ଓଡ଼ିଆ ପରମ୍ପରାକୁ ଚିତ୍ରିତ କଲେ ଛାତ୍ରଛାତ୍ରୀ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଓଡ଼ିଶାର ପ୍ରଥମ ପୂର୍ଣ୍ଣାୟବ ପ୍ରତିମୂର୍ତ୍ତିର ନିର୍ମାତା, ଓଡ଼ିଶାର ବ୍ରୋଞ୍ଜ ପ୍ରତିମୂର୍ତ୍ତି ନିର୍ମାତାର ଜନକ ଓ ଧର୍ମପଦ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ସ୍ୱର୍ଗତ ବିପ୍ରଚରଣ ମହାନ୍ତିଙ୍କର ୯୨ତମ ରାଜ୍ୟସ୍ତରୀୟ ଜୟନ୍ତୀ ବିପ୍ରଚରଣ ଫାଉଣ୍ଡେସନ ଟ୍ରଷ୍ଟ ଓ ଓଡ଼ିଶା ଲଳିତକଳା ଏକାଡ଼େମୀର ମିଳିତ ଆନୁକୂଲ୍ୟରେ ବି.କେ. ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସମ୍ମାନିତ ଅତିଥି ଓଡ଼ିଶା ହାଉସିଂବୋର୍ଡ଼ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର ଶିଳ୍ପୀଙ୍କୁ ଜଣେ ଯୋଗଜନ୍ମା ବ୍ୟକ୍ତିତ୍ୱ ବୋଲି ବର୍ଣ୍ଣନା କରିଥିଲେ । କଳା ଐତିହାସିକ ଡଃ ଅଲେଖ ଚରଣ ସାହୁ ବିପ୍ରଚରଣ ମହାନ୍ତିଙ୍କୁ ଆଧୁନିକ ଭାସ୍କର୍ଯ୍ୟର ମୁଖଶାଳା ରୂପେ ବର୍ଣ୍ଣନା କରି ଶିଳ୍ପୀଙ୍କ ଜୀବନୀ ସହ ତାଙ୍କ ଦ୍ୱାରା ନିର୍ମିତ ଶତାଧିକ ପ୍ରତିମୂର୍ତ୍ତି ଉପରେ ଆଲୋକପାତ କରିଥିଲେ । ଉତ୍ସବରେ ପୌରହିତ୍ୟ କରି ବଡ଼ଚଣା ବିଧାୟକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀଙ୍କ ସହ ତାଙ୍କ ବ୍ୟକ୍ତିଗତ ସମ୍ପର୍କ ଓ ଅନୁଭୂତି ବର୍ଣ୍ଣନା କରି ଶିଳ୍ପୀଙ୍କ ନିରଳସ ଓ କର୍ମମୟ ଜୀବନରୁ ଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରାଣିତ ହେବା ପାଇଁ ଉପଦେଶ ଦେଇଥିଲେ । ଏହି ଉତ୍ସବରେ ବରିଷ୍ଠ ଶିଳ୍ପୀ ଶ୍ରୀଯୁକ୍ତ ଧନେଶ୍ୱର ସାହୁ, ଶ୍ରୀଯୁକ୍ତ ଚନ୍ଦ୍ରଶେଖର ମହାରଣା ଓ ଶ୍ରୀଯୁକ୍ତ ବ୍ରଜକିଶୋର ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ୨୪.୧୧.୨୦୧୯ରେ ରାଜ୍ୟର ସମସ୍ତ କଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଜଳରଙ୍ଗ ଚିତ୍ରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଧଉଳି ଚାରୁକଳା ମହାବିଦ୍ୟାଳୟର ଛାତ୍ର ଈଶ୍ୱର କୁମାର ମହନ୍ତ ପ୍ରଥମ, ବାଲେଶ୍ୱର ଚାରୁକଳା ମହାବିଦ୍ୟାଳୟର ସନ୍ତୋଷ କୁମାର ଜେନା ଦ୍ୱିତୀୟ ଓ ଖଲିକୋଟ ସରକାରୀ ଚାରୁକଳା ମହାବିଦ୍ୟାଳୟର ଛାତ୍ର ପ୍ରଦ୍ୟୁମ୍ନ ମହାରଣା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ବିପ୍ରଚରଣ ମହାନ୍ତି ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ଶ୍ରମତୀ ରୀତା ମହାନ୍ତି ସ୍ୱାଗତ ଭାଷଣ ଦେବା ସହ ବି.କେ. ଆର୍ଟ କଲେଜର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଓଡ଼ିଶା ଲଳିତକଳା ଏକାଡ଼େମୀର ସଚିବ ଗଜେନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉତ୍ସବ ଅବସରରେ ଚିତ୍ରଶିଳ୍ପୀ ମୀନକେତନ ପଟ୍ଟନାୟକ, ପଞ୍ଚାନନ ସାମଲ, ଚନ୍ଦନ କୁମାର ସାମଲ, ପ୍ରଦୀପ କୁମାର ପାତ୍ର, ଶରତ କୁମାର ମହାନ୍ତି ଓ ସୁବ୍ରତ କୁମାର ମଲ୍ଲିକ ପ୍ରମୁଖ ଶିଳ୍ପୀଙ୍କ ସ୍ମୃତିଚାରଣ କରିଥିଲେ ।