ଓଡ଼ିଶାରେ ଚାଲୁରହିଥିବା ରେଳ ପ୍ରକଳ୍ପଗୁଡ଼ିକର ସମୀକ୍ଷା କଲେ ରେଳମନ୍ତ୍ରୀ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଓଡିଶା ପରିଦର୍ଶନ ସମାପ୍ତ କରି ନୂଆଦିଲ୍ଲୀ ଯିବା ପୂର୍ବରୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକଙ୍କ ସହିତ ଆଜି ଭୁବନେଶ୍ୱର ଠାରେ ସମୀକ୍ଷା କରିବା ଅବସରରେ ବନ୍ଦର ଏବଂ ଶିଳ୍ପସଂସ୍ଥା ଗୁଡିକୁ ରେଳ ସଂଯୋଗ ସମ୍ବନ୍ଧରେ ମଧ୍ୟ ତର୍ଜମା କରିଥିଲେ ।
ଗତକାଲି ବଲାଙ୍ଗୀର ଏବଂ ଭବାନୀପାଟଣା ଗସ୍ତ ସମୟରେ ରେଳମନ୍ତ୍ରୀ ରେଳ ଅଧିକାରୀଙ୍କ ସହ ପ୍ରକଳ୍ପ ଗୁଡିକର ସମୀକ୍ଷା କରି କହିଛନ୍ତି ଯେ ରାଜ୍ୟରେ ଚାଲିଥିବା ରେଳ ପ୍ରକଳ୍ପକୁ ଶୀଘ୍ର ନିର୍ମାଣ କାର୍ଯ୍ୟ ପାଇଁ ପ୍ରାଥମିକତା ଦିଆଯାଉଛି ।ଖୋର୍ଦ୍ଧା ରୋଡ୍‌-ବାଲାଙ୍ଗୀର ରେଳ ଲାଇନ ପାଇଁ କାର୍ଯ୍ୟ ଉଭୟ ପାର୍ଶ୍ୱରୁ ନିର୍ମାଣ କାର୍ଯ୍ୟ କରାଯାଉଅଛି ଯାହାକି ଦ୍ରୁତଗତିରେ ନିର୍ମାଣ ହୋଇ ଶୀଘ୍ର ସମାପ୍ତ ହୋଇପାରିବ । ବିଛୁପାଲ୍ଲୀରୁ ସୋନପୁର ଏବଂ ମହିପୁରରୁ ନୂଆଗାଁ/ଦଶପଲ୍ଲା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଗଣମାଧ୍ୟମକୁ ସୂଚନା ଦେଇ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଆମକୁ ସମସ୍ତ ସଂସ୍ଥାମାନଙ୍କର ସହଯୋଗ ଆବଶ୍ୟକ । ବଲାଙ୍ଗୀର-ନୁଆପଡା ରେଳ ଲାଇନ ଉପରେ ଏକ ଦାବି ଉପରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଏହାର ଉପଯୁକ୍ତ ସ୍ତରରେ ସମୀକ୍ଷା କରାଯିବ ଏବଂ ଏହା ଉପରେ ସମ୍ଭାବ୍ୟତାକୁ ଦୃଷ୍ଟିରେ ରଖି ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶ୍ରୀ ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ, ନର୍ଲାରେ ଲୋକୋ ମରାମତିକୁ ପ୍ରାଥମିକତା ଦିଆଯିବ ।
ରେଳମନ୍ତ୍ରୀ ମଧ୍ୟ ବଲାଙ୍ଗୀର ରେଳ ଷ୍ଟେସନରେ ଟ୍ରାକମ୍ୟାନଙ୍କ ସହ କଥାବାର୍ତା କରି ବିଭିନ୍ନ ପ୍ରତିକୂଳ ପରିବେଶରେ ସେମାନଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ରେଳ ମନ୍ତ୍ରୀ ମଧ୍ୟ ବଲାଙ୍ଗୀର ଷ୍ଟେସନ ଠାରେ ମହିଳା ଅପେକ୍ଷା କକ୍ଷକୁ ଯାଂଚ କରି ଯାତ୍ରୀ ପରିଷେବା ଯାଂଚ କରିବା ସହିତ ଷ୍ଟେସନ ମାଷ୍ଟରଙ୍କ ସହ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ, ପ୍ଲଟ ଫର୍ମ ୩ ର ଅପର ପାର୍ଶ୍ୱରେ ଥିବା ଜମି ବିଷୟରେ ପଚାରିଥିଲେ ଏବଂ ଅନ୍ୟାନ୍ୟ ସୁବିଧା ସମୀକ୍ଷା କରିଥିଲେ ।୨ୟ ଶ୍ରେଣୀ ଅପେକ୍ଷା ଗୃହରେ ଶୌଚାଳୟ ଯାଂଚ କରିବା ଏବଂ ଷ୍ଟେସନରେ ପରିଷ୍କାର ପରିଚ୍ଛନ୍ନତା ଉପରେ ମନ୍ତ୍ରୀ ଷ୍ଟେସନ କର୍ତୃପକ୍ଷଙ୍କୁ ସ୍ୱଚ୍ଛତା ପାଇଁ ପ୍ରଶଂସା କରିଥିଲେ । ଏହାବ୍ୟତୀତ ସେ ଷ୍ଟେସନରେ ଚା’ ଷ୍ଟଲ ଏବଂ ଅନ୍ୟାନ୍ୟ ଷ୍ଟଲଗୁଡ଼ିକୁ ମଧ୍ୟ ଯାଇ ନିରୀକ୍ଷଣ କରିବା ସହିତ ଷ୍ଟେସନରେ ସେମାନଙ୍କ ଷ୍ଟଲ ସନ୍ନିକଟ ଅଂଚଳକୁ ସଫା ରଖିବା ସେମାନଙ୍କର ଦାୟିତ୍ ବୋଧ ରହିବା ଉଚିତ ବୋଲି ସେମାନଙ୍କୁ ବୁଝାଇଥିଲେ । ରେଳମନ୍ତ୍ରୀ ମଧ୍ୟ ବେଂଚରେ ବସିଥିବା ଲୋକଙ୍କ ସହ ପ୍ରତ୍ୟକ୍ଷ ଭାବେ ଯୋଗାଯୋଗ କରି ସେମାନଙ୍କଠାରୁ ଟ୍ରେନ ଓ ଯାତ୍ରୀ ପରିଷେବା ସମ୍ବନ୍ଧରେ ମତାମତ ନେଇଥିଲେ । ଓଡ଼ିଶାର ପଛୁଆ ଅଂଚଳ ଯଥା ରାୟଗଡା, କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲା ସହିତ ଅନୁନ୍ନତ ଓ ପଛୁଆ ଅଂଚଳ ଗସ୍ତର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ସେ କେବିକେ ଅଂଚଳ ବୁଲି ଦେଖି ବିଭିନ୍ନ ସମସ୍ୟା ପ୍ରତି ଅବଗତ ହେବା ଏବଂ ଏହି ଅଂଚଳର ବିକାଶ ଦିଗରେ କିଭଳି ଭାବେ ସମାଧାନ କରାଯାଇପାରିବ ସେଥିପ୍ରତି ଦୃଷ୍ଟିରଖି ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶୃତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ