ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ଜରୁରୀ ବୈଠକ
ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ବ୍ଳକ ଫାସିଗୁଡ଼ା ପଞ୍ଚାୟତ ଜଲମେରୀ ପଲ୍ଲୀ ଗ୍ରାମରେ ଶ୍ରମିକ ସଙ୍ଗଠନ ଅଖିଳ ଭାରତ ଟ୍ରେଡ ୟୁନିୟନ କଂଗ୍ରେସ ( ଏ ଆଇ ଟି ୟୁ ସି ) ସହବନ୍ଧିତ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ସଙ୍ଘ କାର୍ଯ୍ୟକର୍ତ୍ତା ଚିନ୍ତାମଣି ବିଶ୍ଵାଳଙ୍କ ସଂଯୋଜନାରେ ଆୟୋଜିତ ଜରୁରୀ ବୈଠକରେ ଅଶ୍ଵିନୀ କୁମାର ବିଷୋୟୀ ଅଧ୍ୟକ୍ଷତା କରିଥିଲେ। ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ ର ଗଞ୍ଜାମ ଜିଲା ସମ୍ପାଦକ ଅଳକ ନାଥ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଦେଶ ଓ ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଯୋଗୁଁ ଦେଶ ଆଜି ଘୋର ସଙ୍କଟ ମଧ୍ୟରେ ଗତି କରୁଛି। ଦେଶର ଆଭ୍ୟନ୍ତରୀଣ ସ୍ଥିତି ସଙ୍ଗୀନ ହୋଇପଡିଛି।ବେରୋଜଗାରି ଶୀର୍ଷ ସ୍ତରରେ ପହଞ୍ଚିଛି। ରାଜ୍ୟସରକାରଙ୍କ ପକ୍ଷରୁ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ କରାଯାଇଥିବା ଆଇନକୁ ଶ୍ରମ କାର୍ଯ୍ୟାଳୟ ଜରିଆରେ ସମସ୍ତ ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ କରାଯିବା। ଶ୍ରମ କାର୍ଯ୍ୟାଳୟରେ ଦରଖାସ୍ତ କାରୀ ଶ୍ରମିକଙ୍କୁ ପଞ୍ଜିକୃତ କରି ତୁରନ୍ତ ଶ୍ରମିକ ଚିହ୍ନଟ କାର୍ଡ ପ୍ରଦାନ କରିବା। କାଳିଆ ଯୋଜନାରେ ଆବେଦନ କରିଥିବା ହିତାଧିକାରୀ ମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା। ଜଲମେରୀ ପଲ୍ଲୀ ଗ୍ରାମର ମୁଖ୍ୟରାସ୍ତା ନିର୍ମାଣ ଓ ମରାମତି କରିବାସହ ରାସ୍ତାର ଦୁଇ ପାର୍ଶ୍ଵ ରେ ଷ୍ଟ୍ରିଟ ଲାଇଟ୍ ବ୍ୟବସ୍ଥା କରାଯିବା ପାଇଁ ଦାବୀପତ୍ର ପ୍ରଦାନ ନିମନ୍ତେ ସଭାରେ ସବିଶେଷ ଆଲୋଚନା କରାଯାଇ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ଆଲୋଚନା ସଭାରେ ବଳରାମ ପାଣିଗ୍ରାହୀ,ପପୁ ରାଉତ,ଶିବରାମ ବିଶ୍ଵାଳ,ଉଦୟନାଥ ପ୍ରଧାନ,ସଞ୍ଜୟ ପ୍ରଧାନ,କୈଳାସ ଆଚାରୀ ପ୍ରମୁଖ ବହୁସଂଖ୍ୟକ ଶ୍ରମିକ ସଂଘ ସଦସ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।


