ଓଡ଼ିଆ ଭାଷା ସାହିତ୍ୟର ସର୍ବକାଳୀନ ଆଦର୍ଶ ଥିଲେ ବ୍ୟାସକବି ଫକୀର ମୋହନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ଓଡ଼ିଶା ନାଗରିକ ମହାମଞ୍ଚ ପକ୍ଷରୁ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୦୪ତମ ଶ୍ରାଦ୍ଧ ଦିବସ ସ୍ଥାନୀୟ ବାଣୀବିହାରଠାରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ସଫେଇ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରି କହିଥିଲେ ଯେ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ସର୍ବକାଳୀନ ଆଦର୍ଶ ସହିତ, ସାହିତ୍ୟ ମାଧ୍ୟମରେ ସମାଜରେ ବ୍ୟାପକ ପରିବର୍ତ୍ତନ ଆଣିବାରେ ବିଶେଷ ଭୂମିକା ଗ୍ରହଣ କରିଥିଲେ ଫକୀର ମୋହନ । ରେବତୀ, ଛ ମାଣ ଆଠଗୁଣ୍ଠ ପ୍ରମୁଖ ତାଙ୍କର ଅମ୍ଳାନ କୃତି । ଏହା ସହିତ ସେ ମତବ୍ୟକ୍ତ କରିଥିଲେ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଆନ୍ଦୋଳନ ଓ ଦାବିକୁ ଗ୍ରହଣ କରି ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମହାନ୍ ସ୍ୱାଧୀନତା ସଂଗ୍ରାମୀ, ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିସ୍ଥଳକୁ ସଫାସୁତୁରା ରଖିବା ପାଇଁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ବାରମ୍ବାର ପ୍ରତିଶୃତି ଦେଇଥିଲେ ମଧ୍ୟ ଆଜି ଓଡ଼ିଆ ଜାତିର ଚିର ବନ୍ଦନୀୟ ମହାପୁରୁଷ ବ୍ୟାସକବି ଫକୀରମୋହନଙ୍କ ୧୦୪ତମ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କର ଉତ୍କଳ ବିଶ୍ୱବିଦ୍ୟାଳୟ ଫାଟକ ସମ୍ମୁଖରେ ପ୍ରତିଷ୍ଠିତ ପ୍ରତିମୂର୍ତ୍ତି ସ୍ଥଳର ଅବସ୍ଥା ଥିଲା ଅତି ଦୟନୀୟ । ଓଡ଼ିଶା ନାଗରିକ ମହାମଞ୍ଚର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ବିଶ୍ୱାଳ, ସେବା ନିବୃତ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ପଣ୍ଡା, ଅଭିଯାନ ସଦସ୍ୟ ରୋହିତ କୁମାର ନାୟକ, ଶୀତଳ ମହାନ୍ତି, ଅଜୟ କୁମାର ପଲେଇ, ପୀତବାସ ଜେନା, କୁମ।।ରେଶ ମହାନ୍ତି ପ୍ରମୁଖ ପ୍ରତିମୂର୍ତ୍ତି ସ୍ଥଳ ସଫେଇ କରିବା ପରେ ବ୍ୟାସକବିଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ ପରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦୃଶ୍ୟ ଶ୍ରାବ୍ୟ ଗଣମାଧ୍ୟମରେ ସରକାରଙ୍କ ନିକଟରେ ପୁନଃ ଦାବି କରାଯାଇ ଚେତାବନୀ ଦିଆଯାଇଛି ଯେ, ଆଗାମୀ ସମୟରେ ଏଭଳି ଅପସଂସ୍କୃତିକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।


