ଓଡ଼ିଶାର ବିଦ୍ୟାସାଗର ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ୧୪୯ତମ ଜୟନ୍ତୀ ପାଳିତ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଓଡ଼ିଶାରେ ଆର୍ଯ୍ୟ ସମାଜର ପ୍ରାଣ ପ୍ରତିଷ୍ଠାତା ଗଞ୍ଜାମ ଜିଲ୍ଲାର ପ୍ରଥମ ଗ୍ରାଜୁଏଟ ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କର ୧୪୯ତମ ଜୟନ୍ତୀ ଆଜି ପୂର୍ବାହ୍ନରେ ଉକ୍ରଳ ଆର୍ଯ୍ୟ ସମାଜ ପ୍ରତିନିଧି ସଭା ପକ୍ଷରୁ ଶ୍ରୀ ଅରବିନ୍ଦ ନଗରସ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ରାମକୃଷ୍ଣ ଆଶ୍ରମ, କଳାହାଣ୍ଡିର ସମ୍ପାଦକ ସ୍ୱାମୀ ବୈରାଗ୍ୟାନନ୍ଦ ମହାରାଜ କହିଲେ ଯେ ସଂସ୍କାରକ ଶ୍ରୀବତ୍ସ ପଣ୍ଡା ୧୦୦ ବର୍ଷ ତଳେ ସମାଜରୁ କୁସ୍କାର ବିରୁଦ୍ଧରେ ଯେଉଁ ଆନ୍ଦୋଳନ ଓଡ଼ିଶାର ଦକ୍ଷିଣାଞ୍ଚଳରେ ଚଳାଇଥିଲେ ଓଡ଼ିଆ ଜାତି ତାଙ୍କୁ ଇତିହାସରେ ଉପଯୁକ୍ତ ସ୍ଥାନ ଦେଇନାହିଁ । ସେ ପ୍ରକୃତରେ ଥିଲେ ଓଡ଼ିଶାର ବିଦ୍ୟାସାଗର । ମୁଖ୍ୟବକ୍ତା ଭାବେ ଯୋଗଦେଇ ଓୟୁଏଟିର ନିର୍ଦ୍ଦେଶକ ଡଃ ବିକାଶ ପଣ୍ଡା କହିଲେ ଯେ, ସମାଜରେ ସମ୍ପତ୍ତି ପାଇଁ ଯେତେବେଳେ ଭାଇ ଭାଇ ଭିତରେ ସଂଘର୍ଷ ହେଉଛି ଆଜକୁ ୧୦୦ ବର୍ଷ ତଳେ ସ୍ୱଅର୍ଜିତ ସମସ୍ତ ସମ୍ପତ୍ତିକୁ ନ୍ୟାସପତ୍ର ଜରିଆରେ ଆର୍ଯ୍ୟ ସମାଜକୁ ଦାନ କରିଦେଇଥିଲେ । ବିଶିଷ୍ଟ ବକ୍ତା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଶ୍ରୀବତ୍ସ ପଣ୍ଡାଙ୍କ ସାହିତ୍ୟ କୃତି ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଏକ ବୈଦିକ ଶାନ୍ତି ଯଜ୍ଞ ପଣ୍ଡିତ ବିନୋଦ ବିହାରୀ ଦାଶଙ୍କ ଦ୍ୱାରା ସମାହିତ ହୋଇଥିଲା । ଶ୍ରୀ ସୁଶାନ୍ତ ପଣ୍ଡା ସ୍ୱାଗ୍ତ ଭାଷଣ ଓ ଶ୍ରୀମତୀ ଦେବଜାନୀ ରାଉତରରାୟ ଧନ୍ୟବାଦ ଅର୍ପଣ କରିଥିଲେ ।