ଓଲଟିଲା ଯାତ୍ରୀବାହୀ ଡଙ୍ଗା
ବାଲୁଗାଁ- ରବିବାର ଚିଲିକାରେ ଏକ ଅଘଟଣ ଘଟିଛି। ଏକ ହସ୍ତଚାଳିତ ମାଛଧରା ଡଙ୍ଗା ଚିଲିକାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ତେବେ ଦୈବାତ୍ ନିକଟରେ ଅନ୍ୟ ମାଛଧରା ଡଙ୍ଗା ଥିବାରୁ ଡୁବିଯାଉଥିବା ୧୭ଜଣ ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇପାରିଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୨ଜଣଙ୍କୁ ବ୍ରହ୍ମପୁର ମେଡିକାଲ୍ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ଡଙ୍ଗା ଚାଳକ ଓ ତାଙ୍କ ସହଯୋଗୀଙ୍କୁ ବାଲୁଗାଁ ଥାନା ପୁଲିସ ଅଟକ ରଖିଛି । ରବିବାର ସକାଳେ ବାଲୁଗାଁ ଥାନା ବଡ଼କୂଳ, ଚନ୍ଦ୍ରାପୁଟ ଓ ଆଙ୍କୁଲା ଗ୍ରାମର ୪୦ରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ କାଳିଜାଈଙ୍କ ପୀଠକୁ ଦର୍ଶନ ଓ ବଣଭୋଜି ପାଇଁ ଯାଇଥିଲେ । ସେଠାରେ ଭୋଜି ସାରି ଡଙ୍ଗାରେ ୧୮ ଜଣ ଯାତ୍ରୀ ଫେରୁଥିଲେ । ସନ୍ଧ୍ୟା ସାଢ଼େ ୫ଟା ସମୟରେ ଡଙ୍ଗା କାଳିଜାଈ ପୀଠ ଠାରୁ ୪ କିଲୋମିଟର ଓ ବଡ଼କୂଳ ଠାରୁ ୧୨ କିଲୋମିଟର ଦୂରରେ ଥିବା ଗଣ୍ଡ ମଧ୍ୟରେ ଆସୁଥିବାବେଳେ ହଠାତ୍ ପବନ ହେବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ଖସିପଡ଼ିଥିଲେ । ଯାତ୍ରୀମାନଙ୍କ ଚିତ୍କାର ଶୁଣି ନିକଟରେ ମାଛ ଧରୁଥିବା କେତେକ ମତ୍ସ୍ୟଜୀବୀ ସେମାନଙ୍କ ଡଙ୍ଗା ଧରି ଘଟଣାସ୍ଥଳରେ ପହଞ୍ଚିବା ସହିତ ୭ ଜଣ ମହିଳା ଓ ୨ ଜଣ ପୁରୁଷଙ୍କୁ ଉଦ୍ଧାର କରି ବାଲୁଗାଁ ଡାକ୍ତରଖାନାକୁ ଆଣିଥିଲେ। ପରେ ଦମକଳବାହିନୀ ଅନ୍ୟ ୯ ଜଣଙ୍କୁ ଉଦ୍ଧାର କରିଥିଲେ ।


