ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନାଉଗାଁ ବ୍ଲକଗ୍ରସ୍ତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ବୁଧବାର ଜଗତସିଂହପୁର ଜିଲ୍ଲାଗ୍ରସ୍ତ କରି ବିଭିନ୍ନ ଆଦର୍ଶ ବିଦ୍ୟାଳୟ ବୁଲି ଦେଖିଥିଲେ । ପ୍ରଥମେ ଶ୍ରୀ ମହାପାତ୍ର ଜଗତସିଂହପୁର ବ୍ଳକସ୍ଥିତ ଶାଳଜଙ୍ଗା ଆଦର୍ଶ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ ଓ ପରେ ନାଉଗାଁ ବ୍ଳକସ୍ଥିତ ଦହିପାଳ ଠାରେ ନିର୍ମାଣ କରାଯାଉଥିବା ଆଦର୍ଶ ବିଦ୍ୟାଳୟର ନିର୍ମାଣଧିନ କାର୍ଯ୍ୟକୁ ବୁଲି ଦେଖିଥିଲେ । ଯଥାଶୀଘ୍ର କାର୍ଯ୍ୟ ସାରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ଜଗତସିଂହପୁର ବିଭାଜନର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଚଳିତ ଶିକ୍ଷା ବର୍ଷରେ ଏହି ବ୍ଳକରେ ଆଦର୍ଶ ବିଦ୍ୟାଳୟରେ ପାଠ ପଢିବା ପାଇଁ ୮୧ ଜଣ ପିଲା ନାମ ଲେଖାଇ ଅଛନ୍ତି । ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବାରୁ ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠପଢା କାର୍ଯ୍ୟ ଜାରି ରହିଛି । ନିର୍ମାଣଧୀନ କାର୍ଯ୍ୟ ବୁଲି ଦେଖି ସାରିବା ପରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହାପାତ୍ର ଆଦର୍ଶ ବିଦ୍ୟାଳୟର ଶ୍ରେଣୀ ଗୃହକୁ ଯାଇଥିଲେ । ପାଠପଢା ବିଷୟରେ ପିଲାମାନଙ୍କ ସହ ଆଲୋଚନା କରିବା ସହ ପାଠ ପଢାଉଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ସହ ଶୈକ୍ଷିକ କୌଶଳ ଉପରେ ଆଲୋଚନା କରିଥିଲେ । ପିଲାମାନେ କିପରି ଭଲ ପାଠ ପଢି ପାରିବେ ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ । ପରେ ନାଉଗାଁହାଟ ଉଚ୍ଚ ବିଦ୍ୟାଳୟ ୫ଟି ଅଧିନରେ ରହିଥିବାରୁ ବିଦ୍ୟାଳୟ ପରିସର ବୁଲି ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହାପାତ୍ରଙ୍କ ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗର ଜଗତସିଂହପୁର ବିଭାଜନର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ଅନନ୍ତ ଗୋପାଳ ଶତପଥୀ, ସହକାରୀ ଯନ୍ତ୍ରୀ ଇଂ. ରମାକାନ୍ତ ମିଶ୍ର, ଜିଲ୍ଲା ଶିକ୍ଷାଧିକାରୀ ନିରଂଜନ ବେହେରା, ନାଉଗାଁ ବ୍ଲକ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ତଥା ବ୍ଳକ ଶିକ୍ଷାଧିକାରୀ ମନୋରମା ରାଉତ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅକ୍ଷୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


