ଓଡ଼ିଶା ବାନ୍ଧକଳାକୁ ‘ବିଶ୍ବ ବ୍ରାଣ୍ଡ୍’ରେ ପରିଣତ କରାଯିବ
ଭୁବନେଶ୍ୱର,(ୱାଇଏନ୍ଏସ୍): ବରଗଡ଼ର ବାଲିଜୁରୀ ହାଟକୁ ଏସିଆର ସର୍ବବୃହତ ଖୋଲା ପଡ଼ିଆ ପୋଷାକ ବଜାରରେ ଭାବେ ବିକଶିତ କରିବାକୁ ଆଜି ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ନିର୍ଦେଶ ଦେଇଛନ୍ତି। ବରଗଡ଼ ସହର ଠାରୁ ସାତ କିଲୋମିଟର ଦୂରରେ ଥିବା ଏହି ହାଟରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଓ ବଜାର ସହ ଯୋଡ଼ି ହେବାର ବ୍ୟବସ୍ଥା ରହିବ। ଆଜି ଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଓଡ଼ିଶାର ବାନ୍ଧକଳା (ଇକତ୍)କୁ ବିଶ୍ବସ୍ତରୀୟ ବ୍ରାଣ୍ଡ୍ରେ ପରିଣତ କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି। ଆନ୍ତର୍ଜାତିକ ସ୍ତରରେ ଆୟୋଜନ କରାଯାଉଥିବା ଏକ୍ସପୋ ଓ ପ୍ରଦର୍ଶନୀ ଓ ତାରକା ହୋଟେଲ୍ଗୁଡ଼ିକ ମାଧ୍ୟମରେ ପ୍ରଚାରପ୍ରସାର କରି ଆନ୍ତର୍ଜାତିକ ସ୍ତରରେ ଏହି ସାମଗ୍ରୀଗୁଡ଼ିକର ଲୋକପ୍ରିୟତା ବଢ଼ାଇବାକୁ ସେ କହିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ପସାପାଲି, ସୋନପୁରୀ, ବୋମକେଇ ଓ କୋଟପାଡ଼ ଡିଜାଇନ୍ ଉପରେ ସରକାର ଗୁରୁତ୍ବ ଦେଇ ‘ବିଶ୍ବ ଡିଜାଇନ୍’ ଭାବେ ବିକଶିତ କରିବେ। ଏହି ବସ୍ତ୍ରଗୁଡ଼ିକୁ ବରଗଡ଼, ସୋନପୁର, କଳାହାଣ୍ଡି ଓ କୋରାପୁଟ ଆଦି ଅଞ୍ଚଳରେ ତିଆରି କରାଯାଉଛି। ଓଡ଼ିଶାର ବାନ୍ଧକଳାକୁ ଜିଆଇ ମାନ୍ୟତା ମଧ୍ୟ ମିଳିଛି। ବର୍ତ୍ତମାନ ସୁଦ୍ଧା ୧୬୬ ପ୍ରକାର ଡିଜାଇନ୍ ପ୍ରସ୍ତୁତ କରାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଡିଜାଇନ୍ ପ୍ରକ୍ରିୟା ଜାରି ରହିଛି ବୋଲି ହସ୍ତତନ୍ତ ନିର୍ଦେଶକ ଜ୍ୟୋତି ପ୍ରକାଶ ଦାଶ କହିଛନ୍ତି।