ଓଡିଶା ଭିନ୍ନକ୍ଷମ କମିଶନ ପଦବୀରେ ଜଣେ ଭିନ୍ନକ୍ଷମଙ୍କୁ ନିଯୁକ୍ତି ପାଇଁ ଜନମତ ସଂଗ୍ରହ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଓଡିଶାରେ ଭିନ୍ନକ୍ଷମ କମିଶନ ପଦବୀରେ ଜଣେ ଭିନ୍ନକ୍ଷମଙ୍କୁ ନିଯୁକ୍ତି ଦିଆଯିବା ପାଇଁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଭିନ୍ନକ୍ଷମ ସଂସ୍ଥା ସାମର୍ଥ୍ୟ ପକ୍ଷରୁ ଜନମତ ସଂଗ୍ରହ କାର୍ଯ୍ୟକ୍ରମ କରିଥିବାର ଦେଖିବାକୁ ମିଳିଥିଲା । ଆଜି ଏନେଇ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଜନମତ ଫର୍ମ ସହ ସଂଗ୍ରହ ନିମନ୍ତେ ଏକ ବକ୍ସ ରଖିଥିବାର ଦେଖିବାକୁ ମିଳିଥିଲା । ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ମିଳିତ ମଞ୍ଚର ଆହ୍ବାନ କ୍ରମେ ଏପରି ସମଗ୍ର ରାଜ୍ୟରେ କରାଯାଉଥିବା ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାରେ ମଧ୍ୟ ଜନମତ ସଂଗ୍ରହ ଆରମ୍ଭ ହୋଇଛି । ମହିଳା କମିଶନ ଭାବେ ଜଣେ ମହିଳା ରହିଥିବାବେଳେ ଅନୁସୂଚିତ ଜାତି ମିଶନ ଭାବେ ଜଣେ ସେହି ବର୍ଗର ଲୋକଙ୍କୁ ଅବସ୍ଥାପିତ କରାଯାଉଛି । ଦେଶର ଉତ୍ତର ପ୍ରଦେଶ, ଆସାମ, ପଞ୍ଜାବ ଏବଂ ତେଲେଙ୍ଗାନା ଭଳି ରାଜ୍ୟରେ କେନ୍ଦ୍ରର ନିୟମ ଅନୁସାରେ ଭିନ୍ନକ୍ଷମ କମିଶନ ଭାବେ ଜଣେ ଭିନ୍ନକ୍ଷମଙ୍କୁ ଅବସ୍ଥାପିତ କରାଯାଇଥିବାବେଳେ ଆଜି ଯାଏଁ ଓଡିଶାରେ ତାହା ନହେବା ଦୁର୍ଭାଗ୍ୟର କଥା । ତେଣୁ ଏହି ପଦବୀ ପାଇଁ ଜଣେ ଭିନ୍ନକ୍ଷମଙ୍କୁ ହିଁ ଦାୟିତ୍ୱ ଦେବାକୁ ଦାବି କରି ଜନମତ ସଂଗ୍ରହ କରାଯାଉଛି ଏବଂ ବିଭିନ୍ନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ବୋଲି ମିଳିତ ମଞ୍ଚର ଆବାହକ ତଥା ଭିନ୍ନକ୍ଷମ ସାମର୍ଥ୍ୟ ସଂସ୍ଥାର ସଭାପତି ନିରଞ୍ଜନ ବେହେରା, ସମ୍ପାଦକ ସନ୍ତୋଷ କୁମାର ମହାରଣା ପ୍ରମୁଖ କହିଛନ୍ତି । ବର୍ତ୍ତମାନ ସାରା ଓଡିଶାରେ ଏହି କାର୍ଯ୍ୟକ୍ରମ ଜାରି ରହିଥିବାବେଳେ ଦାବି ପୂରଣ ହେବା ଯାଏଁ ଏହା ଜାରି ରହିବ ବୋଲି ମଧ୍ୟ କହିଛନ୍ତି । ଜନମତ ସଂଗ୍ରହ କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ସାମର୍ଥ୍ୟ ଅନୁଷ୍ଠାନର ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ଯଥା ବିଜୟ କୁମାର ଲେଙ୍କା, କେ.ଶିବାଜୀ,ସରୋଜିନି ରଇତ, ପି.ଚିନ୍ନାରି, ଚଞ୍ଚଳା ପଟ୍ଟନାୟକ, ଟି.କୋଟେଶ୍ବରରାଓ, ଏସ୍.ସିମାଞ୍ଚଳମ୍,ଏମ୍.ଶ୍ରୀନୀବାସ ପ୍ରମୁଖ ଉପସ୍ଥିତଥିଲେ ।