ ଉଚିତ ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ସଂଘ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି ।


