ଓଡ଼ିଶା ବହୁଭାଷୀ ଶିକ୍ଷା ସହାୟକ ସଂଘର ଆନ୍ଦୋଳନ ଚେତାବନୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଗଣଶିକ୍ଷା ବିଭାଗ ଅଧିନରେ ୨୦୧୩-୧୪ ମସିହାରେ ୧୫ଟି ଜିଲ୍ଲାରେ ୩୦୦୦ରୁ ଉର୍ଦ୍ଧ୍ୱ ଶିକ୍ଷା ସହାୟକଙ୍କୁ ସରକାର ନିଯୁକ୍ତି ପ୍ରଦାନ କରିଥିଲେ । ସରକାରୀ ନିଯୁକ୍ତିର ୩ ବର୍ଷ ପରେ କନିଷ୍ଠ ଶିକ୍ଷକର ମାନ୍ୟତା ପ୍ରଦାନ କରିଥିଲେ । ସରକାରୀ ନିୟମ ଅନୁଯାୟୀ ଜଣେ ଶିକ୍ଷା ସହାୟକ ତିନିବର୍ଷ କାର୍ଯ୍ୟ କଲା ପରେ କନିଷ୍ଠ ଶିକ୍ଷକ ଏବଂ ଉପଯୁକ୍ତ ଯୋଗ୍ୟତା ଯଥା : ଡି.ଏଲ.ଇ.ଡ଼ି (ସି.ଟି), ବି.ଏଡ୍ ସହିତ ଓଟିଇଟି ପାସ୍ ଥାଇ ଜଣେ ନିରବଚ୍ଛିନ୍ନ ଭାବେ ୬ ବର୍ଷ କାର୍ଯ୍ୟ କଲାପରେ ନିୟମିତ ଶିକ୍ଷକ ହେବାର ନିୟମ ରହିଅଛି । ଏହି କ୍ଷେତ୍ରରେ ସମସ୍ତ ଶିକ୍ଷକଙ୍କୁ ନିୟମିତ ମାନ୍ୟତା ପ୍ରଦାନ କରାଯାଉଅଛି । କିନ୍ତୁ ବହୁଭାଷୀ ଶିକ୍ଷା ସହୟକ ସମସ୍ତ ଯୋଗ୍ୟତା ଥାଇ ସୁଦ୍ଧା ୬ବର୍ଷ ପୂରଣ କରି ୮ବର୍ଷ ଚାଲୁଥିଲେ ମଧ୍ୟ ସରକାର ନିୟମିତ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି ବୋଲି ସଂଘର ସାଧାରଣ ସମ୍ପାଦକ ଧନୁର୍ଜୟ ମୁଣ୍ଡା ପ୍ରକାଶ କରିଛନ୍ତି । ନିକଟରେ ସରକାର ୯୯୬୫ଜଣ ଶିକ୍ଷା ସହାୟକଙ୍କୁ ନିୟମିତ କରିବା ପାଇଁ ପଦକ୍ଷେପ ନେଇଥିବା ସ୍ଥଳେ ଆଦିବାସୀ ବୋଲି ବହୁଭାଷୀ ଯୋଗ୍ୟ ଶିକ୍ଷା ସହାୟକଙ୍କୁ ଅଣଦେଖା କରାଯାଉଅଛି ବୋଲି ସଂଘର ସଭାପତି ବାଗୁନ ସିଂ ଜାରିକା ପ୍ରକାଶ କରିଅଛନ୍ତି । ଯାହାଦ୍ୱାରା ଅନେକ ବହୁଭାଷୀ ଶିକ୍ଷା ସହାୟକ ମାନସିକ ଚାପରେ ଅଛନ୍ତି । ଆଗାମୀ ଦିନରେ ସଂଘର ନ୍ୟାର୍ଯ୍ୟ ଦାବୀ ସରକାର ଯଦି ନ ଶୁଣନ୍ତି ତାହା ହେଲେ ସଂଘ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଂଘ ଚେତାବନୀ ଦେଇଛି ।


